ମହିଳା ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦:ସ୍କୁଟ୍‌ଙ୍କ ହ୍ୟାଟ୍ରିକ୍‌: ଭାରତକୁ ହରାଇ ଫାଇନାଲ୍‌ରେ ଅଷ୍ଟ୍ରେଲିଆ

ମୁମ୍ବାଇ: ଭାରତ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମହିଳା ଦଳକୁ ନେଇ ସ୍ଥାନୀୟ ବ୍ରାବର୍ଣ୍ଣ ଷ୍ଟାଡିୟମ୍‌ରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳାର ଭାରତ ପରାଜୟ ଧାରା ଜାରି ରଖିଛି। ଭାରତ ୩ ମ୍ୟାଚ୍‌ରୁ ୩ ହାରି ଫାଇନାଲ୍‌ରୁ ବଞ୍ଚିତ ହୋଇଛି। ଅନ୍ୟପକ୍ଷରେ ମେଗାନ ସ୍କୁଟ୍‌ଙ୍କ ହ୍ୟାଟ୍ରିକ୍‌ରେ ଅଷ୍ଟ୍ରେଲିଆ ୩୬ ରନ୍‌ରେ ଭାରତକୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛି।
ସୋମବାର ଭାରତ ଟସ୍‌ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ୨୯ ରନ୍‌ରେ ପ୍ରଥମ ଦୁଇ ଓ୍ଵିକେଟ୍‌ ନେଇ ବୋଲର ଅଧିନାୟିକାଙ୍କ ନିଷ୍ପତ୍ତିକୁ ଠିକ୍‌ ସାବ୍ୟସ୍ତ କରିଥିଲେ। କିନ୍ତୁ ତୃତୀୟ ଓ୍ଵିକେଟ୍‌ରେ ବଥ୍‌ ମୁନି (୭୧) ଏବଂ ଏଲିସ୍‌ ଭିଲାନି (୬୧) ନିଜ ନିଜର ଅର୍ଧଶତକ ହାସଲ କରି ଦଳୀୟ ସ୍କୋର୍‌ରେ ୧୧୪ ରନ୍‌ ଯୋଡ଼ିଥିଲେ। ଏହି ଦୁହିଙ୍କ ବଳରେ ଇଂଲଣ୍ଡ ୫ ଓ୍ଵିକେଟ୍‌ରେ ୧୮୬ ରନ୍‌ କରିଥିଲା। ଭାରତ ପକ୍ଷରୁ ପୂଜା ଭସ୍ତ୍ରାକର ୨ ଓ୍ଵିକେଟ୍‌ ନେଇଥିଲେ।
୧୮୭ ରନ୍‌ର ବିଜୟ ଲକ୍ଷ୍ୟକୁ ନେଇ ବ୍ୟାଟିଂକୁ ଓହ୍ଲାଇଥିବା ଭାରତକୁ ସ୍କୁଟ୍‌ ପ୍ରାରମ୍ଭିକ ଝଟ୍‌କା ଦେଇଥିଲେ। ସ୍କୁଟ୍‌ ଭାରତ ପାଳିର ଦ୍ୱିତୀୟ ଓଭର ଶେଷ ଦୁଇ ବଲ୍‌ରେ ସ୍ମୃତି ମାନ୍ଧାନା (୩), ମିତାଲି ରାଜ (୦)ଙ୍କୁ ଆଉଟ୍‌ କରିଥିଲା ବେଳେ ଚତୁର୍ଥ ଓଭର ପ୍ରଥମ ବଲ୍‌ରେ ଦୀପ୍ତି ଶର୍ମା (୨)ଙ୍କୁ ପ୍ୟାଭିଲିଅନ୍‌ ପଠାଇ ହ୍ୟାଟ୍ରିକ୍‌ ପୂର୍ଣ୍ଣ କରିଥିଲେ। ଏହି ସମୟରେ ଭାରତ ୨୬/୩ରେ ସଂଘର୍ଷ କରିଥିଲା। ପ୍ରାରମ୍ଭିକ ବ୍ୟାଟର୍‌ ଜେମିମା ରୋଦ୍ରିଗେ୍ଵଜ୍‌ (୫୦ ରନ୍‌, ୪୧ ବଲ୍‌) ଏବଂ ଅଧିନାୟିକା ହରମନ୍‌ପ୍ରୀତ୍‌ କୌର (୩୩ ରନ୍‌, ୩୦ ବଲ୍‌), ଅନୂଜା ପାଟିଲ (୩୮* ରନ୍‌, ୨୬ ବଲ୍‌) ଏବଂ ଭସ୍ତ୍ରାକର୍‌ (୧୯ *ରନ୍‌, ୧୪ ବଲ୍‌) ଉପଯୋଗୀ ପାଳି ଖେଳି ଭାରତର ସ୍କୋର୍‌ ୧୫୦ରେ ପହଞ୍ଚାଇଥିଲେ ମଧ୍ୟ ବିଜୟ ଦେଇ ପାରିନଥିଲେ। ହ୍ୟାଟ୍ରିକ୍‌ ହାସଲ କରିଥିବା ସ୍କୁଟ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିଲେ।

ସମ୍ବନ୍ଧିତ ଖବର