ଉତ୍କେଲା ମଣ୍ଡିରେ କୁଇଣ୍ଟାଲ ପିଛା ୭କେଜି କଟନି, ଧାନ ଫେରେଇ ନେଲେ ଚାଷୀ

ଉତ୍କେଲା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ ଉତ୍କେଲା ଧାନମଣ୍ଡିରେ ଚାଷୀଙ୍କ ଧାନରୁ କୁଇଣ୍ଟାଲ ପିଛା ୭ କେଜି ଯାଏ କଟ୍‌ନି ଛଟ୍‌ନି କରିବାକୁ ମସୁଧା ଚାଲିଛି। ଏଥିରେ ରାଜି ନଥିବା କିଛି ଚାଷୀ ସୋମବାର ସେମାନଙ୍କ ଧାନ ମଣ୍ଡିରୁ ଫେରାଇ ନେଇଛନ୍ତି। ସେହିପରି ଆଉ କିଛି ଚାଷୀ ଅନ୍ୟ ଉପାୟ ନପାଇ ମଣ୍ଡିରେ ଧାନ ରଖି ଜଗି ରହିଛନ୍ତି।

ଚାଷୀଙ୍କ ଅଭିଯୋଗ ଅନୁସାରେ, ଉତ୍କେଲା ପେକ୍ସ ଅଧୀନରେ କିକିଆ ଓ ଉତ୍କେଲା ୨ଟି ପିପିସିରେ ଚାଷୀମାନେ ଚଳିତ ଖରିଫ ଧାନ ବିକ୍ର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶ ହୋଇଛି। ଉତ୍କେଲା ମଣ୍ଡିରେ ଉତ୍କେଲା, ଚାଞ୍ଚେର, ଦେଓଗାଁ (ଅଂଶ), କାଦୋପଡ଼ା, କଣ୍ଟାମାଲ, ଠେମରା, କୋକୋମୁଣ୍ଡା, ଅମଠାର ଚାଷୀମାନେ ଧାନ ବିକ୍ରି କରିପାରିବେ। ଏହି ମଣ୍ଡିରେ ୩ଟି ମିଲର୍ସଙ୍କୁ ଟେଗ୍‌ କରାଯାଇଛି। ଅରିହନ୍ତ ରାଇସମିଲକୁ ୯୯୦୦ କୁଇଣ୍ଟାଲ, ଅନ୍ନପୂର୍ଣ୍ଣା ରାଇସମିଲକୁ ୧୦ ହଜାର କୁଇଣ୍ଟାଲ ଓ  ସମଲେଶ୍ୱରୀ ରାଇସମିଲକୁ ୧୩ ହଜାର କୁଇଣ୍ଟାଲ ସମେତ ସମୁଦାୟ ୩୨ ହଜାର ୯୦୦ କୁଇଣ୍ଟାଲ ଧାନ ଟାର୍ଗେଟ ଦିଆଯାଇଛି। ଚାଷୀମାନେ ବିକ୍ରି ନିମନ୍ତେ ଧାନ ମଣ୍ଡିକୁ ଆଣିଥିଲେ। ହେଲେ ପ୍ରଥମରୁ ହିଁ ସେମାନଙ୍କୁ ଝଟ୍‌କା ଲାଗିଛି। ମିଲର୍ସ କୁଇଣ୍ଟାଲ ପିଛା ୭ କେଜି କଟନି ଛଟନି କରିବା ପାଇଁ କହିବାରୁ ଚାଷୀମାନେ ରାଜି ହୋଇ ନାହାନ୍ତି। ସୋମବାର ମଣ୍ଡି ଖୋଲିବାର ପ୍ରଥମ ଦିନରେ ଚାଷୀ ଭଗବାନ ମେହେର, ଦୁର୍ବାଦଳ ମେହେର, ପ୍ରସନ୍ନ ମେହେର, କୈଳାସ ମେହେର ମଣ୍ଡି ଧାନ ଆଣିଥିଲେ। ୭କେଜି କଟନି ଛଟନି କଥା ଶୁଣି କିଛି ଚାଷୀ ସେମାନଙ୍କ ଧାନ ଧରି ଘରକୁ ପଳାଇ ଯାଇଥିଲେ। ଧାନ ନକିଣି ମିଲର୍ସମାନେ ମଧ୍ୟ ସନ୍ଧ୍ୟାରେ ପଳାଇଥିଲେ। ସେହିଭଳି କିଛି ଚାଷୀ ଧାନ ବିକ୍ରି ନକରି ମଣ୍ଡିରେ ପକାଇ ରଖିଛନ୍ତି। ସେହିଭଳି ଗତ ୨୦ ତାରିଖ ଦିନ କିକିଆ ମଣ୍ଡିକୁ କିକିଆ, କୁଣ୍ଡାବନ୍ଧ, ପଥର୍ଲା, ବୋରିଆ ପଞ୍ଚାୟତର ଚାଷୀମାନେ ଧାନ ବିକ୍ରି କରିବା ଆଣିଥିଲେ। ହେଲେ କଟନି ଛଟନି କଥା ନଛିଣ୍ଡିବାରୁ ଚାଷୀମାନେ ଧାନ ଧରି ଘରକୁ ଫେରିଥିଲେ। ତୁରନ୍ତ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି। ଏ ସଂପର୍କରେ ଉତ୍କେଲା ପେକ୍ସ ସଂପାଦକ ହିମାଂଶୁ ଶେଖର ଦାଶଙ୍କୁ ପଚରାଯିବାରୁ ଧାନ ଏଫ୍‌ଏକ୍ୟୁ ମାନର ନଥିବାରୁ ଏପରି ହୋଇଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର