କୋରାପୁଟ: ପୁଲିସ ବେଶରେ କରୁଥିଲେ ଡକାୟତି ଉଦ୍ୟମ, ଓଡ଼ିଶା-ମଧ୍ୟପ୍ରଦେଶ-ବିହାରର ୮ ଦୁର୍ବୃତ୍ତ ଗିରଫ

ଜୟପୁର: ପୁଲିସ ବେଶରେ ଡକାୟତି ପାଇଁ ଯୋଜନା କରୁଥିବା ୮ ଡକାୟତକୁ ଟାଉନ୍‌ ଥାନା ପୁଲିସ ଶୁକ୍ରବାର ରାତି ଗିରଫ କରିଛି। ଡକାୟତି ପାଇଁ ଓଡ଼ିଶା, ବିହାର ଓ ମଧ୍ୟପ୍ରଦେଶର ଦୁର୍ବୃତ୍ତମାନେ କାମ କରୁଥିଲେ। ସେମାନେ ମଧ୍ୟରାତ୍ରିରେ ପାଓ୍ଵାର ହାଉସ୍‌ ଛକରେ ବସି ଡକାୟତି ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ଟାଉନ୍‌ ଥାନା ପୁଲିସ ଅତର୍କିତ ଭାବରେ ଚଢ଼ଉ କରିଥିଲା।

ପୁଲିସ କହିଛି, ଘଟଣାସ୍ଥଳରୁ ମଧ୍ୟପ୍ରଦେଶ ନମ୍ବର ଏକ କାର (ଏମ୍‌ପି ୧୯ସିବି ୭୯୨୭), ନଗଦ ୫,୬୩୦ ଟଙ୍କା, ୧୨ଟି ମୋବାଇଲ, ୨ଟି ଛୁରୀ, ଲୁହା ରଡ଼, ୨ଟି ଠେଙ୍ଗା, ପୁଲିସ ଗଣବେଶ (ଓଡ଼ିଶା ଜେଲ୍‌), ଏୟାର ଗନ୍‌ ଜବତ କରିଛି।

ଲୁଟ୍‌ ପାଇଁ ଯୋଜନା କରୁଥିବା ଘଟଣାରେ ପୁଲିସ ମଧ୍ୟପ୍ରଦେଶର ରିଓ୍ଵା ଜିଲ୍ଲାର କାଚୁଲାନ ଥାନା ଅନ୍ତର୍ଗତ ରାୟପୁର ଗ୍ରାମର ବିଜୟ କୁମାର ସୋନୀ, ସତନା ଜିଲ୍ଲାର ରାମନଗର ଥାନା ଅନ୍ତର୍ଗତ ରାମନଗରର ସଚିନ ଆଓ୍ଵାତିଆ, ଆମରପାଟନା ଥାନା ଅନ୍ତର୍ଗତ ଗୋରା ଗ୍ରାମର ବାବଲୁ ସାଉ, ରାମନଗର ଥାନା ଅନ୍ତର୍ଗତ ବନହାରୀ ଗ୍ରାମର ପିଣ୍ଟୁ ପଟେଲ, କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଥାନା ଅନ୍ତର୍ଗତ ବାରଙ୍ଗପାଳ ଗ୍ରାମର ଭଗବାନ ଖୋରା, ଇନାଗୁ ଗ୍ରାମର ରବି ହନ୍ତାଳ, କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଥାନା ଅନ୍ତର୍ଗତ ଭେଜିପଦର ଗ୍ରାମର ଟିକାରାମ ପୂଜାହାରୀ ଓ ବିହାରର ସମସ୍ତିପୁର ଜିଲ୍ଲାର ଖାନପୁର ଥାନା ଅନ୍ତର୍ଗତ କୁଣ୍ଡିସାମପୁର ଗ୍ରାମର ମହମ୍ମଦ ସଲାମଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର