ହାଥରସ ଗଣଦୁଷ୍କର୍ମ ହତ୍ୟା ଘଟଣା: ଅଭିଯୁକ୍ତକୁ ଫାଶୀ ଦାବି କଲା କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡି

କ୍ୟାଣ୍ଡେଲ ଶୋଭାଯାତ୍ରା କରି ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ

ଭବାନୀପାଟଣା: ଉତ୍ତରପ୍ରଦେଶର ହାଥରସରେ ଗତ ମାସ ୧୪ ତାରିଖରେ ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଏହି କ୍ରମରେ ଆଜି କଳାହାଣ୍ଡି ଜିଲ୍ଲା ବିେଜେଡି ତରଫରୁ ଗଣଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦେବା, ଦୁଷ୍କର୍ମକାରୀ ତଥା ହତ୍ୟାକାରୀମାନଙ୍କୁ ଗିରଫ କରି ଫାଶୀ ଦେବା ଦାବି ନେଇ ଭବାନୀପାଟଣାସ୍ଥିତ ଗାନ୍ଧିଛକର ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ମମ୍ମୁଖରେ ପ୍ରତିବାଦ କରାଯାଇଛି।

ଏହି ଗଣଦୁଷ୍କର୍ମ ଘଟଣାରେ ଉତ୍ତର ପ୍ରଦେଶ ସରକାର ଓ ପୁଲିସର ଭୂମିକା ସନ୍ଦେହ ଘେରକୁ ଆସୁଥିବା ପ୍ରସଙ୍ଗକୁ ଛାତ୍ର ନେତାମାନେ ଉଠାଇଛନ୍ତି। ସମସ୍ତ ଅଭିଯୁକ୍ତ ଫାଶୀ ଖୁଣ୍ଟରେ ଝୁଲିଲା ପରେ ହିଁ ପୀଡିତାଙ୍କ ଆତ୍ମା ଶାନ୍ତି ପାଇବ ବୋଲି ଛାତ୍ର ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର କହିଛନ୍ତି ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ହାଥରସ ଗାଁରେ ଜଣେ ଦଳିତ ଯୁବତୀଙ୍କୁ ଅତି ଅମାନୁଷିକ ଭାବେ କିଛି ପ୍ରଭାବଶାଳୀ ବ୍ୟକ୍ତି ଗଣଦୁଷ୍କର୍ମ କରିବା ପରେ ଜିଭ କାଟି ଦେଇଥିଲେ ଏବଂ ତାଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ। ଅତି ଗୁରୁତର ଅବସ୍ଥାରେ ସମ୍ପୃକ୍ତ ଯୁବତୀଙ୍କୁ ଉତ୍ତର ପ୍ରଦେଶର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କର ଅବସ୍ଥା ଅତ୍ୟନ୍ତ ସଂକଟଜନକ ହୋଇପଡ଼ିବାରୁ ତାଙ୍କୁ ଦିଲ୍ଲୀର ସଫ୍‌ଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ବୁଧବାର ରାତି ସମ୍ପୃକ୍ତ ଯୁବତୀଙ୍କର ମୃତ୍ୟୁ ହୋଇଥିଲା।

ବର୍ତ୍ତମାନ ଏହି ଘଟଣାର ନୂଆମୋଡ ନେଇଛି। ପୀଡିତାଙ୍କ ସହ କୌଣସି ଦୁଷ୍କର୍ମ ହୋଇନଥିବା ନେଇ ୟୁପି ପୁଲିସ ବୟାନ ଦେଇଛ। ଏଥିପାଇଁ ସରକାରଙ୍କୁ ତିବ୍ର ସମାଲୋଚନା କରିଛି କଳାହାଣ୍ଡି ଛାତ୍ର ବିଜେଡି। ପୀଡିତାଙ୍କ ଉଦେଶ୍ୟରେ ମହମବତୀ ଜାଳି ଗଭୀର ଶ୍ରଦ୍ଧାଞ୍ଜଳି ଦେବା ସହ ଦୋଷୀ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନ ନେଲେ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି।

ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ଅଭିଶେକ ମହାପାତ୍ର, ରାଜ୍ୟ ଯୁବ ଜୋନ ସଭାପତି ମନିନ୍ଦ୍ର ମହାନ୍ତି, ରାଜ୍ୟ ସହ ସମ୍ପାଦକ ରବି ପଟ୍ଟନାୟକ, ଅମରଦୀପ ସିଂହ, ଲାଲ ବାହାଦୂର ନାଏକ, ପ୍ରଦୀପ ଦାସ, ପ୍ରଶାନ୍ତ ନାଏକ, ଅଭିଜିତ ମିଶ୍ର, ଲବଣୀ ମହାନନ୍ଦ, ହାରୁନ ମହମ୍ମଦ, ଅମିତ ଯାଦବ, ଜିତେନ୍ଦ୍ର ବେହେରା, କାମାକ୍ଷ ସିଂହଦେଓ, ମହମ୍ମଦ ମୋସିନ, ସିନୁ ବେହେରା, ବିକାଶ ମୁଣ୍ଡ, ରୋମାଞ୍ଚଳ ମେହେର, ବିବେକ ମହାନନ୍ଦ, ସିତାରାମ ନାୟକ, ଲାଲୁ ମହାକୁଡ଼ ପ୍ରମୁଖ ଯୋଗଦେଇ ଥିଲେ।

ସମ୍ବନ୍ଧିତ ଖବର