ଭ୍ୟାନ ଧକ୍କାରେ ବାଇକ ଆରୋହୀ ମୃତ,୨ଗୁରୁତର

ଧର୍ମଶାଳା: ଧର୍ମଶାଳା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ସାରୋଇ ଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ପିକଅପ୍ ଭ୍ୟାନ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି । ପାଣିକୋଇଲି ଥାନା ଶଙ୍ଖଚିଲା ଗ୍ରାମର ତିନିଜଣ ଯୁବକ ଏକ ପଲସର ବାଇକରେ ଭୁବନେଶ୍ୱରରୁ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ୍ ଭ୍ୟାନ ସହିତ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାପି କାଣ୍ଡି(୨୯)ଙ୍କ ମୃତ୍ୟୁ ହୋଇଥିବା ବେଳେ ଭାଲୁ ନାୟକ(୩୨) ଓ ସନ୍ତୋଷ ପାତ୍ର (୨୬) ଆହତ ହୋଇଥିଲେ । ଆହତ ଦ୍ୱୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବଡଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଭାଲୁର ଅବସ୍ଥା ଗୁରୁତର ଥିବାରୁ ତାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଧର୍ମଶାଳା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନକୁ ଜବତ କରିଛି , ଚାଳକ ଫେରାର୍ ହୋଇଯାଇଛି । ଉଲ୍ଲେଖ ଯୋଗ୍ୟ, ଏଠାରେ ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଥିବାରୁ ରାସ୍ତାର ଗୋଟିଏ ପାର୍ଶ୍ବରେ ଗାଡି ଚଳାଚଳ ହେଉଛି । ତେବେ ଦୁର୍ଘଟଣାକୁ ରୋକିବା ଲାଗି ଠିକାସଂସ୍ଥା ପକ୍ଷରୁ କୌଣସି ପ୍ରକାର ସଚେତନତା ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ।

ସମ୍ବନ୍ଧିତ ଖବର