ମଦ ପିଇ ପିଟିବାର ପରିଣତି : ସ୍ତ୍ରୀ, ଝିଅ ମିଶି ଜିଅନ୍ତା ଜାଳିଦେଲେ

କାଳିଆପାଣି : ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ସାରୁଆବିଲ ଗାଁ ପିରୁ ହଟିଂ(ଚିରିଗୁଡ଼ା)ଠାରେ ଗତକାଲି ରାତିରେ ପାରିବାରିକ କଳହରୁ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ଓ ଝିଅ ମିଶି ଜିଅନ୍ତା ଜାଳି ଦେଇଥିବା ଜଣାପଡ଼ିଛି। ବ୍ୟକ୍ତିଜଣକ ସୁବାସ ସିଂ(୩୬)। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ, ସାରୁଆବିଲ ଗାଁର ସୁବାସ ସିଂ ପେସାରେ ଜଣେ ଡ୍ରାଇଭର! ତାଙ୍କର ୨ ଝିଅ ଓ ଗୋଟିଏ ପୁଅ। ପରିବାରରେ ଅଭାବ ଓ ଅସୁବିଧା ସତ୍ତ୍ୱେ ସୁବାସ ଅଧିକାଂଶ ସମୟ ନିଶାଗ୍ରସ୍ତ ରହନ୍ତି। ପାଖ ପଡ଼ୋଶୀଙ୍କ କହିବାନୁସାରେ, ଏଥିପାଇଁ ଘରେ ଅଧିକାଂଶ ସମୟ କଳି ଝଗଡ଼ା ଲାଗି ରହୁଥଲା।

ଗତକାଲି ରାତିରେ ନିଶାଗ୍ରସ୍ତ ଥିଲେ ସୁବାସ। ସେ ପ୍ରଥମେ ନିଜ ଝିଅ ପ୍ରତି ଅସଦାଚରଣ କରିଥଲେ। ପତ୍ନୀ ଓ ଝିଅ ଏହାକୁ ତୀବ୍ର ବିରୋଧ କରିଥିଲେ। ସେମାନଙ୍କ ମଧ୍ୟରେ ପ୍ରବଳ କଳି ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସୁବାସ ଝିଅ ଓ ପତ୍ନୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ତାଙ୍କ ମାଡ଼ରେ ବଡ଼ଝିଅ କାନମୁଣ୍ଡା ଫାଟିଥିଲା ଓ ସାନଝିଅ ମୁଣ୍ଡ ଫାଟି ଯାଇଥିଲା। ସୁବାସଙ୍କ ଅତ୍ୟାଚାର ସୀମା ଟପିଯିବାରୁ ସମସ୍ତେ ମିଶି ତାଙ୍କୁ ତୀବ୍ର ବିରୋଧ କରିଥିଲେ। ଏହି ସମୟରେ ମାତାଲ ଥିବା ସୁବାସ ତଳେ ଲୋଟି ପଡ଼ି ଯାଇଥିଲେ। ଏହି ମଉକାରେ ସମସ୍ତେ ମିଶି ତାଙ୍କ ହାତଗୋଡ଼କୁ ବାନ୍ଧିଦେବା ସହ ସୁବାସଙ୍କ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ନିଆଁ ଲାଗିଥିବା ଅବସ୍ଥାରେ ସୁବାସ ଚିତ୍କାର କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ଡାକ୍ତରଖାନାକୁ ପଠାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର