କେନ୍ଦ୍ରାପଡ଼ା: ଉଠିଲା କର୍ଫ୍ୟୁ, ଆସନ୍ତାକାଲି ଉଠିବ ଧାରା ୧୪୪

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଉତ୍ତେଜନାମୂଳକ ପରିସ୍ଥିତି ନେଇ ଲଗାଯାଇଥିବା କର୍ଫ୍ୟୁ ଉଠିଛି କିନ୍ତୁ ଶନିବାର ସକାଳ ପର୍ଯ୍ୟନ୍ତ ଧାରା ୧୪୪ ଉଠିବାର ଆଶଙ୍କା ଦେଖାଯାଉଛି। ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାର ତୃତୀୟ ଦିନରେ ଶୁକ୍ରବାର ରାତିରେ ମଧ୍ୟ ଧାରା ୧୪୪ ଜାରି ରହିଛି। ସହର ସାରା ୧୨ରୁ ୧୪ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ପୁଲିସ ପରିସ୍ଥିତି ଉପରେ ନଜର ରଖିଛି।

ଧାରା ୧୪୪ ଜାରି ଥିବାବେଳେ କେନ୍ଦ୍ରାପଡ଼ାରେ ଭାରତୀୟ ଜନତା ପାର୍ଟି (ବିଜେପି)ର ରାଜ୍ୟ ଟିମ କେନ୍ଦ୍ରାପଡ଼ା ଗସ୍ତ କରିଥିଲା। ଟିମ୍‌ରେ ଦିଲୀପ ମଲିକ, ଭୁବନ ଜେନା, ଗୀତା ସେଠୀ, ଉତ୍କଳ କେଶରୀ ପରିଡ଼ା ଆଦି ପହଂଚିଥିଲେ। ବିଜେପି ଟିମ କେନ୍ଦ୍ରାପଡ଼ାରେ ପହଂଚିବା ପରେ ଚାପା ଉତ୍ତେଜନା ପରିସ୍ଥିତ ଦେଖାଯାଇଥିଲା। ରାଷ୍ଟ୍ରୀୟ ସୁରକ୍ଷା ସମିତି ଏବଂ ବିଜେପି ପକ୍ଷରୁ ଗୁରୁବାର କେନ୍ଦ୍ରାପଡ଼ା ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା। ଫଳରେ ଜିଲ୍ଲାରେ ସ୍ୱାଭାବିକ ଜୀବନଯାତ୍ରା ଠପ୍‌ ହୋଇ ଯାଇଥିଲା।

ସୂଚନାଯୋଗ୍ୟ, ଶୁକ୍ରବାର ବିବାଦୀୟ ପଡ଼ିଆରେ ମନମୋହନ ସାମଲ, ପ୍ରତାପ ଷଡଙ୍ଗୀ, ଦିଲ୍ଲୀପ ମଲିକ, ଭୁବନ ଜେନା, ଗୀତା ସେଠୀ, ଉତ୍କଳ କେଶରୀ ପରିଡା ପହଞ୍ଚିବା ବେଳେ ସେଠାରେ ଗୋଟିଏ ଗୋଷ୍ଠୀର ସଙ୍ଗଠନର କିଛି ଲୋକ ପ୍ରତିବାଦ କରିଥିଲେ। ପୁଲିସ ଘଟଣାସ୍ଥଳରେ ସେମାନଙ୍କୁ ବୁଝାଶୁଝା ପରେ ପଠାଇ ଦେଇଥିଲା। ଏହି ଘଟଣା ନେଇ ଏସ୍‌ପିଙ୍କ ସହ ଆଲୋଚନା ଜାରି ରହିଛି।

ଗତକାଲି ରାଷ୍ଟ୍ରୀୟ ସୁରକ୍ଷା ସମିତି ଓ ବିଜେପି ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିବାବେଳେ ଜିଲ୍ଲାରେ ସ୍ୱାଭାବିକ ଜୀବନଯାତ୍ରା ଠପ୍‌ ହୋଇ ଯାଇଥିଲା। କେନ୍ଦ୍ରାପଡ଼ା ସହରରେ ସମସ୍ତ ଦୋକାନ ବଜାର, ସରକାରୀ ଅଫିସ୍‌, ସ୍କୁଲ, କଲେଜ ବନ୍ଦ ରହିଥିଲା। ଆନ୍ଦୋଳନକାରୀମାନେ ଗୋପ ଛକ, ଦୁହୁରିଆ, ତିନିମୁହାଣି, ଗରାପୁର ଛକ, ଦଣ୍‌ତାମୁଣ୍‌ତ ଛକ, କାଳୀ ମନ୍ଦିର ଛକ, ବ୍ଲକ୍‌ ଛକ, ଗୋଗୁଆ, କୋରୋ ଆଦି ସ୍ଥାନରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। କେବଳ ଆମ୍ବୁଲାନ୍‌ସ ସେବାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ପରିସ୍ଥିତି ଉତ୍ତେଜନାମୂଳକ ରହିବାରୁ ପ୍ରଶାସନ ପକ୍ଷରୁ ଆଜି ସକାଳ ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଥିଲା।

ସମ୍ବନ୍ଧିତ ଖବର