ଛାତ୍ରର ଉନ୍ମତ୍ତକାଣ୍ଡ : ସହପାଠୀ ଛାତ୍ରୀଙ୍କୁ କଟୁରିରେ ହାଣିଲା

ଆନନ୍ଦପୁର : ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ କେନ୍ଦୁଝର ଆନନ୍ଦପୁର ଥାନା ଅନ୍ତର୍ଗତ ଫକୀରପୁର ସିଟି ସ୍କୁଲର ଜଣେ ଛାତ୍ର ତୁମୁଳକାଣ୍ଡ ଘଟାଇଛି। ସେହି ଶିକ୍ଷାନୁଷ୍ଠାନର ଜଣେ ଛାତ୍ରୀଙ୍କୁ ଏକ ଧାରୁଆ‌ କଟୁରିରେ ହାଣି ଲହୁଲୁହାଣ କରିଛି। ଗୁରୁତର ଅବସ୍ଥାରେ ସମ୍ପୃକ୍ତ ଛାତ୍ରୀଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ଛାତ୍ର ଯାଜପୁରର ବଳଭଦ୍ର ଜେନାଙ୍କୁ ପୁଲିସ ଗିରଫ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ସିଟି ସ୍କୁଲର ଦ୍ବିତୀୟ ବର୍ଷରେ ପଢ଼ୁଥିବା ଯାଜପୁର ଅଞ୍ଚଳର ଜଣେ ଛାତ୍ରୀ ହଷ୍ଟେଲରେ ରହୁଥିଲେ। ବଳଭଦ୍ର ତାଙ୍କୁ ବାରମ୍ବାର ପ୍ରେମ ନିବେଦନ କରୁଥିଲା। ଛାତ୍ରୀ ଜଣକ ଏଥିରେ ଅରାଜି ହୋଇଥିଲେ। ପ୍ରେମରେ ବିଫଳ ହେବା ପରେ ପ୍ରତିଶୋଧପରାୟଣ ହୋଇପଡ଼ିଥିଲା ବଳଭଦ୍ର। ଆଜି ଦିନ ସାଢେ ୧୦ଟା ବେଳେ ବଳଭଦ୍ର ଏକ କଟୁରିରେ ଛାତ୍ରୀଙ୍କୁ ଅତି ନିର୍ମମଭାବେ ହାଣି ପକାଇଥିଲା। ଛାତ୍ରୀଙ୍କ ଚିତ୍କାର ଶୁଣି ସ୍କୁଲର ଅନ୍ୟ ଛାତ୍ରଛାତ୍ରୀ ସେଠାରେ ପହ‌ଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଚିକିତ୍ସ‌ା ପାଇଁ ଆନନ୍ଦପୁର ଡାକ୍ତରଖାନା ଆଣିଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଛାତ୍ରୀଙ୍କ ଡାହାଣ ଜଂଘ, ଗୋଡ଼ ଓ ବାମ ହାତର ଚାରୋଟି ସ୍ଥାନରେ କଟୁରି ଚୋଟ ଲାଗିଛି ବୋଲି ଡାକ୍ତର କହିଛନ୍ତି।

ଘଟଣା‌ ସମ୍ପର୍କରେ ଖବର ପାଇ ଆନନ୍ଦପୁର ପୁଲିସ ଓ ସ୍ଥାନୀୟ ଲୋକେ ସିଟି ସ୍କୁଲ ପରିସରରେ ପହ‌ିଞ୍ଚିଥିଲେ। ବଳଭଦ୍ର ଏକ ଘର ଭିତରେ କବାଟ ବନ୍ଦ କରି ରହିଥିଲା। ଦୀର୍ଘ ଦେଢ଼ଘଣ୍ଟା ପରେ ଅଗ୍ନିଶମ ବାହିନୀ କବାଟ ତାଡ଼ି ତାକୁ ବାହାର କରିବା ପରେ ପୁଲିସ ଗିରଫ କରିଛି। ବଳଭଦ୍ର ତାଙ୍କୁ ପ୍ରେମ ନିବେଦନ କରି ଆସୁଥିଲେ। ସେ ମନା କରିବାରୁ ଏଭଳି କାଣ୍ତ ଭିଆଇଛି ବୋଲି ଆକ୍ରମଣର ଶିକାର ହୋଇଥିବା‌ ଛାତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଘଟଣା ପରେ ଛାତ୍ରଛାତ୍ରୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର