ପୁଲିସ କ୍ୟାଣ୍ଟିନରେ କାମ କରୁଥିବା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା

ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ସ୍ବାମୀ

କୋରାପୁଟ/ମାଲକାନଗିରି : ମାଲକାନଗିରି ପୁଲିସ କ୍ୟାଣ୍ଟିନରେ କାମ କରୁଥିବା ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଆଜି ସକାଳେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ଡାକ୍ତରଖାନାର ସର୍ଜରି ୱାର୍ଡରେ ଭର୍ତ୍ତି କରାଯାଇଛି। ପୁଲିସ ଦୁଷ୍କର୍ମର ପ୍ରମାଣ ଯୋଗାଡ଼ ସହ ସମ୍ଭାବ୍ୟ ଦିଗରେ ତଦନ୍ତ ଆରମ୍ଭ କରିଛି।

ପୀଡ଼ିତା ତିନି ଦିନ ଧରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ଉନ୍ନତି ଆସି ନଥିଲା। ତେଣୁ ଆଜି ସକାଳେ କୋରାପୁଟ ସ୍ଥାନାନ୍ତର ପରେ ଗୋଟିଏ ଟିମ୍ ଗଠନ କରି ଚିକିତ୍ସା ଆରମ୍ଭ ହୋଇଛି। ତେବେ ତାଙ୍କ ଅବସ୍ଥା ଉଦ୍‌ବେଗଜନକ ରହିଥିବା ମେଡିକାଲ ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷରେ ମହିଳାଙ୍କୁ ଠିକ୍‌ ଭାବେ ଚିକିତ୍ସା କରାଯାଉ ନ ଥିବା ତାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି। ଅପରାହ୍ନରେ ‘ମା ଘର’ର ସଭାପତି ଘଟଣାରେ ହସ୍ତକ୍ଷେପ କରିବାରୁ ରକ୍ତ ଦିଆଯାଇଥିଲା। ଯାହାଫଳରେ ଅବସ୍ଥା‌ ସାମାନ୍ୟ ଭଲ ରହିଛି ବୋଲି ତାଙ୍କ ସ୍ବାମୀ କହିଛନ୍ତି। ତେବେ ଯେଉଁମାନେ ତାଙ୍କ ପତ୍ନୀଙ୍କ ଏମିତି ଅବସ୍ଥା କରିଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି ଦୋହରାଇଛନ୍ତି। ପତ୍ନୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଥିବା ସେ ଗଣମାଧ୍ୟମ ଆଗରେ କହିଛନ୍ତି।

ଗତ ୬ତାରିଖ ଦିନ ପୁଲିସ କ୍ୟାଣ୍ଟିନ ଦାୟିତ୍ବରେ ଥିବା ପୁଲିସ ଅଧିକାରୀ ବିବିସି ଦାସ କ୍ୟାଣ୍ଟିନ ଚାବି ଆଣିବାକୁ ପୀଡ଼ିତାଙ୍କ ଘରକୁ ଯାଇଥିଲେ। ଚାବି ଦେଇ ଦେହ ଭଲ ନଥିବାରୁ କାମକୁ ଯିବେ ନାହିଁ ବୋଲି ପୀଡ଼ିତା କହିଥିଲେ। ଚାବି ନେଇ ଫେରି ଆସିଥିବା ବେଳେ ୭ତାରିଖ ଦିନ କିଛି ମହିଳା ଶ୍ରୀ ଦାସଙ୍କୁ ଭେଟି ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ସୂଚନା ଦେଇଥିଲେ। ଘରେ ପହଞ୍ଚି ଶ୍ରୀ ଦାସ ଦେଖିବା ପରେ ଏନେଇ ସ୍ବାମୀଙ୍କୁ ଖବର ଦେଇଥିଲେ। ସେହିଦିନ ହିଁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ ହୋଇଥିଲା। ଚେତା ଫେରୁ ନଥିବାରୁ ଆଜି କୋରାପୁଟ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ମାଲକାନଗିରି ଥାନା ଅଧିକାରୀ ରାମ ପ୍ରସାଦ ନାଗଙ୍କ କହିବା ହେଲା, ମହିଳା ରହୁଥିବା ଘର ଆଖପାଖର ସମସ୍ତ ସିସିଟିଭି କ୍ୟାମେରାକୁ ଯାଞ୍ଚ କରାଯାଇଥିଲା। ୬ତାରିଖ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ପୀଡ଼ିତା ଘର ବାହାରକୁ ମାତ୍ର ୧୧ମିନିଟ ପାଇଁ ଯାଇଥିଲେ। ଏହାପରେ ସେ ଘରୁ ବାହାରି ନାହାନ୍ତି କିମ୍ବା ତାଙ୍କ ଘରକୁ କେହି ଯାଇ ନାହାନ୍ତି। ମେଡିକାଲ ରିପୋର୍ଟ ଆସିନଥିବାରୁ ତାଙ୍କ ସହ କଣ ହୋଇଛି କିଛି କହିହେବ ନାହିଁ ବୋଲି ପ୍ରକାଶ କରିଛନ୍ତି। ତଥାପି ସମ୍ଭାବ୍ୟ ଦିଗରେ ପୁଲିସର ତଦନ୍ତ ଚାଲିଥିବା କହିଛନ୍ତି।

ସମ୍ବନ୍ଧିତ ଖବର