କଳାହାଣ୍ଡିରେ ସ୍ୱାସ୍ଥ୍ୟ ମନ୍ତ୍ରୀ:ମେଡିକାଲ କଲେଜ ଡାକ୍ତରଖାନା ପାଇଁ ୨୮ କୋଟି ଟଙ୍କା ମଞ୍ଜୁର

ଭବାନୀପାଟଣା: ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ, ଆଇନ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ଦିନିକିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଥିଲେ। ଭବାନୀପାଟଣା ସହରସ୍ଥିତ ସଦର ମୁଖ୍ୟ ଡାକ୍ତରଖାନା ପରିସରରେ ଜରା ଚିକିତ୍ସା ପ୍ରକୋଷ୍ଠର ଭିତ୍ତିପ୍ରସ୍ତର ସ୍ଥାପନ ଓ ଯକ୍ଷ୍ମା ରୋଗ ପ୍ରକୋଷ୍ଠର ଉଦ୍‌ଘାଟନ କରିଥିଲେ।ଭବାନୀପାଟଣା ସହରସ୍ଥିତ କଲେଜ ଛକ ନିକଟରେ ସହରାଞ୍ଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଶାକର୍ମୀ ଓ ଡାକ୍ତରଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଦୀପ ଜେନା ପୁରସ୍କୃତ କରିଥିଲେ।
ଅପରାହ୍‌ଣରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରୋଗୀଙ୍କୁ ସ୍ୱଚ୍ଛ ତଥା ଗରମ ପିଇବା ପାଣିର ବ୍ୟବସ୍ଥା, ରୋଗୀଙ୍କ ଅଟେଣ୍ଡାଣ୍ଟଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା, ଡାକ୍ତରଖାନା ପରିସରରେ ଆହାର କେନ୍ଦ୍ର ଓ ଡ୍ରେନେଜ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିଭଳି ଭଙ୍ଗାବାରୀରେ ହେବାକକୁ ଥିବା ନୂତନ ମେଡିକାଲ କଲେଜ ପରିସରରେ ଏକ ନୂତନ ଡାକ୍ତରଖାନା ଖୋଲିବା ପାଇଁ ୨୮ କୋଟି ଟଙ୍କା ମଞ୍ଜୁର, ସଦର ମୁଖ୍ୟ ଡାକ୍ତରଖାନରେ ୭ ଶଯ୍ୟା ବିଶିଷ୍ଟ ଡାଇଲିସିସ ୟୁନିଟ ସ୍ଥାପନ, ୧୬ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ହୋଇଥିବା ଏମସିଏଚ କୋଠାକୁ ଏକମାସ ମଧ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ଫାୟାରସେଫ୍ଟି ବ୍ୟବସ୍ଥା ପାଇଁ ୨ କୋଟି ଟଙ୍କା ପ୍ରଦାନ କରାଯାଇଥିବା ସୂଚନା ଦେଇଥିଲେ। ଆହୁରି ଅଧିକ ୬୦ଟି ଶଯ୍ୟା ବୃଦ୍ଧି, ୧୫ଦିନ ମଧ୍ୟରେ ନୂଆ ସବସେଣ୍ଟର ସ୍ଥାପନ ପାଇଁ ପ୍ରସ୍ତାବ ଦେବାକୁ ସିଡିଏମଓଙ୍କୁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ ଭୂପିନ୍ଦର ସିଂ, ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ, ଭବାନୀପାଟଣା ସଦର ବିଧାୟକ ଅନାମ ନାଏକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, କଳାହାଣ୍ଡି ଜିଲ୍ଲାପାଳ ଅଂଜନ କୁମାର ମାଣିକ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର