କରୋନା ଛାଟରେ ହାରିଯାଇନାହାନ୍ତି ଏହି ୧୦ ପରିବାର; ଦୁଃଖ ଭିତରେ ଜାରି ରହିଛି ଜୀବନ ସଂଗ୍ରାମ

ଜୟପୁର : ପାହାଡ ଉପରେ ଘର ହୋଇଥିବାରୁ ବିପନ୍ନ ଜୀବନ ‌ଜିଉଁଛନ୍ତି ଏକାଧିକ ପାହାଡି ପରିବାର। ଘର କହିଲେ କେବଳ ଉପରେ କେତୋଟି ଟାଇଲ, ଚାରି ପଟେ ମାଟିଇଟାର କାନ୍ଥ। ବର୍ଷାଦିନେ ଜୀବନ ସହ ବାଜି ଲଗାଇ ରହନ୍ତି ଏହି ଗାଁରେ। ଆମେ କହୁଛୁ କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ବାରିଣିପୁଟ ପଞ୍ଚାୟତ ଅଧୀନରେ ରହିଥିବା ପାହାଡିଆ ଲାଠିଗୁଡା ଗାଁରେ ରହୁଥିବା ୧୦ଟି କନ୍ଧ ପରିବାରଙ୍କ କଥା। ଉଭୟ ରାଜ୍ୟ ଓ କ‌େନ୍ଦ୍ର ସରକାର ବିକାଶ ଡିଣ୍ଡିମ ପିଟୁଥିବାବେଳେ ଏବେ ବି ବିକାଶ ଏଠି ସାତ ସପନ।

ପୂର୍ବରୁ ଏହି ଦଶଟି ପରିବାର ଯେପିରି ସେପରି ରହୁଥିବା ବେଳେ କରୋନା କାଳରେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏବେ ଧୀରେ ଧୀରେ ତେଲଲୁଣର ସଂସାରରେ ସାମାନ୍ୟ ଉନ୍ନତି ଦେ୍‌ଖିବାକୁ ମିଳିଛି। ସରକାରଙ୍କ ପକ୍ଷରୁ କାହାକୁ ସାମାଜିକ ସୁରକ୍ଷାରେ ଚାଉଳ, ଭତ୍ତା ଓ ଡାଲି ମିଳିଥିବା ବେଳେ କାହାକୁ ଏବେ ବି ଅପହଞ୍ଚ। ଯାହାକୁ ମିଳିଛି ତାହା ସମୁଦ୍ରକୁ ଶଙ୍ଖେ ପରି। ତିନିଟି ପାହାଡ ମଧ୍ୟରେ ଏହି ଗାଁ ରହିଥିବାରୁ ଏହିଠାରେ ସ୍ବାସ୍ଥ୍ୟସେବା ଖାଲି ଯେ ଅପହଞ୍ଚ ତାହା ନୁହେଁ ବିକାଶ ‘ବ’ ଅକ୍ଷର ଏବେ ଯାଏ ଏମାନଙ୍କ ନିକଟରେ ପହଞ୍ଚି ନାହିଁ। ଏପରି ସ୍ଥିତିରେ ବିପର୍ଣ୍ଣ ପରିବାରଙ୍କ ନିକଟରେ ପହଞ୍ଚିଥିଲା ‘ସମ୍ବାଦ’ ଟିମ। ଏହାକୁ ନେଇ ଆମର ସ୍ବତନ୍ତ୍ର ରିପୋର୍ଟ…..

 

ସୁଆଁ ଚାଷରେ ପ୍ରାଣୀଙ୍କ ପେଟକୁ ଦାନା ଯାଉଛି: ସନ୍ତାରୀ କନ୍ଧ

ଦିନରେ ତିନି ପୁଅ ମୂଲ ଲାଗୁଥିଲେ ସନ୍ଧ୍ୟାରେ ଜଳୁଥିଲା ଚୁଲି। ଯେଉଁଦିନ ମୂଲ ନାହିଁ ସେଦିନ ଖାଦ୍ୟ ନାହିଁ। ଲକଡାଉନ ସମୟରେ କାମ ନ ମିଳିବାରୁ ସଞ୍ଚିଥିବା ଅର୍ଥ ବି ଶେଷ ହୋଇଯାଉଥିଲା। ବାଧ୍ୟ ହୋଇ ଜଙ୍ଗଲ ଜମିରେ ଆରମ୍ଭ କରିଥିଲେ ସୁଆଁ ଚାଷ। ପ୍ରାୟ ଦେଢ ଏକର ଜମିରୁ ମିଳିଛି ଅଢେଇ ବସ୍ତା ସୁଆଁ। ଏହି ସୁଆଁକୁ ବିକି ପେଟ ପୋଷୁଥିବା ସେ କହିଛନ୍ତି। ଖାଲି ସେତିକି ନୁହେଁ,  ବିଧବା ଭତ୍ତା ମିଳୁଥିବାବେଳେ ୬ କିଲୋମିଟର ପାହାଡିଆ ରାସ୍ତା ଦେଇ ବାରିଣପୁଟକୁ ଗଲେ ଏହି ସୁବିଧା ହସ୍ତଗତ ହୁଏ। ସେହିପରି ତାଙ୍କୁ ସାମାଜିକ ସୁରକ୍ଷାରେ କେବଳ ଚାଉଳ ମିଳିଥିବା ଅନ୍ୟ କିଛି ମିଳି ନ ଥିବା ଜଣାପଡିଛି। ଘର ଫୁଟି ଯାଇଥିବାବେଳେ ଏବେ ଯାଏ ତାଙ୍କୁ ଘରପଟା ମିଳି ନ ଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କୌଣସି ବାସଗୃହ ଯୋଜନାରେ ସାମିଲ କରାଯାଇ ନାହିଁ। କରୋନା ସେ ଚାଷ ସହ ମୂଲ କାମ କରୁଥିବାରୁ ଲକଡାଉନ ହେତୁ ଏହା ବନ୍ଦ ହୋଇଯାଇଥିଲା। ଫଳରେ ପାହାଡରେ ସୁଆ, ମାଣ୍ଡିଆ ଓ ପନିପରିବା ଚାଷ କରୁଥିଲେ। କିନ୍ତୁ ପନିପରିବା ବିକ୍ରି ହୋଇ ନ ଥିବାରୁ ସବୁ ପଚିଷଢ଼ି ଯାଇଥିଲା ବୋଲି ସେ କହିଛନ୍ତି।

 

ତିନିଟି ପାହାଡ ଡେଇଁଲେ ମିଳେ ଚାଉଳ

ସାନି କନ୍ଧ। ବୟସ ୭୮ ଛୁଇଁଲାଣି। ଯେଉଁ ବୟସରେ ନାତିନାତୁଣୀଙ୍କ ସହ ସମୟ ବିତାଇବା କଥା ସେହି ସମୟରେ ପାହାଡ ଚଢି କରୁଛନ୍ତି ବିଭିନ୍ନ ରକମର ଚାଷ। ଦୁଇ ପୁଅ ମୂଲ କାମକୁ ଯାଉଥିବାବେଳେ ସେଥିରୁ ଯାହା ମିଳୁଛି ସେଥିରେ ପରିବାର ଚଳୁଛି। କରୋନା ପାଇଁ ମାର୍ଚ୍ଚ ମାସରୁ ଲକ୍‌ ଡାଉନ ହୋଇଯିବା ଫଳରେ ବର୍ଷାଦିନ ପାଇଁ ଖାଦ୍ୟ ସଞ୍ଚିପ‌ାରିଲେନି ସାନି। ପୁଅ ଦୁଇ ଜଣଙ୍କ ରାସନକାର୍ଡ ନ ଥିବାବେଳେ ମା’ର ରାସନ କାର୍ଡରେ ଯେତିକି ଯାହା ମିଳିଥିଲା ତାହା ମାସେ ଦୁଇମାସରେ ଶେଷ ହୋଇଗଲା। ଏବେ ଭଗବାନଙ୍କ ଭରସାରେ ପରିବାର ଚାଲିଥିବା ସେ କହିଛନ୍ତି। ତେବେ ଏହି ସାମାଜିକ ସୁରକ୍ଷା ମଧ୍ୟ ତିନିଟି ପାହାଡକୁ ଡେଇଁଲେ ମିଳେ। ସକାଳୁ ବାହାରିଲେ ରାତି ୭ଟାରେ ଚାଉଳ ଧର ପହଞ୍ଚନ୍ତି ଘରେ।

 

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସମସ୍ୟାରେ ସିତିମେଇ

ସିତିମେଇ କନ୍ଧ। ବୟସ ୭୨ ଡେଇଁଲାନି। ଆଖିକୁ ଦୁଶିନି କି ଆଜିକାଲି ଆଉ ଦେହ ଭଲ ରହୁନି। ୪ ଚାରି ପୁଅ ଏବେ ପାରିବାର ହୋଇଥିବାବେଳେ ନିଜ ନିଜ ପରିବାର ଦେଖୁଛନ୍ତି। କନ୍ଧ ସମ୍ପ୍ରଦୟର ହୋଇଥିବାରୁ ଯେତବେ‌ଳ ଯାଏ ହାତପାଦ ଚାଲୁଛି ସେବେ ଯାଏ ଅନ୍ୟ ଉପରେ ନିର୍ଭର ନ କରି ନିଜ ଖାଇବା ନିଜେ କରିବେ। ସେଥିପାଇଁ ମାଣ୍ଡିଆ, ସୁଆଁ ଓ ପନିପରିବା ଚାଷ କରି ଚଳୁଛନ୍ତି ସିତିମେଇ। ଜମି ଜମା ନ ଥିବାରୁ ପାହାଡିଆ ଜମିରେ କେବଳ ବର୍ଷାଦିନେ ବୁଣା ହୁଏ ସୁଆଁ ଓ ମାଣ୍ଡିଆ।  ଏହାସହ ପନିପରିବା ହେଉଥି        ବାବେଳେ ଅନ୍ୟ ସମୟରେ ଏହା ହେଉନାହିଁ। ତେବେ ଲକଡାଉନରେ କରିଥିବା ପନିପରିବା ବିକ୍ରିବଟାକୁ ନେଇ ନହେବା ଜମିରେ ପଚି ଷଡି ଯାଉଛି ବୋଲି ସେ କହିଛନ୍ତି। ସେହିପରି ଦୀର୍ଘ ଦିନ ହେବ ସେମାନଙ୍କୁ ମିଳୁନି ଘର ଖଣ୍ଡିଏ। ଭଙ୍ଗା ଘରେ କାଳତିପାତ କରୁଥିବାବେଳେ ସରକାର ବିଭିନ୍ନ ଯୋଜାନାରେ ହେଉଥିବା ଘର କାହାକୁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଜସ୍ମିନଙ୍କର  ନାହିଁ ସର୍ବନିମ୍ନ ଆବଶ୍ୟକତା

ପାହାଡ ଉପରେ ରହୁଥିବାରୁ କିଛି ବି ସୁବିଧା ନାହିଁ। ଛୋଟ ଛୋଟ ତିନି ପୁଅ ଝିଅ ସହ ସ୍ବାମୀ ଚନ୍ଦ୍ର ସାଆନ୍ତାଙ୍କ ସହ ରହୁଛନ୍ତି। କିନ୍ତୁ ଦୀର୍ଘ ଦିନ ହେବ ଘର ଚାଳରୁ ପାଣି ଗଳୁଥିବା ବେଳେ ଘର ଏବେ ଯାଏ ମିଳିପାରିନାହିଁ। ଏପରିକି ସରକାରଙ୍କର ପକ୍ଷରୁ ଦିଆଯାଉଥିବା ପଟ୍ଟା ଯୋଜନାରେ ସାମିଲ କରାଯାଇ ନାହିଁ। ଲକ ଡାଉନ ସମୟରେ ତାଙ୍କ ସ୍ବାମୀ ଚନ୍ଦ୍ରକୁ କୌଣସି କାମ ନ ମିଳିବାରୁ ପାହାଡରେ ଚାଷ କରୁଥିଲେ। ସେତିରୁ ଯାହା ମିଳୁଛି ସେଥିରେ ପରିବାର ଚଳୁଛି। ହେଲେ କୁନି କୁନି ପିଲାଙ୍କୁ ମିଳୁନି ସ୍ବାସ୍ଥ୍ୟକର ଖାଦ୍ୟ,  ଯାହା ଫଳରେ ସେମାନେ ଦିନକୁ ଦିନ ଦୁର୍ବଳ ହେଉଥିବା ସେ କହିଛନ୍ତି।

 

ସମ୍ବନ୍ଧିତ ଖବର