ବିଷାକ୍ତ ସାପ କାମୁଡ଼ାରେ ମହିଳା ମୃତ

ଭଞ୍ଜନଗର: ଘରେ ପରିବାର ଲୋକଙ୍କ ସହ ଶୋଇଥିବା ସମୟରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ବିବାହିତ ମହିଳା ମୃତ୍ୟୁ ବରଣ କରିଛନ୍ତି। ସାପ କାମୁଡ଼ିବା ପରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଭଞ୍ଜନଗର ମେଡ଼ିକାଲରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ତାରସିଂହ ଥାନାର ଗାଲେରୀ ଫାଣ୍ଡି ଅଧୀନ ରାଇଗୋଚ୍ଛା ଗ୍ରାମର ସୁଶାନ୍ତ ନାୟକଙ୍କ ପତ୍ନୀ ଲିଲି ନାୟକ (୨୫)। ଗତକାଲି ରାତିରେ ହସଖୁସିରେ ପୁରା ପରିବାର ଖାଇ ପିଇ ଶୋଇଥିଲେ। ଆଜି ଭୋର ସକାଳ ୪ଟା ସମୟରେ ଶୋଇଥିବା ଅବସ୍ଥାରେ ଏକ ବିଷଧର ସାପ ତାଙ୍କ ଗୋଡକୁ କାମୁଡି ଦେଇଥିଲା। କାମୁଡ଼ିବା ପରେ ଲିଲି ଚିତ୍କାର କରି ଉଠିପଡିଥିଲେ। ତାଙ୍କ ପାଟି ଶୁଣି ପରିବାର ଲୋକେ ତୁରନ୍ତ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ।

ସେଠାରେ ଦୀର୍ଘ ସମୟ ଧରି ଚିକିତ୍ସାଧୀନ ଅବସ୍ଥାରେ ରହିବା ପରେ ଶେଷରେ ଲିଲିଙ୍କ ମୃତ୍ୟୁ ଘଟିଛି। ଯାହା ଫଳରେ ସ୍ଥାନୀୟ ଇଲାକାରେ ଶୋକର ଚାୟା ଖେଳି ଯାଇଛି। ଲିଲିଙ୍କ ଗୋଟିଏ ୪ ବର୍ଷ ଏବଂ ଗୋଟିଏ ୮ ମାସର ଝିଅ ରହିଥିବା ବେଳେ ଅକାଳରେ ମାଆକୁ ହରାଇଛନ୍ତି। ଗାଲେରୀ ଫାଣ୍ଡି ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏସଂକ୍ରାନ୍ତରେ କେସ ନମ୍ବର ୧୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର