ନାତି ପାଇଁ ମାତୃ ସ୍ନେହରେ ବନ୍ଧା ବୁଢ଼ୀମା’

ଜୟପାଟଣା: ମାତୃହରା ଶିଶୁ ପାଇଁ ମା’ର ଅନାବିଳ ପ୍ରେମ ସାଉଁଟିବା ଯେତେବେଳେ କଷ୍ଟକର ହୋଇଉଠେ ସେତେବେଳେ ଖୁବ୍‌କମ୍‌ ଶିଶୁ ଅନ୍ୟ ଜଣେ ନାରୀ ପାଖରେ ପୁଣିଥରେ ବାନ୍ଧି ହୋଇଯାଆନ୍ତି। କିନ୍ତୁ ଏଭଳି ଏକ ଶିଶୁ ଦୁଃଖକଷ୍ଟରେ ବଣ ଜଙ୍ଗଲରୁ ପତ୍ର ସାଉଁଟି ଖଲିପତ୍ର ବିକ୍ରି କରୁଥିବା ଜଣେ ୭୧ ବର୍ଷିୟା ବୁଢ଼ୀର ହୃଦୟକୁ ବ୍ୟଥିତ କରିଛି। ସେହି ବୁଢ଼ୀମା ନବଜାତକକୁ ସାହସର ସହିତ କୋଳେଇ ନେଇଛି। ବୋତଲରେ କ୍ଷୀର ଭର୍ତ୍ତି କରି ଶିଶୁର ପେଟ ପୂରେଇବାକୁ ସକ୍ଷମ ହୋଇଛି। ଏବେ ସେହି ଶିଶୁ ନିଜର ପରିଚୟ ରଖି ୧୫ ମାସରେ ପହଞ୍ଚି ତା’ରି ଭିନ୍ନ ଏକ ହୃଦୟକୁ ଚିହ୍ନିବାର କ୍ଷମତା ରଖି ସାରିଲାଣି। ଦଣ୍ଡେ ନଦେଖିଲେ ବୁଢ଼ିମାକୁ ଇଶାରା କରିବା ମଧ୍ୟ ଆରମ୍ଭ କରିଦେଲାଣି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଭାଲୁଯୋର ଗ୍ରାମର ୭୫ ବର୍ଷ ବୟସ୍କା ମୋତି ପୁଝାରୀ।

କଳାହାଣ୍ଡି ଜିଲ୍ଲାର ଧନଶୂଳୀ ପଞ୍ଚାୟତ ଭାଲୁଯୋର ଗାଁର ମୋତି ପୁଝାରୀ। ସ୍ୱାମୀ ମଦନ ପୁଝାରୀଙ୍କ ୧୦ ବର୍ଷ ତଳେ ମୃତ୍ୟୁ ହୋଇ ଯାଇଥିଲା। ପୁଅ ବୋହୂ ଥିଲେ। ବୋହୂ ନବରଗଙ୍ଗପୁର ଡାକ୍ତରଖାନାରେ ଶିଶୁପୁତ୍ରଟିଏ ଜନ୍ମ ଦେଇ ଆର ପାରିକୁ ଚାଲିଗଲେ। ସେତେବେଳେ ଅନେକ ଲୋକ ନବଜାତକକୁ କୋଳେଇ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ମୋତି କିନ୍ତୁ ସମସ୍ତଙ୍କୁ ମନା କରି ଦେଇଥିଲେ। ନିଜ ବଂଶର ସନ୍ତକକୁ ନିଜେ ରଖିବାକୁ ସଂକଳ୍ପ ନେଲେ। ଯଥାଶକ୍ତି ଯୋଗାଡ଼ କରି ଶିଶୁକୁ ବଞ୍ଚାଇଲେ। ଏହି ବୟସରେ ମଧ୍ୟ ମୋତିଙ୍କ ଉପରେ ଘର ଚଳାଇବା ବୋଝ। ଜଙ୍ଗଲରୁ ପତ୍ର ଆଣି ଖଲି ତିଆରି କରି ନିକଟ ବଜାରରେ ବିକି ଯାହା ପଇସା ମିଳେ ସେଥିରେ ପୁଅ ଓ ନାତି ସାଙ୍ଗରେ ଚଳିବା ପାଇଁ ଚେଷ୍ଟା କରନ୍ତି। ବିଧବା ଭତ୍ତା ଓ ଦଶ କିଲୋ ଚାଉଳ ସେମାନଙ୍କ ପାଇଁ କିଛି ଦିନର ଚଳଣି ହୋଇଯାଏ। ଏବେ ୧୫ ମାସ ହେଲା ନାତିକୁ ଛାଡ଼ି ଜଙ୍ଗଲ ଯିବାଟା କଷ୍ଟ ହେଇଛି। ଏ ଯାବତ ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ ମିଳିନଥିବା ପ୍ରକାଶ କରନ୍ତି ମୋତି।

ସମ୍ବନ୍ଧିତ ଖବର