ଚମ୍ପୁଆ ବିଧାନସଭା ନିର୍ବାଚନମଣ୍ତଳୀ : ସନାତନଙ୍କ ଉପରେ ନଜର

କେନ୍ଦୁଝର, (ସୁବ୍ରତ ସ୍ବାଇଁ): ବହୁଚର୍ଚ୍ଚିତ ବିଧାନସଭା ନିର୍ବାଚନମଣ୍ତଳୀ ଚମ୍ପୁଆ। ରାଜ୍ୟର ଅନ୍ୟତମ ଧନୀ ବିଧାନସଭା କ୍ଷେତ୍ରର ଆଖ୍ୟା ପାଇଥିବା ଏହି ନିର୍ବାଚନମଣ୍ତଳୀ ଏଥର କାହାକୁ ବାଛିବ ବିଧାୟକ? ପୂର୍ବପରି ସ୍ବାଧୀନ ପ୍ରାର୍ଥୀ ସନାତନ ମହାକୁଡ଼ଙ୍କ ମୁଣ୍ଡରେ ଜନସାଧାରଣ ଶିରପା ବାନ୍ଧିବେ ନା ଏହି ଆସନଟି ବିଜେଡି, କ˚ଗ୍ରେସ କିମ୍ବା ବିଜେପି ହାତକୁ ଯିବ? ବିଧାୟକ ସନାତନ ମହାକୁଡ଼ଙ୍କ ବିରୋଧରେ ବିଜେଡି ଭଲ ପ୍ରାର୍ଥୀ ଦେବ ନା ଅପେକ୍ଷାକୃତ ଦୁର୍ବଳ ପ୍ରାର୍ଥୀଙ୍କୁ ଦେଇ ତାଙ୍କୁ ବାଟ ଛାଡ଼ିଦେବ ? ଏମିତି ଅନେକ କଥାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିବାରେ ଲାଗିଛି।

ଏହି ନିର୍ବାଚନମଣ୍ତଳୀରେ ପଞ୍ଜିକୃତ ଭୋଟରଙ୍କ ସ˚ଖ୍ୟା ୨ଲକ୍ଷ ୧୨ ହଜାର ୭୫୨। ଏଠାରେ ୨୦୦୯ରେ ସ୍ବାଧୀନ ପ୍ରାର୍ଥୀ ଜିତୁ ପଟ୍ଟନାୟକ ବିଜୟୀ ହୋଇଥିଲେ। ସେତେବେଳେ ତାଙ୍କ ବିପକ୍ଷରେ ଲଢ଼ିଥିବା କ˚ଗ୍ରେସ ପ୍ରାର୍ଥୀ ସନାତନ ମହାକୁଡ଼ ପରାଜିତ ହୋଇଥିଲେ। ୨୦୦୯ରେ ଏହି ବିଜୟ-ପରାଜୟର ବ୍ୟବଧାନ ଥିଲା ମାତ୍ର ୧୫୭ ଖଣ୍ତ ଭୋଟ। ୨୦୧୪ ବିଧାନସଭା ନିର୍ବାଚନରେ ସନାତନ କିନ୍ତୁ କ˚ଗ୍ରେସ ପ୍ରାର୍ଥୀ ନ ହୋଇ ସ୍ବାଧୀନ ଭାବେ ଲଢ଼ି ବାଜି ମାରିଥିଲେ। ଅନ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ଥିଲେ ବିଜେଡିର ପପୁ ପମ୍‌ ପମ୍‌, ବିଜେପିର ଗିରୀଶ ମହାନ୍ତ ଓ କ˚ଗ୍ରେସର କ୍ଷେତ୍ରମୋହନ ମହାନ୍ତ।

