କାମରେ ଲାଗୁନି ବିଜୁ କନ୍ଧମାଳ-ଗଜପତି ଯୋଜନା: ଦେଢ କୋଟି ମଂଜୁର ସତ୍ତ୍ବେ ହେଉ ନାହିଁ ଟେଣ୍ଡର

ବିଲାବାଡି ପାଇଁ ସବୁ ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା

ଫୁଲବାଣୀ: ଗାଁକୁ ପକା ରାସ୍ତା ନିର୍ମାଣ ହେବ। ଆଉ କେଉଁ ଗାଁ ଅପହଞ୍ଚ ହୋଇ ରହିବ ନାହିଁ। ଏହି ଲକ୍ଷ୍ୟରେ ସରକାର ଯୋଜନା ପରେ ଯୋଜନା ଚଳାଇଛନ୍ତି। ଏଥି ନିମନ୍ତେ ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ନେତା ଓ ସରକାରୀ ବାବୁଙ୍କ ଇଛାଶକ୍ତି ଅଭାବରୁ ଯୋଜନା ତୃଣମୁଳସ୍ତରରେ ପହଞ୍ଚି ପାରୁ ନାହିଁ।

କନ୍ଧମାଳ ଜିଲ୍ଲାର ଦୁର୍ଗମ ଓ ଅପହଞ୍ଚ ବିଲାବାଡିକୁ ଆଦର୍ଶ ଗାଁ ଭାବେ ଗଢି ତୋଳିବାକୁ ନେତାଙ୍କଠାରୁ ସରକାରୀ ବାବୁ ବର୍ଷବର୍ଷ ଧରି ପ୍ରତିଶ୍ରୁତି ଦେଇ ଆସୁଛନ୍ତି। ହେଲେ ଆଜିର ଦିରେ ବି ବିଲାବାଡିକୁ ସବୁ ଦିନିଆ ରାସ୍ତା ନିର୍ମାଣ ହୋଇ ପାରିଲା ନାହିଁ। ୪ ବର୍ଷ ମଧ୍ୟରେ ରାସ୍ତା କାମ ଅଧା ହୋଇଛି। ଆହୁରି ଅଧା ରାସ୍ତା ନିର୍ମାଣ ହେବାକୁ କେତେ ବର୍ଷ ଲାଗିବ ତାହା କେବଳ ନେତା ଓ ସରକାରୀ ବାବୁଙ୍କୁ ଜଣା। ବିଜୁ କନ୍ଧମାଳ ଗଜପତି ଯୋଜନାରେ ଅଧା ରାସ୍ତା ନିର୍ମାଣ ପାଇଁ ଦେଢ କୋଟି ଟଙ୍କା ମଂଜୁର ହୋଇଛି। ହେଲେ ଟେଣ୍ଡର ହେଉ ନାହିଁ। ଏ ନେଇ ଦାବି ହେଉଥିଲେ ବି ଜିଲ୍ଲା ପ୍ରଶାସନ ଶୁଣୁ ନାହିଁ। ଏହାକୁ ନେଇ ଜନପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନିର୍ମାଣ ହୋଇଥିବା ଅଧା ରାସ୍ତା ପରେ ପରେ ଏକ କଲଭର୍ଟ ଦୁର୍ବଳ ଅବସ୍ଥାରେ ରହିଛି।

ଗାଡି ମଟର ଯିବା ସମୟରେ ଦୁର୍ଘଟଣା ଆଶଙ୍କା ସୃଷ୍ଟି କରୁଛି। ହେଲେ ଏହି ସାମାନ୍ୟ କାମ ବି ୨ ବର୍ଷ ହେଲା ହୋଇ ପାରୁ ନଥିବା ବିଲାବାଡିବାସୀ ଦୁଃଖର ସହ କହିଛନ୍ତି। ମଝିରେ ନେତା ଓ ସରକାରୀ ବାବୁ ବିଲାବାଡି ଯାଉଛନ୍ତି। ପୁଳାପୁଳା ପ୍ରତିଶ୍ରୁତି ଦେଇ ଆସୁଛନ୍ତି। ହେଲେ ବିଲାବାଡିବାସୀଙ୍କ ମୁଖ୍ୟ ଦାବି ରହୁଛି ରାସ୍ତା ନିର୍ମାଣ କଥା। ଏହା ଶୁଣି ପ୍ରତିଶ୍ରୁତି ମିଳୁଛି। ତାପରେ ଆଉ କିଏ ପଚାରୁ ନଥିବା ଏବଂ କାହା ପାଦରେ ଗାଁରେ ପଡୁ ନଥିବା ବିଲାବାଡିବାସୀ କହିଛନ୍ତି। ଏବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ବିଡିଓ ବିଲାବାଡିକୁ ଯାଇଥିଲେ। ଦୁର୍ଗମ ଅଞ୍ଚଳକୁ ଯାଉଥିବା କଥା କହି ‌ଫଟୋ ସୋସିଆଲ ମିଡିଆରେ ଛାଡିଥିଲେ। ଆଉ କିଛି ଗଣମାଧ୍ୟମରେ ପ୍ରକାଶ କରିଥିଲେ। ପୂର୍ବଭଳି ପ୍ରତିଶ୍ରୁତି ମଧ୍ୟ ଦେବାକୁ ଭୁଲି ନଥିଲେ। ହେଲେ ଏଭଳି ପ୍ରତିଶ୍ରୁତିକୁ ସହଜରେ ବିଶ୍ବାସକୁ ନେଇ ପାରି ନାହାନ୍ତି ବିଲାବାଡିବାସୀ। କାରଣ ଏଭଳି ପ୍ରତିଶ୍ରୁତି ଆଗକୁ ବହୁ ଶୁଣି ଆସିଛନ୍ତି ସେମାନେ। ପ୍ରତିଶ୍ରୁତି ଦେଲେ ଚଳିବ ନାହିଁ। ଖୁବ ଶୀଘ୍ର କିଭଳି ରାସ୍ତା ପାଇଁ ଟେଣ୍ଡର ହେବ ଆଉ ରାସ୍ତା କାମ ନିର୍ମାଣ ହେବ ସେଥି ନିମନ୍ତେ ଅଧ୍ୟକ୍ଷ  ଓ ବିଡିଓ ପଦ‌କ୍ଷେପ ନେବାକୁ ବିଲାବାଡିବାସୀଙ୍କ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର