ଦୁଇ ଦୁର୍ଘଟଣା : ଜଣେ ମୃତ, ୪ ଆହତ

ଧର୍ମଶାଳା: ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା-କବାଟବନ୍ଧ ରାସ୍ତାର ପନ୍ତୁରି କାଠ ପୋଲ ନିକଟରେ ଆଜି ଦୁଇଟି ବାଇକ୍‌ ଦୁର୍ଘଟଣାରେ ଜଣେ ବାଇକ୍‌ ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଯୁବକ ଆହତ ହୋଇଛନ୍ତି। ସନ୍ଧ୍ୟାରେ ଚାନ୍ଦବାଲି କରଣପୋଖରୀ ଅଞ୍ଚଳର ଦିଗବିଜୟ ମହାନ୍ତି (୩୦) ଜାରକାର ପୁରୁଷୋତମ ସାହୁ(୪୧)ଙ୍କୁ ବାଇକ୍‌ରେ ବସାଇ ଜାରକା ଅଭିମୁଖେ ଯାଉଥିବା ବେଳେ ଏକ ମଇଁଷି ଆଗକୁ ଚାଲିଆସିବାରୁ ଭାରସାମ୍ୟ ହରାଇ ବାଇକ୍‌ ସହ ଓଲଟି ପଡ଼ିଥିଲେ। ସେମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଦିଗବିଜୟଙ୍କର ମୃତ୍ୟୁ ହୋଇଯାଇଥିଲା। ଦିଗବିଜୟ ଡୁବୁରୀ ସ୍ଥିତ ଏକ ଘରୋଇ କମ୍ପାନିରେ କାର୍ଯ୍ୟରତ ଥିଲେ। ପୁଲିସ୍‌ ଡାକ୍ତରଖାନାରେ ପହଞ୍ଚି ବାଇକ୍‌ ଓ ମୃତଦେହକୁ ଜବତ କରିଛି। ସେହିପରି ଏହି ସ୍ଥାନରେ ଆଜି ଅପରାହ୍‌ଣରେ ଗୋଟିଏ ବାଇକ୍‌ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ବାଇକ୍‌ରେ ଯାଉଥିବା ଅଣ୍ଟିଆ ଗ୍ରାମର ଆକାଶ ମଲିକ, ରତିକାନ୍ତ ମଲିକ ଓ ବାଦଲ ମଲିକ ଆହତ ହୋଇଥିଲେ। ସେମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର