ସ୍ବେଚ୍ଛାକୃତ ଭାବେ ସ୍ବଚ୍ଛତା ରକ୍ଷା : ପରିବାରଠାରୁ ଦୂରେଇ ସମାଜସେବାରେ ଲାଗିଛନ୍ତି ଉପେନ୍ଦ୍ର

ମହାକାଳପଡ଼ା: ବାର୍ଦ୍ଧକ୍ୟ ଛୁଇଁ ସାରିଛି। ହେଲେ ମନ ଭିତରେ ଅଫୁରନ୍ତ ଇଚ୍ଛା, ଯୁବସୁଲଭ ଚଞ୍ଚଳତା। ପରିବାର ପାଖରୁ ଦୂରେଇ ଯାଇ ଏକୁଟିଆ ରହୁଥିବା ମହାକାଳପଡ଼ା ବ୍ଲକ୍‌ ବଢ଼ିହି ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର ଉପେନ୍ଦ୍ର ବାରିକ (୬୮) ସମାଜସେବାରେ ଲାଗି ଯାଇଛନ୍ତି।

ପରିବାର କହିଲେ ବୃଦ୍ଧା ପତ୍ନୀ, ଦୁଇ ପୁଅ ଓ ଗୋଟିଏ ଝିଅ। ବଡ଼ ପୁଅ ଓ ଝିଅଙ୍କ ବିବାହ ସରିଯାଇଛି। ନିଜ ପରିବାର ନେଇ ସେମାନେ ପୃଥକ ରହୁଛନ୍ତି। ଥାଲାସେମିଆ ରୋଗୀ ସାନପୁଅକୁ ବୃଦ୍ଧା ପତ୍ନୀଙ୍କ ପାଖରେ ଛାଡ଼ି ଦେଇ ଉପେନ୍ଦ୍ର ଦୀର୍ଘ ତିନିବର୍ଷ ହେଲା ବାହାରେ ରହୁଛନ୍ତି।

ଦିନତମାମ ତାଙ୍କୁ ସାଧାରଣତଃ ବ୍ଲକ୍‌ କାର୍ଯ୍ୟାଳୟ, ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କିମ୍ବା ମହାକାଳପଡ଼ା ଥାନା ପରିସରରେ ଦେଖିବାକୁ ମିଳିଥାଏ। ଏହି ସ୍ଥାନଗୁଡ଼ିକରେ ସେ ଅନବରତ ଅଳିଆ ସଫା କରିବାରେ ଲାଗିଥା’ନ୍ତି। ପାଖରେ ଥିବା ବ୍ୟାଗ୍‌ରୁ ଦାଆ ବାହାର କରି ଅନାବନା ଗଛ ସଫା କରିବା ସହ ଏଣେତେଣେ ପଡ଼ି ରହିଥିବା କାଠିକୁଟା ଓ ଗଛପତ୍ର ଆଦିକୁ ସେ ସଫା କରନ୍ତି।

ଏଥିପାଇଁ ତାଙ୍କୁ କିଏ ପ୍ରଶଂସା କରୁ ବା ନ କରୁ କିମ୍ବା ପାରିଶ୍ରମିକ ମିଳୁ ବା ନ ମିଳୁ ସେଥିପ୍ରତି ତାଙ୍କର ଧ୍ୟାନ ନ ଥାଏ। ଏହା ବ୍ୟତୀତ ଛକବଜାର ଓ ରାସ୍ତାର ଉଭୟ ପାର୍ଶ୍ବରେ ଅଳିଆ ଆର୍ବଜନା ପଡ଼ିଥିଲେ ସଫେଇ ପାଇଁ ଅଣ୍ଟା ଭିଡ଼ି ଦିଅନ୍ତି ସେ। ହେଲେ, ସ୍ବେଚ୍ଛାକୃତ ଭାବେ ଅଞ୍ଚଳରେ ସ୍ବଚ୍ଛତା ରଖିବା ପାଇଁ ସବୁବେଳେ ବ୍ୟସ୍ତ ରହୁଥିବା ବୃଦ୍ଧ ଉପେନ୍ଦ୍ର ଦୁଇ ଓଳି କ’ଣ ଖା’ନ୍ତି, ରାତି ହେଲେ କେଉଁଠି ଶୁଅନ୍ତି କେହି କେବେ ଜାଣିବାକୁ ଚେଷ୍ଟା କରି ନ ଥା’ନ୍ତି। ମହାକାଳପଡ଼ା ବ୍ଲକ୍‌, ଥାନା ଓ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବଚ୍ଛତା ରକ୍ଷା ପାଇଁ ନିଜସ୍ବ କର୍ମଚାରୀ ରହିଥିଲେ ବି ସ୍ବ‌େଚ୍ଛାକୃତ ଭାବେ ସେବା ପ୍ରଦାନ କରିବାରେ ବୃଦ୍ଧଙ୍କୁ କ’ଣ ଆନନ୍ଦ ମିଳେ ତାହା କେବଳ ସେ ହିଁ ଜାଣନ୍ତି।

ସମ୍ବନ୍ଧିତ ଖବର