ସରକାରୀ ଅର୍ଥ ଆତ୍ମସାତ ମାମଲା : କିରାଣିଙ୍କୁ ୫ ବର୍ଷ ଜେଲ୍‌

କେନ୍ଦୁଝର : ସରକାରୀ ଅର୍ଥ ଆତ୍ମସାତ ମାମଲାରେ ଜଣେ କିରାଣିଙ୍କୁ ଆଜି କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ଏମ୍‌ଏସ୍‌ ରେଖା ପ୍ରସାଦ ୫ ବର୍ଷ ସଶ୍ରମ କରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି। ୨୦୦୫ ଜୁଲାଇ ୨୪ ତାରିଖରୁ ୨୦୦୮ ମସିହା ପର୍ଯ୍ୟନ୍ତ ରଘୁନାଥ ନାଏକ ସାହାରପଡ଼ା ବ୍ଲକରେ କନିଷ୍ଠ କିରାଣି ଭାବେ କାର୍ଯ୍ୟ କରୁଥିଲେ। କାଗଜପତ୍ର ଅନୁସାରେ ଗୋଦାମରେ ୬୦୯ କୁଇଣ୍ଟାଲ ୪୬ କେଜି ଚାଉଳ ରହିବା କଥା। ଗୋଦାମରେ ମୁଠାଏ ବି ଚାଉଳ ନ ଥିଲା। ଗାଏବ ଚାଉଳର ମୂଲ୍ୟ ୭ ଲକ୍ଷ ୬୭ ହଜାର ୯୧୯ ଟଙ୍କା ଥିଲା। ଏହା ପୂର୍ବରୁ ଅଡିଟର ମଧ୍ୟ ସମାନ ରିପୋର୍ଟ ଦେଇଥିଲେ। ଏ ସଂପର୍କରେ ତତ୍କାଳୀନ ଭିଜିଲାନ୍ସ ଡିଏସ୍‌ପି ଶରତ କୁମାର ମହାପାତ୍ର ୨୦୦୯ ଜୁନ ୧୯ ତାରିଖରେ ନିଜଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଏହି ମାମଲାର ବିଚାର କରି କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ଏମ୍‌ଏସ୍‌ ରେଖା ପ୍ରସାଦ ୧୮ ଜଣ ସାକ୍ଷୀଙ୍କ ବୟାନ ଶୁଣିବା ପରେ ଆଜି ଶ୍ରୀ ନାଏକଙ୍କୁ ୫ ବର୍ଷ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ୬ ମାସ ଅଧିକ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ। ସରକାରଙ୍କ ପକ୍ଷରୁ ସ୍ପୋଶାଲ ପିପି ଦେବଦତ୍ତ ବିଶ୍ବାଳ ମାମଲା ପରିଚାଳନା କରୁଥିଲେ। ସୂଚନାଯୋଗ୍ୟ, ଶ୍ରୀ ନାଏକ ବର୍ତ୍ତମାନ କେନ୍ଦୁଝର ଡିଆରଡିଏରେ ବରିଷ୍ଠ କିରାଣି ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର