ପଦାବାଗ୍ରୀରେ ଥମୁନି ଝାଡ଼ାବାନ୍ତି

ଦଶମନ୍ତପୁର: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡା ପଞ୍ଚାୟତ ଅନ୍ତର୍ଗତ ପଦାବାଗ୍ରୀ ଗ୍ରାମ‌ରେ ପୁଣି ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗତ ଶୁକ୍ରବାର ଦିନ ଗ୍ରାମର ୨ଜଣଙ୍କ ମୃତ୍ୟୁ ଘଟିଥିଲା। ଏପରିକି ୬ଜଣ ଆକ୍ରାନ୍ତ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ତେବେ ଆଜି ପୁଣି ଗ୍ରାମର ୫ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି ହେବା ପରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।
ସୂଚନା ଅନୁଯାୟୀ, ପଦାବାଗ୍ରୀ ଗ୍ରାମର ବଣ୍ଡୁରୁ ଜାନୀ(୪୦), କାତୁରୁ ଜାନୀ(୫୦), ଚନ୍ଦ୍ର ଜାନୀ(୪୦), ଜଟାଇ ଜାନୀ(୫୦) ଓ ମାମାଲି ସଗର(୩)ଙ୍କୁ ଆଜି ଝାଡ଼ାବାନ୍ତି ହେବା ସହ ମୁଣ୍ଡ ବୁଲାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକ ସମସ୍ତଙ୍କୁ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ଡା. ଜୀବନ ଜ୍ୟୋତି ଜେନା ଓ ଡା. ଚିତ୍ତରଂଜନ ଜେନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରଖିଛନ୍ତି। ଏନେଇ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ପଚାରିବାରୁ କୌଣସି ମୃତ ପଶୁର ମାଂସ ଖାଇବା ପରେ ସମସ୍ତେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଥିବା କହିଛନ୍ତି। ଆକ୍ରାନ୍ତଙ୍କ ରକ୍ତ ନମୁନା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରୀକ୍ଷାଗାରକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ଏହାର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ଦେଇଛନ୍ତି। ଅନ୍ୟପଟେ ଗାଁରେ ଝାଡ଼ାବାନ୍ତି ବ୍ୟାପିବା ପରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଶୀଘ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ଡାକ୍ତରୀଦଳ ଗାଁରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର