ବ୍ୟକ୍ତିଗତ ପରାମର୍ଶଦାତା କରୋନା ଆକ୍ରାନ୍ତ ହେବା ପରେ ସଙ୍ଗରୋଧରେ ଡୋନାଲ୍ଡ ଟ୍ରମ୍ପ, କରୋନା ରିପୋର୍ଟକୁ ଅପେକ୍ଷା

ନୂଆଦିଲ୍ଲୀ: ସଙ୍ଗରୋଧରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତା ହୋପ୍ ହିକ୍ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଷ୍ଟ୍ରପତି ନିଜକୁ ସଙ୍ଗରୋଧ କରିଥିବା ଜଣା ପଡ଼ିଛି । ଟ୍ରମ୍ପଙ୍କ ସହିତ ତାଙ୍କର ପତ୍ନୀ ମେଲାନିଆ ଟ୍ରମ୍ପ ମଧ୍ୟ ଏବେ ସଙ୍ଗରୋଧରେ ରହିଛନ୍ତି ।

ବର୍ତ୍ତମାନ ଆମେରିକାରେ ନିର୍ବାଚନ ପାଖେଇ ଆସୁଥିବା ବେଳେ ବ୍ୟକ୍ତିଗତ ପରାମର୍ଶଦାତା କରୋନା ଆକ୍ରାନ୍ତ ହେବା ଖବର ଟ୍ରମ୍ପଙ୍କ ଚିନ୍ତା ବଢାଇ ଦେଇଛି । ଏହା ସହ ସଂକ୍ରମଣର ଆଶଙ୍କା ନେଇ ସେ ନିଜକୁ ସଙ୍ଗରୋଧ କରିଥିବାରୁ ପ୍ରଚାର କାମରେ ଏହା ଟ୍ରମ୍ପଙ୍କ ପାଇଁ ବଡ଼ ବାଧକ ସାଜିବ ବୋଲି ଜଣାଯାଇଛି  । ବର୍ତ୍ତମାନ ଆମେରିକାରେ ନିର୍ବାଚନ ଋତୁ । ହୋପ୍ ହିକ୍ , ଆମେରିକା ରାଷ୍ଟ୍ରପତିଙ୍କ ସହିତ ଏୟାରଫୋର୍ସ ୱାନରେ ସବୁ ସ୍ଥାନକୁ ଗସ୍ତ କରିଥାନ୍ତି । ନିକଟରେ ପ୍ରେସିଡେଣ୍ଟ ଡିବେଟ ପାଇଁ ହୋପ୍ ହିକ୍ ଟ୍ରମ୍ପଙ୍କ ସହିତ କ୍ଲିଓଲାଣ୍ଡ ଗସ୍ତ କରିଥିଲେ । ଏହାପରେ ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖା ଦେଇଥିଲା ।

ତାଙ୍କର କରୋନା ପରୀକ୍ଷା କରାଯିବା ପରେ ଏବେ ରିପୋର୍ଟ ପଜିଟିଭ୍ ଆସିଛି । ବ୍ୟକ୍ତିଗତ ପରାମର୍ଶଦାତା କରୋନା ଆକ୍ରାନ୍ତ ହୋଇଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ଟୁଇଟ୍ କରି ଜଣାଇଛନ୍ତି । ହୋପ୍ ହିକଙ୍କ ସଂସ୍ପର୍ଶରେ ଆସିଥିବାରୁ ଆମେରିକା ରାଷ୍ଟ୍ରପତି ଓ ତାଙ୍କର ପତ୍ନୀଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟକୁ ଅପେକ୍ଷା କରିବା ସହ ସେ ନିଜକୁ ସଙ୍ଗରୋଧ କରିଥିବା ନେଇ ଟୁଇଟ୍ ଜରିଆରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର