ପ୍ରଧାନମନ୍ତ୍ରୀ ରାସ୍ତା କାମ ନିମ୍ନମାନର

ତେଲକୋଇ: ତେଲକୋଇ ପିଡବ୍ଲ୍ୟୁଡି ରାସ୍ତାରୁ ତଳସାହି ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ପ୍ରଧାନମନ୍ତ୍ରୀ ରାସ୍ତା କାମ ନିମ୍ନମାନର ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ରାସ୍ତା କାମ ଚାଲୁଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଅନୁପସ୍ଥିତ ରହୁଥିବାରୁ ଠିକାଦାର ମନମୁଖୀ କାମ କରୁଛନ୍ତି। ୩ କିମି ୨୬ ମିଟର ରାସ୍ତା ନିର୍ମାଣ ପାଇଁ ୧ କୋଟି ୨୯ ଲକ୍ଷ ୧୯ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି। ରାସ୍ତା ପାଇଁ ମାଟି ବିଛା କାମ ଆରମ୍ଭ ହୋଇଛି। ସଂପୃକ୍ତ ଠିକାଦାର ନିକଟସ୍ଥ ଜମିମାଳରୁ ନିମ୍ନମାନର ପଙ୍କ ମାଟି ଆଣି ରାସ୍ତାରେ ପକାଉଛନ୍ତି। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ରାସ୍ତାରେ ପଙ୍କୁଆ ମାଟି ବିଛାଇବା ଯୋଗୁଁ ଏହାର ସ୍ଥାୟିତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଛା ଯାଇଥିବା ମାଟିକୁ ଉଠାଇ ରାସ୍ତାରେ ଉପଯୁକ୍ତ ମାଟି ପକାଇବାକୁ ନାରାୟଣ ଚନ୍ଦ୍ର ପ୍ରଧାନ, ରମେଶ ଚନ୍ଦ୍ର ପ୍ରଧାନ, ସୁରେଶ ଦେହୁରୀ, ଯୁଗଳ କିଶୋର ପ୍ରଧାନ, ରବିନାରାୟଣ ଦେହୁରୀ, ମଧୁସୂଦନ ବେହେରା, ନିରଞ୍ଜନ ପ୍ରଧାନ, ପଳଉ ଦେହୁରୀ ବିଭାଗୀୟ ଅଧିକାରୀଙ୍କୁ ଭେଟି ଦାବି କରିଛନ୍ତି। ଏନେଇ ଆର୍‌ଡି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତପନ କୁମାର ବେହେରାଙ୍କୁ ପଚାରିବାରୁ, ଲୋକେ ଗତକାଲି ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। ରାସ୍ତାରେ ଉପଯୁକ୍ତ ମାଟି ପକାଇବାକୁ ସଂପୃକ୍ତ ଠିକାଦାରକୁ କୁହାଯିବ ବୋଲି ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର