ଭିଜିଲାନ୍ସ ଜାଲରେ ପଞ୍ଚାୟତ ଅଧିକାରୀ

ଦଶରଥପୁର/ବିଂଝାରପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍‌ରେ କାର୍ଯ୍ୟରତ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ୫,୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଆବାସର ଦ୍ୱିତୀୟ କିସ୍ତି ବିଲ୍‌ କରାଇଦେବା ପାଇଁ ଜଣେ ହିତାଧିକାରୀଙ୍କଠାରୁ ସେ ଏହି ଲାଞ୍ଚ ନେଉଥିଲେ। ଧରାପଡ଼ିବା ପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଘରେ ଖାନ୍‌ତଲାସ୍‌ କରିବା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି।
ଗିରଫ ନିର୍ବାହୀ ଅଧିକାରୀ ହେଉଛନ୍ତି ସୁବାସ ସାମଲ। ସେ ଅଳକୁଣ୍ଡ ପଞ୍ଚାୟତ ଦାୟିତ୍ୱରେ ଅଛନ୍ତି। ଅଭିଯୋଗ ଅନୁସାରେ, ପ୍ରଧାନମନ୍ତ୍ରୀ ଆବାସର ଦ୍ୱିତୀୟ କିସ୍ତି କରାଇଦେବା ପାଇଁ ଶ୍ରୀ ସାମଲ ସ୍ଥାନୀୟ ବାଗସାହି ଗ୍ରାମର ଦେବେନ୍ଦ୍ର ବାଇଙ୍କ ପତ୍ନୀ ସୁମିତ୍ରା ବାଇଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶ୍ରୀମତୀ ବାଇ ହେଉଛନ୍ତି ଜଣେ ଗରିବ ମହିଳା। ୩ ବର୍ଷ ତଳେ ତାଙ୍କ ସ୍ୱାମୀ ସଡ଼କ ଦୁର୍ଘଟଣାରେ ଅକର୍ମଣ୍ୟ ହୋଇ ଘରେ ଅଛନ୍ତି। ପ୍ରଥମ କିସ୍ତି ବାବଦରେ ସେ ୨୦ ହଜାର ଟଙ୍କା ପାଇଥିବାବେଳେ ଦ୍ୱିତୀୟ କିସ୍ତି ବାବଦ ଅର୍ଥ ପାଇଁ ସେ ଶ୍ରୀ ସାମଲଙ୍କୁ ଅନୁରୋଧ କରିଥିଲେ। ମାତ୍ର, ୫ ହଜାର ଟଙ୍କା ନଦେଲେ ଦ୍ୱିତୀୟ କିସ୍ତି ଟଙ୍କା ପାସ୍‌ ହେବନି ଶ୍ରୀ ସାମଲ ରୋକ୍‌ଠୋକ୍‌ ଶୁଣାଇଥିଲେ। ଏହି ଟଙ୍କା ଦେବା ପାଇଁ ଅସମର୍ଥ୍ୟତା ପ୍ରକାଶ ପରିଥିଲେ ଶ୍ରୀମତୀ ବାଇ। ଶେଷରେ, ସେ ନିରୁପାୟ ହୋଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ଯୋଜନା ମୁତାବକ, ଶ୍ରୀମତୀ ବାଇ ଆଜି ସକାଳ ୧୦ଟା ସମୟରେ ଅଳକୁଣ୍ଡ ଫାଣ୍ଡି ଛକସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପହଞ୍ଚ ଏହି ଅର୍ଥ ଦେଇ ସେଠାରୁ ପଳାଇଥିଲେ। ଠିକ୍‌ ଗୋଟିଏ ମିନିଟ୍‌ ମଧ୍ୟରେ ଭିଜିଲାନ୍ସ ଅଧିକାରୀମାନେ ସେଠାରେ ପହଞ୍ଚ ଟଙ୍କା ଜବତ କରିବା ସହିତ ଶ୍ରୀ ସାମଲଙ୍କୁ ଗିରଫ କରିଥିଲେ। ଏହାପରେ ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ସାମଲଙ୍କ ଦାମୋଦରପୁରସ୍ଥିତ ବାସଭବନରେ ପହଞ୍ଚ ଚଢ଼ାଉ କରିଥିଲେ। ୩ ଘଣ୍ଟା ଧରି ଚଢ଼ାଉ ପରେ ତାଙ୍କ ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି। ଭିଜିଲାନ୍ସ ଡିଏସ୍‌ପି ବନମାଳୀ ଧଳଙ୍କ ନେତୃତ୍ୱରେ ଇନ୍‌ସ୍ପେକଟର୍‌ ଅନୁସୂୟା ସେନାପତି, ପ୍ରଦୀପ୍ତ କୁମାର ପତି ପ୍ରମୁଖ ଏହି ଚଢ଼ାଉରେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର