କଳାହାଣ୍ଡିର ଦୁର୍ଗମ ଅଞ୍ଚଳରେ ଆଲୋକବର୍ତ୍ତିକା ସାଜିଛନ୍ତି ଲୋକଙ୍କ ସୁଖଦୁଃଖର ସାଥୀ ଫୁଲମେ ନାନୀ

ଭବାନୀପାଟଣା (ଦେବେନ୍ଦ୍ର ବିଶି): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜୀବନର ଚଲାପଥରେ ସମସ୍ତ ଝଡ଼ଝଞ୍ଜାକୁ ଭ୍ରୂକ୍ଷେପ ନକରି ଅଞ୍ଚଳରେ ଆଲୋକବର୍ତ୍ତିକା ସାଜିଛନ୍ତି ଫୁଲମେ ମାଝୀ। ଦୁର୍ଗମ ଅଞ୍ଚଳରେ ସେବା ଓ ତ୍ୟାଗର ପ୍ରତୀକ ରୂପେ ନିଜର ଏକ ନିଆରା ଛାପ ଛାଡ଼ି ପାରିଛନ୍ତି ଫୁଲମେ। ଯେଉଁ ଅଞ୍ଚଳରେ ନାରୀ ଅଶିକ୍ଷିତ, ନିଜ ଅଧିକାରରୁ ସଦାସର୍ବଦା ବଞ୍ଚିତ ସେହି ଦୁର୍ଗମ ଅଞ୍ଚଳରେ ତାଙ୍କର ଜନ୍ମ। ମହିଳାମାନଙ୍କ ଅଧିକାରକୁ ସୁରକ୍ଷା ଦେବା ଦିଗରେ ସେ ଅହରହ ଉଦ୍ୟମ ଜାରି ରଖିଛନ୍ତି। ଅତି କମ୍ ବୟସରୁ ନିଜ ପରିବାରର ଦୁର୍ଦ୍ଦଶା ଦେଖି ଶିକ୍ଷା ଓ ସଚେତନତାର ପଥରେ ପଥିକ ହୋଇ ଫୁଲମେ ଆଜି ସମଗ୍ର ନାରୀ ସମାଜ ପାଇଁ ଆଦର୍ଶ ସାଜିଛନ୍ତି।

ଗତ କେଇ ଦଶନ୍ଧି ତଳେ ଲାଞ୍ଜିଗଡ଼ ବ୍ଲକରେ ଯେତେବେଳେ ଲୋକେ ମହିଳା ଶିକ୍ଷାକୁ ନାକ ଟେକୁଥିଲେ, ସେତେବେଳେ ସେ ନିଜସ୍ୱ ଉଦ୍ୟମରେ ପାଠପଢି ସମାଜସେବାକୁ ବ୍ରତ ଭାବେ ଗ୍ରହଣ କରି ନେଇଥିଲେ। ଗୋଟିଏ ପରେ ଗୋଟିଏ ସାମାଜିକ ଆନ୍ଦୋଳନରେ ସାମିଲ ହୋଇ ସେ ଆଦିବାସୀ ମହିଳା ସମାଜରେ ନିଜର ସ୍ବରକୁ ପହଞ୍ଚାଇ ପାରିଥିଲେ। ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ସହିତ କାମ କରି ସେ ଅଞ୍ଚଳର ଜନସାଧାରଣମାନଙ୍କ ମଧ୍ୟରେ ପ୍ରିୟଭାଜନ ହୋଇ ଥିବାବେଳେ ତାଙ୍କ ଉପରେ ଲୋକଙ୍କ ଭରସା ଯୋଗୁଁ ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି ପଞ୍ଚାୟତର ଲୋକେ ତାଙ୍କୁ ଦୁଇଦୁଇ ଥର ସରପଞ୍ଚ ଭାବେ ନିର୍ବାଚିତ କରିଛନ୍ତି। ସେହିପରି ମହିଳା ସଂଗଠନ ଗଠନ କରି ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ବିଭିନ୍ନ ସାମାଜିକ ସଚେତନତା, ମଦ ବିରୋଧୀ ଆନ୍ଦୋଳନ ସହିତ ମହିଳା ସଶକ୍ତୀକରଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରି ସେ ପ୍ରଶଂସିତ ହୋଇଛନ୍ତି। ଦୀର୍ଘ କାଳ ସମାଜସେବା ପରେ ନିଜର ଏକ ସ୍ୱେଚ୍ଛାସେବୀ ସଂସ୍ଥା ‘ପରିବର୍ତ୍ତନ’ ଗଠନ କରି ତାହାରି ମାଧ୍ୟମରେ କେବଳ ଲାଞ୍ଜିଗଡ଼ ନୁହେଁ ସମଗ୍ର କଳାହାଣ୍ଡି ଜିଲ୍ଲାର ପଞ୍ଚାୟତସ୍ତରୀୟ ପ୍ରତିନିଧିମାନଙ୍କୁ ନିଜ ଅଧିକାର ଓ କର୍ତ୍ତବ୍ୟ ସଂପର୍କରେ ତାଲିମ ଦେଇ ଆସୁଛନ୍ତି ନିଜର ଉଲ୍ଲେଖନୀୟ ସମାଜସେବା ପାଇଁ ସେ ଅନେକ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଥିବାବେଳେ ନେହରୁ ଯୁବକେନ୍ଦ୍ର ଦ୍ୱାରା ଯୁବ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

ଅତି ସରଳ ଓ ନିରାଡ଼ମ୍ବର ଜୀବନଯାପନ କରୁଥିବା ଫୁଲମେ ଜନସେବାକୁ ନିଜର ବ୍ରତ କରିଥିବାବେଳେ ନିଜ କଥା ଭାବିବାକୁ ସତେ ଯେମିତି ଭୁଲି ଯାଇଛନ୍ତି। ସେ ସମସ୍ତଙ୍କ ପ୍ରିୟ ଫୁଲମେ ନାନୀ। ଆଜି ବି ଅବିବାହିତା। ସମଗ୍ର ଆଦିବାସୀ ଓ ଦଳିତ ଲୋକେ ହିଁ ମୋର ପରିବାର, ଏଣୁ ସଂସାର ଗଢିବାର ଅବକାଶ ନାହିଁ ବୋଲି ସେ କହନ୍ତି। ୧୯୮୨ ମସିହା ମାର୍ଚ ୩ ତାରିଖରେ ସେ ଲାଞ୍ଜିଗଡ଼ ବ୍ଲକ୍‌ ବନ୍ଧପାରି ପଞ୍ଚାୟତର ରାଜେନ୍ଦ୍ରପୁରରେ ଜନ୍ମଗ୍ରହଣ କରିଥିଲେ। ସେ ବର୍ତ୍ତମାନ ବନ୍ଧପାରି ସରପଞ୍ଚ ଅଛନ୍ତି।

ସମ୍ବନ୍ଧିତ ଖବର