ସେହିପରି ବିଜେଡିର ବିଦ୍ରୋହୀ ଭାବେ ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ କୁଶ ଆପଟ୍ଟ। ସନାତନ ମହାକୁଡ଼ ମୋଟ ୬୯,୬୩୫ ଖଣ୍ତ ଭୋଟ ପାଇଥିବା ବେଳେ କୁଶ ଆପଟ୍ଟ ପାଇଥିଲେ ୫୪,୯୫୭ ଖଣ୍ତ ଭୋଟ। ଏଠାରୁ ବିଜେଡି ପ୍ରାର୍ଥୀ ହୋଇଥିବା ତତ୍ତ୍ବ ପ୍ରକାଶ ଓରଫ୍‌ ପପୁ ପମ୍‌ ପମ୍‌ ପାଇଥିଲେ ମାତ୍ର ୧୦ ହଜାର ୨୩୩ ଖଣ୍ତ ଭୋଟ। ଅପରପକ୍ଷରେ କ˚ଗ୍ରେସ ପ୍ରାର୍ଥୀ କ୍ଷେତ୍ରମୋହନ ମାତ୍ର ୨ ହଜାର ୩୩୨ ଖଣ୍ତ ଓ ବିଜେପିର ଗିରୀଶ ମହାନ୍ତ ୭ ହଜାର ୭୦ ଖଣ୍ତ ଭୋଟ ପାଇଥିଲେ। ଏହି ନିର୍ବାଚନରେ କିନ୍ତୁ ଗୋଟିଏ ଚର୍ଚ୍ଚା ହେଉଥିଲା ଯେ ସନାତନଙ୍କ ବିଜୟ ପଥକୁ ସୁଗମ କରିବା ପାଇଁ ବିଜେଡି ପପୁ ପମ୍‌ ପମ୍‌ଙ୍କ ଭଳି ଅପେକ୍ଷାକୃତ ଦୁର୍ବଳ ପ୍ରାର୍ଥୀ ଦେଇଥିଲା। ଯଦିଓ ଏହାର କିଛି ପ୍ରମାଣ ନାହିଁ, ମାତ୍ର ଏହି କଥା ଜିଲ୍ଲାସାରା ଚର୍ଚ୍ଚା ହୋଇଥିଲା।

ଇତିମଧୢରେ ପରିସ୍ଥିତିରେ ଢେ଼ର ପରିବର୍ତ୍ତନ ହୋଇଛି। ଦୀର୍ଘ ୫ ବର୍ଷ ମଧୢରେ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟ ଦ୍ବାରା ସନାତନ ନିଜର ସ୍ଥିତିକୁ ବେଶ୍‌ ମଜଭୁତ କରିଥିବା ଲକ୍ଷ୍ୟ କରାଯାଉଛି। ସେହି ତୁଳନାରେ ବିଜେଡି ପଛରେ ପଡ଼ିଛି। ସେତେବେଳର ନିଲମ୍ବିତ ବିଜେଡି ନେତା କୁଶ ଆପଟ୍ଟଙ୍କ ଉପରୁ କିଛିଦିନ ତଳେ ନିଲମ୍ବନ ଉଠାଇ ଦଳ ପୁଣି କୋଳେଇ ନେଇଛି। ସେ ଆଶାୟୀ ଅଛନ୍ତି। କିନ୍ତୁ ବିଜେଡିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ରୀନା ବାରିକ, ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ ଓ ବିଜୟ ମହାକୁଡ଼ ମଧ୍ୟ ବିଜେଡି ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବା ଚର୍ଚ୍ଚା ଚାଲିଛି।

୨୦୧୪ ନିର୍ବାଚନର ସ୍ଥିତିକୁ ବିଜେଡି ଏଥର ପୁନରାବୃତ୍ତି କରିବ ନା ଲଢେ଼ଇ ଜୋର‌୍‌ଦାର କରିବ, ତାହା କିଛିଦିନ ପରେ ସ୍ପଷ୍ଟ ହେବ। ଅପରପକ୍ଷରେ ବିଜେପି ପକ୍ଷରୁ ଏବେ ଏହି ନିର୍ବାଚନମଣ୍ତଳୀ ପାଇଁ ମୁରଲୀ ଶର୍ମା, ଶ୍ରୀମନ୍ତ ତ୍ରିପାଠୀ, ଅଗୁନ ଚରଣ ମହାନ୍ତ ପ୍ରମୁଖ ଆଶାୟୀ ଅଛନ୍ତି। କ˚ଗ୍ରେସ ପକ୍ଷରୁ ଅଶୋକ ଠାକ୍କର, ବିପ୍ଳବ ମିଶ୍ର, ନିହାର ରଞ୍ଜନ ରାଉତ, ଆଲୋକ ମିଶ୍ର, ପାର୍ଥ ସାରଥି ପହି ପ୍ରମୁଖ ଆଶାୟୀ ଅଛନ୍ତି।

(ଚମ୍ପୁଆ) ୨୦୧୪ ନିର୍ବାଚନ ଫଳାଫଳ

ଦଳ             ପ୍ରମୁଖ ପ୍ରାର୍ଥୀ               ଭୋଟ
ସ୍ବାଧୀନ      ସନାତନ ମହାକୁଡ଼      ୬୯,୬୩୫
ସ୍ବାଧୀନ      କୁଶ ଆପଟ            ୫୪,୯୫୭
ବିଜେଡି      ତତ୍ବପ୍ରକାଶ ଶତପଥୀ    ୧୦,୨୩୩

ସମ୍ବନ୍ଧିତ ଖବର