ଘସିପୁରା ଥାନା ଅଧୀନ ଶାଳପଡ଼ା ମିଶ୍ର କଲୋନିରେ ୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ, ୮୦ ବର୍ଷର ଅବସରପ୍ରାପ୍ତ ଯନ୍ତ୍ରୀ ଥାନାରେ ଅଟକ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅଧୀନ ଶାଳପଡ଼ା ମିଶ୍ର କଲୋନିରେ ଜଣେ ୬ବର୍ଷର ନାବାଳିକାଙ୍କୁ ୮୦ ବର୍ଷର ଅବସରପ୍ରାପ୍ତ ଯନ୍ତ୍ରୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହୋଇଥିଲେ ହେଁ ଏକ ଟ୍ବିଟ୍‌ ଯୋଗୁଁ ତାହା ସମ୍ଭବ ହୋଇନାହିଁ। ଏନେଇ ଡିଜିଙ୍କୁ ଟ୍ବିଟ୍ ମାଧ୍ୟମରେ ଜଣାଇବାପରେ ସ୍ଥାନୀୟ ପୁଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଶେଷଦେବ ନାୟକ (୮୦)ଙ୍କୁ ଉଠାଇ ନେଇଛି।

ପୁଲିସ ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଶେଷଦେବ ତାଙ୍କ ପଡ଼ୋଶୀ ଘରର ଜଣେ ୬ବର୍ଷର ନାବାଳିକାଙ୍କୁ ପ୍ରଲୋଭିତ କରି ନିଜ ଘର ଭିତରକୁ ନେଇ ଦୁଷ୍କର୍ମ କରିଥିଲେ। ଏ ବିଷୟରେ ନାବାଳିକାର ପରିବାର ଲୋକେ ଜାଣିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଘଟଣାକୁ ପ୍ରଘଟ ନକରିବାକୁ କଲୋନିର ଜନୈକ ପ୍ରଭାବଶାଳୀ ଠିକାଦାର ପରୋକ୍ଷରେ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ ପରିବାର ଭୟରେ ଏନେଇ ଚୁପ୍ ରହିଥିଲେ। ଆଜି ଏ ସମ୍ପର୍କରେ ସ୍ଥାନୀୟ ଜଣେ ଯୁବକ ଟ୍ବିଟ୍‌ ଯୋଗେ ପୁଲିସ ଡିଜିଙ୍କୁ ଜଣାଇଥିଲେ। ଡିଜି ଏନେଇ ତୁରନ୍ତ ଅନୁଧ୍ୟାନ କରିବାକୁ କେନ୍ଦୁଝର ଏସ୍‌ପିଙ୍କୁ ନିର୍ଦେଶ ଦେଇଥିଲେ। ଖବରପାଇ ଆଜି ଅପରାହ୍‌ଣ ୪ଟାବେଳେ ଘସିପୁରା ଥାନାର ଭାରପ୍ରାପ୍ତ ଅଧିକାରୀ ମନୋରଞ୍ଜନ ବିଶି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଶେଷଦେବଙ୍କୁ ନେଇ ଥାନାରେ ଅଟକ ରଖିଛନ୍ତି। ସମ୍ପୃକ୍ତ ନାବାଳିକାଙ୍କ ବୟାନ୍ ମଧ୍ୟ ରେକର୍ଡ କରାଯାଇଛି। ମାମଲା ରୁଜୁପରେ ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସଠାରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର