ତୁମୁଡିବନ୍ଧରେ ବିଶାଳ କଳସ ଯାତ୍ରା: ଜଲେଶପଟାରେ ୩ ଦିନ ଚାଲିବ ବିଶ୍ୱ ଶାନ୍ତି ରୁଦ୍ର ମହାଯଜ୍ଞ-ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକରେ ଥିବା ବ୍ରହ୍ମଲୀନ ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ଜଲେଶପଟା ସ୍ଥିତ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ପରିସରରେ ରବିବାର ଠାରୁ ବିଶ୍ୱ ଶାନ୍ତି ରୁଦ୍ର ମହାଜଜ୍ଞ ଓ ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି ଅବସରରେ ଏକ ବିଶାଳ କଳସ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କଳସ ଯାତ୍ରାରେ ମୁଣ୍ଡିଗଡ଼, ତୁମୁଡିବନ୍ଧ, କୁର୍ତ୍ତମଗଡ଼, ଜଲେଶପଟ୍ଟା, ଡଡଙ୍ଗ ସମେତ ଆଖପାଖ ଅଞ୍ଚଳରୁ ଶତାଧିକ ମହିଳା ନୂଆ ଲୁଗା ପିନ୍ଧି ସାମିଲ ହୋଇ ନଦୀରୁ ପାଣି ଉଠାଇଥିଲେ।

ବିଭିନ୍ନ ସ୍ଥାନରେ କୁମ୍ଭ ଓ କଳସ ରଖି ସ୍ୱାଗତ କରିଥିଲେ। ସମସ୍ତ କଳସକୁ ଯଜ୍ଞ ମଣ୍ଡପରେ ରଖାଯିବା ସହ ଅଙ୍କୁରାରୋପଣ କରାଯାଇଛି। ଉକ୍ତ ନାମ ସଂକୀର୍ତ୍ତନରେ ଅଞ୍ଚଳର ୧୦୮ଟି ସଂକୀର୍ତ୍ତନ ମଣ୍ଡଳୀକୁ ଆମନ୍ତ୍ରଣ କରାଯାଇଛି। ସଂକୀର୍ତ୍ତନ ପାଇଁ ୮ଟି କୁଞ୍ଜର ବ୍ୟବସ୍ଥା କରାଯାଇଛି। ସ୍ୱାମୀଜୀ ପରେ ଯଜ୍ଞ ନିକଟରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଆଜି ସକାଳୁ ଅଙ୍କୁରାରୋପଣ, ଗୋ ପୂଜା, ଧରିତ୍ରୀ ପୂଜା, ସୂର୍ଯ୍ୟ ପୂଜା, ଗୁରୁ ପୂଜା, ସତସଙ୍ଗ, ପ୍ରବଚନ ଅନୁଷ୍ଠିତ ହୋଇ ଥିଲା। ଆଶ୍ରମର ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ ଏହି ଯଜ୍ଞର ତତ୍ୱାବଧାନରେ ଥିବା ବେଳେ ଶଙ୍କରାଚାର୍ଯ୍ୟ ଟ୍ରଷ୍ଟର କୋଷାଧ୍ୟକ୍ଷ ହୀରାଲାଲ ପ୍ରଧାନ, କବିଚନ୍ଦ୍ର ନାଥ, ସମର୍ପଣ ଟ୍ରଷ୍ଟର ସଭାପତି ପବିତ୍ର ମୋହନ ସ୍ୱାଇଁ, ନେତ୍ର ମାନସେଟଙ୍କ ସମେତ ଅଞ୍ଚଳର କର୍ମକର୍ତ୍ତା, ଅଭିଭାବକ, ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ। ଯଜ୍ଞର ପୂର୍ଣାହୁତି କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହେବ ବୋଲି ଆଶ୍ରମ ପକ୍ଷରୁ କୁହାଯାଇଛି। ଥାନା ଅଧିକାରୀ ବାବା ଶଙ୍କର ସରାଫ ଓ ଏସଆଇ ଯୁଗଳ ଡିଗାଲ ଉପସ୍ଥିତିରେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର