ବାଲ୍ୟ ବିବାହ ରୋକିଲା ଚାଇଲଡ୍‌ ଲାଇନ୍‌

କୋରାପୁଟ: କୋରାପୁଟ ବ୍ଲକର ଡୁମୁରିପଦରରେ ଚାଲିଥିବା ବାଲ୍ୟ ବିବାହକୁ ରୋକିଲା ଚାଇଲଡ ଲାଇନ୍‌। ବାଲ୍ୟ ବିବାହ ସଂପର୍କରେ ଗଣମାଧ୍ୟମ ଠାରୁ ଚାଇଲଡ୍‌ ଲାଇନ ସୂଚନା ପାଇବା ପରେ ଡୁମୁରିପଦର ଗ୍ରାମରେ ପହଞ୍ଚିଥିଲା। ସେଠାରେ ନାବାଳିକା, ତାଙ୍କ ପରିବାର ଏବଂ ଯୁବକଙ୍କ ସହିତ ଆଲୋଚନା କରି ଚୁକ୍ତିନାମା କରିବା ପରେ ଛାଡି ଦେଇଥିଲା।
ମିଳିଥିବା ସୂଚନା ଅନୁସାରେ, ନାରାୟଣପାଟଣା ବ୍ଲକ ବିଜାଘାଟି ସ୍କୁଲରେ ପଢୁଥିବା ସେହି ଗ୍ରାମର ୭ମ ଶ୍ରେଣୀ ଛାତ୍ରୀ ସହିତ କୋରାପୁଟ ବ୍ଲକ ଡୁମୁରିପଦର ଗ୍ରାମର ନିରଂଜନ ଚୌଧୁରୀଙ୍କ ବିବାହ ସ୍ଥିର ହୋଇଥିଲା। ଆଜି ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ଏ ସଂପର୍କରେ ଗଣମାଧ୍ୟମ ଠାରୁ ଚାଇଲଡ ଲାଇନ୍‌ ସୂଚନା ପାଇବା ପରେ ଦାମନଯୋଡି ପୁଲିସ ସହାୟତାରେ ପ୍ରଥମେ ବିଜାଘାଟିରେ ପହଞ୍ଚିଥିଲେ। ସେଠାରେ କନ୍ୟା ପରିବାର ସଂପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ବିବାହ ସ୍ଥଳ ଡୁମୁରିପଦରେ ପହଞ୍ଚିଥିଲେ। ବିବାହ ସ୍ଥଳରେ ପହଞ୍ଚି କନ୍ୟା, ତାଙ୍କ ପରିବାର ଏବଂ ବର ପରିବାର ସହ ଆଲୋଚନା କରି ବିବାହ ରୋକିବାରେ ସଫଳ ହୋଇଥିଲେ। କନ୍ୟା ପରିବାର ବାଲ୍ୟ ବିବାହକୁ ଭୁଲ ସ୍ୱୀକାର କରିଥିଲେ। ଉଭୟ ପରିବାର ସହ ଚୁକ୍ତିନାମା ହୋଇଥିଲା। କନ୍ୟାକୁ ୧୮ ବର୍ଷ ପରେ ବିବାହ କରିବାକୁ ପରିବାର ଲୋକେ ରାଜି ହୋଇଥିଲେ। ଏହି ଚଢାଉରେ ଚାଇଲଡ୍‌ ଲାଇନ୍‌ ଟିମ ଲିଡର ବସନ୍ତ ପ୍ରଧାନ, ସିଡିପିଓ ପ୍ରତିନିଧି ସବିତା ମନ୍ଦର, ଡିସିପିଓ କାର୍ଯ୍ୟାଳୟର କାଉଲସିଲର କୋକଳି ମିଶ୍ର ଏବଂ ଦାମନଯୋଡି ଥାନା ଏଏସ୍‌ଆଇ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର