କୋଭିଡ୍ କଟକଣାରେ ପାଳନ ହେଉଛି ମା’ ତାରିଣୀଙ୍କ ଚଇତି ପର୍ବ; ସାଧାରଣ ଦର୍ଶନ ବନ୍ଦ

ଘଟଗାଁ (କେନ୍ଦୁଝର): କୋଭିଡ୍ କଟକଣାରେ ପାଳିତ ହେଉଛି କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ ତାରିଣୀଙ୍କ ଚଇତି ପର୍ବ। ଏହି ପର୍ବ ଗତ ୯ ତାରିଖରେ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୫ ତାରିଖରେ ଶେଷ ହେବ। ଆଜି ପଞ୍ଚମ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଦର୍ଶନ ବନ୍ଦ କରି ଦିଆଯାଇଛି। ବିଧି ରକ୍ଷା ପାଇଁ ବିନା ଭକ୍ତରେ ମା’ଙ୍କ ସମସ୍ତ ନୀତିକାନ୍ତି କରାଯାଇଛି। ଲକ୍ଷାଧିକ ଲୋକଙ୍କ ଗହଳଚହଳ ଲାଗୁଥିବା ଘଟଗାଁରେ ଆଜି ଖାଁ ଖାଁ ପରିବେଶ। ମନ୍ଦିର ପରିସର ମଧ୍ୟ ଫାଙ୍କା, ଯାହା ଭକ୍ତଙ୍କୁ ନିରାଶ କରିଛି।

ଜିଲ୍ଲା ପ୍ରଶାସନର ପୂର୍ବ ନିଷ୍ପତ୍ତି ଅନୁଯାୟୀ ୭ ଦିନ ଧରି ହେଉଥିବା ଚଇତି ପର୍ବର ଦୁଇଦିନ ଯଥା ୧୩ ଓ ୧୪ ତାରିଖ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ଭକ୍ତଙ୍କ ସାଧାରଣ ଦର୍ଶନ ବନ୍ଦ କରାଯାଇଛି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଜି ମନ୍ଦିର ବନ୍ଦ ରହିଛି। ଆସନ୍ତାକାଲି ମହାବିଷୁବ ପଣା ସଂକ୍ରାନ୍ତିରେ ମଧ୍ୟ ମନ୍ଦିର ବନ୍ଦ ରହିବ। ସାଧାରଣତଃ ପଣା ସଂକ୍ରାନ୍ତିରେ ଏଠାରେ ଦୁଇରୁ ତିନି ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଏଥର ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନରୁ ବଞ୍ଚିତ ରହିବେ। ତେବେ ୧୫ତାରିଖ ଚଇତି ପର୍ବର ଶେଷ ଦିନରେ ଭକ୍ତମାନଙ୍କୁ ଦର୍ଶନ କରିବାର ସୁଯୋଗ ମିଳିପାରିବ ବୋଲି ଜଣାପଡ଼ିଛି।

ଆଜି ମଙ୍ଗଳବାର ଚଇତି ପର୍ବର ପଞ୍ଚମ ଦିନରେ ଭୋର ୩ଟାରୁ ସେବାୟତମାନେ ମା’ଙ୍କର ମହାସ୍ନାନ, ବଡ଼ସିଂହାର, ମାଜଣା, ଦୀପ ପ୍ରଜ୍ଜ୍ବଳନ ଇତ୍ୟାଦି ନୀତିକାନ୍ତି ସମାପନ କରି ସୁନାବେଶ କରିଥିଲେ। ଆଜି ଦିନ ତମାମ ମା’ଙ୍କର ବିଭିନ୍ନ ନୀତିକାନ୍ତି ରହିଛି। ଅନ୍ୟପକ୍ଷରେ ମନ୍ଦିର ପ୍ରଶାସନ ତରଫରୁ ନିଆଯାଇଥିବା ନିଷ୍ପତ୍ତିକୁ ମାନି ଘରେ ରହି ମା’ଙ୍କୁ ଆରାଧନା କରନ୍ତୁ ବୋଲି ଟ୍ରଷ୍ଟବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର