ପାରାଦୀପ ବନ୍ଦରର ଭିତ୍ତିଭୂମି ଆବଶ୍ୟକତା ନେଇ ସମୀକ୍ଷା

ନୂଆଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ପିପିଟି ଅଧ୍ୟକ୍ଷ

ଭୁବନେଶ୍ୱର : ମାଲ୍‌ ପରିବହନରେ ପାରାଦୀପ ବନ୍ଦରର ସଫଳତା ପରେ ଆଜି ପିପିଟି ଅଧ୍ୟକ୍ଷ ରିଙ୍କେଶ ରାୟ ନୂଆଦିଲ୍ଲୀରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ପାରାଦୀପ ବନ୍ଦରର ବିଭିନ୍ନ ଭିତ୍ତିଭୂମିର ଆବଶ୍ୟକତା ନେଇ ନୂଆଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ସମୀକ୍ଷା କରିଛନ୍ତି। ପାରାଦୀପ ବନ୍ଦରକୁ ପୂର୍ବ ଭାରତର ବିକାଶର ପେଣ୍ଠସ୍ଥଳୀ ଭାବେ ପରିଣତ କରିବାକୁ ଆବଶ୍ୟକ ଥିବା ଭିତ୍ତିଭୂମି ସମ୍ପର୍କରେ ଆଲୋଚନା କରିଥିଲେ। ଡୁବୁରୀ ଠାରୁ ପାରାଦୀପ ବନ୍ଦର ଯାଏ ଜାତୀୟ ରାଜପଥକୁ ଆଠ ଲେନ୍‌ ବିଶିଷ୍ଟ କରିବା ସହ ପାରାଦୀପ-ହରିଦାସପୁର ରେଳବାଇ ପ୍ରକଳ୍ପକୁ ଶୀଘ୍ର କରିବା, ମଲ୍ଟି ମୋଡାଲ୍‌ ଲଜିଷ୍ଟିକ୍‌ ପାର୍କ ଓ ଅତ୍ୟାଧୁନିକ ଗୋଦାମ ସୁବିଧା, ପାରାଦୀପରେ ବିମାନ ବନ୍ଦରରେ ସୁବିଧା ରହିବା ଓ ପାରାଦୀପରେ ଜଳସଙ୍କଟର ସମାଧାନ ପାଇଁ ଡିସାଲାଇନେସନ୍‌ ପ୍ଲାଣ୍ଟ୍‌ର ବ୍ୟବସ୍ଥା ରହିବା ସମ୍ପର୍କରେ ସମୀକ୍ଷା ହୋଇଥିଲା।

୨୦୧୭-୧୮ରେ ରେକର୍ଡ ୧୦୦ ଏମ୍‌ଏମ୍‌ଟି ମାଲ୍‌ ପରିବହନ କରିଥିବାରୁ ଅଧ୍ୟକ୍ଷ ଶ୍ରୀ ରାୟ ଓ ତାଙ୍କ ଟିମ୍‌କୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇଥିଲେ। କାଣ୍ଡଲା ବନ୍ଦର ପରେ ଏହି ଉପଲବ୍ଧି ହାସଲ କରିବାରେ ପରାଦୀପ ବନ୍ଦର ଦ୍ୱିତୀୟ। ଗତ ଚାରି ବର୍ଷ ମଧ୍ୟରେ ପାରାଦୀପ ବନ୍ଦରର ୫୦ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇଛି। ବିଭାଗୀୟ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ନେତୃତ୍ୱରେ ପାରାଦୀପ ବନ୍ଦର ଆଗାମୀ ଦିନରେ ଏହି ସଫଳତା ଜାରି ରଖିବ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ସମ୍ବନ୍ଧିତ ଖବର