କନ୍ଧମାଳ : ଆଉ ୧୨୧ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୧୪୭୦ ଛୁଇଁଲା

ଫୁଲବାଣୀ : କନ୍ଧମାଳରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢିଚାଲିଛି । ସୋମବାରଦିନ ପୁଣି ୧୨୧ ନୂଆ ପଜିଟିଭ୍ ବାହାରିଛି । ନୂଆକୁ ମିଶାଇ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ୧୪୭୦ ଛୁଇଁଛି । ନୂଆ ୧୨୧ରୁ ୭୯ ଜଣ ପୁରୁଷ ଓ ୪୨ ଜଣ ମହିଳା ଅଛନ୍ତି। ଫୁଲବାଣୀ ବ୍ଳକ କେବଳ ଦଡକିରୁ ୭ ଜଣ ଅଛନ୍ତି। ସମସ୍ତେ ବାଙ୍ଗାଲୋର ଫେରି ବଇଡା ସଙ୍ଗରୋଧ କେନ୍ଦ୍ରରେ ଥିଲେ। ଜି.ଉଦୟଗିରିରୁ ୨୦,ଦାରିଙ୍ଗବାଡିରୁ ୨୪,ତୁମୁଡିବନ୍ଧରୁ ୨୧,କୋଟଗଡରୁ ୬,ଟିକାବାଲିରୁ ୮,ଚକାପାଦରୁ ୫,ବାଲିଗୁଡାରୁ ୧୨,ରାଇକିଆ ଓ ଖଜୁରୀପଡାରୁ ୨ ଜଣ ଲେଖାଏଁ ପଜିଟିଭ ଅଛନ୍ତି। ସହରାଞ୍ଚଳରେ ସଂକ୍ରମଣ ସଂଖ୍ୟା କମୁଥିବା ବେଳେ ଗ୍ରାମାଞ୍ଚଳରେ ଦିନକୁ ଦିନ ବଢି ଚାଲିଛି। ଏହାକୁ ନେଇ ପ୍ରଶାସନର ଚିନ୍ତା ବଢି ଯାଇଛି।

ଟେଷ୍ଟି ଓ ଟ୍ରେସିଂ ପୂର୍ବ ଅପେକ୍ଷା ଅଧିକ ହେଉଥିବାରୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି। ହେଲେ ମୁକାବିଲା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରହିଥିବାରୁ କେହି ଭୟଭୀତ ନ ହେବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲାରେ ସମୁଦାୟ ୧୪୭୦ ସଂକ୍ରମଣ ମଧ୍ୟରୁ ୮୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୫୯୬ ଜଣ ସଂକ୍ରମିତ ଜିଲ୍ଲା କୋଭିଡ ହସପିଟାଲ ଓ ବିଭିନ୍ନ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି। ଆଜି ସୁଦ୍ଧା କରୋନାରେ ଜିଲ୍ଲାରେ ୭ ଜଣଙ୍କର ମୃତ୍ୟୁ ହୋଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ସମସ୍ତେ ଚିନ୍ତିତ। ହେଲେ କଟକଣା ସାମାନ୍ୟ କୋହଳ କରିବା ପରେ କିଛି ଅମାନିଆ ଇନ୍ଦ୍ରଚନ୍ଦ୍ର ମାନୁ ନାହାନ୍ତି । ବିନା କାମରେ ଗାଡି ଧରି ବଜାର ବୁଲିବା ସହ ଗୋଷ୍ଠୀ ସଂକ୍ରମଣକୁ ଏକ ପ୍ରକାର ଆମନ୍ତ୍ରଣ କରୁଥିବା ପରିଲକ୍ଷିତ ହେଉଛି। ଜିଲ୍ଲା ସଦର ମହକୁମାରେ ଦୀର୍ଘ ଦିନ କଟକଣା ପାଇଁ ଦୋକାନ ବଜାର ବନ୍ଦ ଥିଲା। ଅସନ୍ତୋଷ ଓ ବିରୋଧ ଅଧିକ ହେବାରୁ ବାଧ୍ୟ ହୋଇ ପ୍ରଶାସନ କଟକଣାକୁ ସାମାନ୍ୟ କୋହଳ କରିଥିଲା। ସକାଳ ୭ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଥିଲା। ଏହି ସମୟ ମଧ୍ୟରେ ପ୍ରଶାସନ ଓ ପୁଲିସ ଧରପଗଡ ଜାରି ରଖିଥିଲେ ବି କିଛି ଅମାନିଆଙ୍କ ପାଇଁ ସାମାଜିକ ଦୂରତା ରହୁ ନାହିଁ। ଯାହା ଫଳରେ ସେମାନଙ୍କ ପାଇଁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ସୃଷ୍ଟି କରୁଛି।

ସମ୍ବନ୍ଧିତ ଖବର