ମଣ୍ଡିରେ ଅଖା ଜାଲିଆତି ନେଇ ଧାରଣା 

ଖୋର୍ଦ୍ଧା: ଧାନମଣ୍ଡି ଗୁଡ଼ିକରେ ଚାଷୀ ଯେଉଁ ଅଖାରେ ଧାନ ନେଇ ଆସେ ସେମାନଙ୍କୁ ନିୟମାନୁସାରେ ଅଖାର ପ୍ରାପ୍ୟ ମିଳୁନଥିବା ଓ ଏଥିରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ କରି ଆଜି ସୂଚନା ଅଧିକାର କର୍ମୀ ବିଭୂତି ଭୂଷଣ ଦାଶ ଜିଲ୍ଳାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସୂଚନାଧିକାର କର୍ମୀ ଶ୍ରୀ ଦାଶଙ୍କ ଅଭିଯୋଗ ଅନୁସାରେ, ଧାନମଣ୍ଡିରେ ଚାଷୀଙ୍କୁ ଧାନ ଅଖା ବାବଦରେ ପ୍ରାପ୍ୟ କିମ୍ବା ଅଖା ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।

କିନ୍ତୁ ମିଲରମାନେ ଯୋଗାଣ ବିଭାଗ ଓ ସମବାୟ ସମିତି ସହ ସଲାସୁତୁରା କରି ଏହି ଅଖା ବାବଦକୁ ଟଙ୍କା ଆତ୍ମସାତ କରୁଛନ୍ତି। ଏନେଇ ସେ ସୂଚନା ଅଧିକାରୀ ଆଇନରେ ତଥ୍ୟ ମଗାଇଥିଲେ। ଚଳିତ ବର୍ଷ ୧୮ ମଇରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଦେଇଥିବା ତଥ୍ୟାନୁସାରେ, ୨୦୧୫-୧୬ ଖରିଫ ଋତୁରେ ୨୮୯୯ ଅଖା ବାବଦକୁ ୭୧ଲକ୍ଷ ୩୧ହଜାର ୯୮୯ଟଙ୍କା, ୨୦୧୬-୧୭ରେ ୩୨୬୮ ଅଖା ବାବଦକୁ୧ କୋଟି ୪୮ଲକ୍ଷ ୧୫ ହଜାର ୯୯୫ ଟଙ୍କା, ୨୦୧୭-୧୮ରେ ୨୫୫୫ ଅଖା ନିମେ‘ ୭୪ଲକ୍ଷ ୪୮ ହଜାର ୭୩୨ଟଙ୍କା, ୨୦୧୮-୧୯ରେ ୪୦୪୭ ଅଖା ବାବଦକୁ ୭୦ଲକ୍ଷ ୬୦ହଜାର ୪୯୩ ଟଙ୍କା ପ୍ରଦାନ କରାଯାଇଛି। ତେବେ ୨୦୧୯-୨୦ ୨୫୫୮ ଅଖା ବାବଦକୁ କେତେ ଦିଆଯାଇଛି ସେନେଇ ତଥ୍ୟ ଦେଇନାହାନ୍ତି। ଏହି ଦୁର୍ନୀତିର ପର୍ଦ୍ଦାଫାସ ହେବା ପରେ ଲୋକାୟୁକ୍ତଙ୍କ ନିକଟରେ କରାଯାଇଥିବା ଅଭିଯୋଗର ପ୍ରତ୍ୟୁତ୍ତରେ ଜିଲ୍ଲା ଯୋଗାଣ ବିଭାଗ ଭୁଲ ତଥ୍ୟ ଦେଇଛି ଏହାର ପ୍ରତିବାଦରେ ସେ ଧାରଣାରେ ବସିଛନ୍ତି।

ଆଜି ସକାଳେ ଶ୍ରୀ ଦାଶ ଧାରଣାରେ ବସିବା ପରେ ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ଯୋଗାଣ ଅଧିକାରୀ ଅନାମ ଚରଣ ସ୍ୱାଇଁ, ବିପ୍ପଣନ ଅଧିକାରୀ ପ୍ରମୁଖ ଧାରଣା ସ୍ଥଳରେ ପହଂଚିଥିଲେ। ଯେଉଁ ମଣ୍ଡିରେ ମିଲରଙ୍କ ଠାରୁ ଅଖା ମିଳୁନଥିବା ଅଭିଯୋଗ ହେବ ସେଠାରେ ସମ୍ପୃକ୍ତ ମିଲରଙ୍କ ବିରୋଧରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ଏହା ସହ ଅଖା ଯେଭଳି ସମସ୍ତ ଚାଷୀ ପାଇବେ ସେନେଇ ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧିତ ଖବର