ପଲିଟେକ୍‌ନିକ୍‌ କଲେଜ୍‌ର ନିର୍ମାଣାଧୀନ ପାଚେରୀ ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ, ୪ ଗୁରୁତର

୩ଜଣଙ୍କୁ କଟକ ଏସ୍‌ସିବି ସ୍ଥାନାନ୍ତର, ମାଲିକ-ଠିକାଦାର ଫେରାର

କେନ୍ଦ୍ରାପଡ଼ା: ଡେରାବିଶ୍‌ ଥାନା ଅନ୍ତର୍ଗତ ଛତାସ୍ଥିତ ଏକ ପଲିଟେକ୍‌ନିକ୍‌ କଲେଜ୍‌ର ନିର୍ମାଣାଧୀନ ପାଚେରୀ ଭୁଶୁଡ଼ି ପଡ଼ିବାରୁ ବୁଧବାର ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୪ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ଡାକ୍ତର ନାୟକଙ୍କ ମୃତ୍ୟୁ ହୋଇଛି। ସେହିଭଳି ପ୍ରଶାନ୍ତ ଦାସ, ରାହୁଲ ନାୟକ, ମମତା ନାୟକ ଓ ନମିତା ଲୁହାର ଆହତ ହୋଇଛନ୍ତି। ସୂଚନା ମିଳିବା ପରେ ପୁଲିସ ପହଞ୍ଚି ଘଟଣାର ଯାଞ୍ଚ କରୁଛି।

କେନ୍ଦ୍ରାପଡ଼ା ସହରଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଥିବା ଛତା ପଲିଟେକ୍‌ନିକ୍‌ କଲେଜର ଡ୍ରେନରେ ମୟୁରଭଞ୍ଜ ଜିଲ୍ଲାର ୯ ଜଣ ଶ୍ରମିକ କାମ କରୁଥିଲେ। ପାଚେରୀକୁ ଲାଗି ଡ୍ରେନ କାମ ଚାଲିଥିଲା। ଆଜି ସନ୍ଧ୍ୟାରେ ପାଚେରୀ ଉପରେ ୪ଜଣ ଛିଡ଼ା ହୋଇଥିବା ବେଳେ ୫ଜଣ ତଳେ ଥିଲେ। ଏହି ସମୟରେ ପାଚେରୀଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ଡାକ୍ତର ନାୟକ, ରାହୁଲ ନାୟକ, ମମତା ନାୟକ ଓ ନମିତା ଲୁହାର ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ନାୟକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି। ରିପୋର୍ଟ ଲେଖାଯିବା ବେଳକୁ ପ୍ରଶାନ୍ତ, ରାହୁଲ ଓ ମମତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷରେ ପଲିଟେକ୍‌ନିକ୍‌ କଲେଜର ମାଲିକ ଓ ଠିକାଦାର ଫେରାର ଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର