ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା: ମନ୍ତ୍ରୀଙ୍କୁ ବିବାଦ ଘେରକୁ ଟାଣିଲେ ବିରୋଧୀ

କଳାହାଣ୍ଡି: କଳାହାଣ୍ଡିର ଏକ ଘରୋଇ ସ୍କୁଲରେ ଅଧ୍ୟକ୍ଷା ଭାବେ କାର୍ଯ୍ୟରତ ମମିତା ମେହେର ନିଖୋଜ ହେବାର ୧୧ଦିନ ବିତିଲାଣି । ତାଙ୍କର କୌଣସି ପତ୍ତା ମିଳୁନି । ସେପଟେ ଏହି ଘଟଣାରେ ସନସାଇନ ପବ୍ଲିକ ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କ ସମ୍ପୃକ୍ତି ଅଭିଯୋଗ କରିଛନ୍ତି ପରିବାର । ତେବେ ବଡ କଥା ହେଉଛି ପୁଲିସ ହେପାଜତରୁ ଗୋବିନ୍ଦ ଚମ୍ପଟ ମାରିବା ପରେ ଆହୁରି ସନ୍ଦେହ ବଢିଛି । ଅପରପକ୍ଷରେ ୮ତାରିଖ ଦିନ ସ୍କୁଲ ମାଲିକ ଗୋବିନ୍ଦ ସାହୁ, ମମିତାଙ୍କୁ ସ୍କୁଲକୁ ଡକାଇଥିଲେ । କିନ୍ତୁ ସ୍କୁଲ ଆସିବା ବାଟରେ ନିଖୋଜ ହୋଇଗଲେ ମମିତା।

କଳାହାଣ୍ଡିର ଏକ ଘରୋଇ ସ୍କୁଲର ଅଧ୍ୟକ୍ଷା ଭାବେ କାମ କରୁଥିବା ଏହି ଯୁବତୀ ହଠାତ୍ ନିଖୋଜ ହୋଇଗଲେ କେମିତି?  ମମିତାଙ୍କ ନିଖୋଜ ପଛରେ ଗୋବିନ୍ଦ ସାହୁଙ୍କ ହାତଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏହାପରେ ଗୋବିନ୍ଦ ସାହୁଙ୍କୁ ଉଠାଇଆଣିଲା ପୁଲିସ । କିନ୍ତୁ ପୁଲିସ ହେପାଜତରୁ ହଠାତ ଗାଏବ ହୋଇଗଲେ ଗୋବିନ୍ଦ । ଏହି ଘଟଣା ପରେ ମମିତା ନିଖୋଜ ପଛରେ ଗୋବିନ୍ଦଙ୍କ ହାତଥିବା ନେଇ ସନ୍ଦେହ ବଢିଯାଇଛି । ତେବେ ଗୋବିନ୍ଦ ସାହୁ ଚମ୍ପଟ ଘଟଣାରେ ୩ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।

ସେପଟେ ମମିତା ମେହେର ନିଖୋଜ ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁ ଚମ୍ପଟ ମାମଲାରେ ମନ୍ତ୍ରୀଙ୍କ ଆଡକୁ ଅଙ୍ଗୁଳି ଉଠିଛି । ରାଜ୍ୟ ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଚାପ ପକାଇ ଖସାଇଦେଇଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି ପରିବାର ଲୋକେ । ଏହାକୁ ନେଇ ରାଜ୍ୟର ଦୁଇ ପ୍ରମୁଖ ଦଳର ନେତା ନିଜର ବୟାନ ଜାରି କରି ବିବାଦ ଭିତରକୁ ମନ୍ତ୍ରୀଙ୍କୁ ଭିଡ଼ିଛନ୍ତି।

କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଏକ ଭିଡିଓ ଗଣମାଧ୍ୟମକୁ ଦେଇଛନ୍ତି । ଏହି ଭିଡିଓରେ ଗୋବିନ୍ଦ ସାହୁଙ୍କ ଏକ କଲେଜରେ ଭାଷଣ ଦେଉଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର । ଏହି ଭିଡିଓ ଗମମାଧ୍ୟମକୁ ଦେଇ ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଛନ୍ତି, ଗୋବିନ୍ଦ ମନ୍ତ୍ରୀଙ୍କ ପାଖଲୋକ ଥିଲେ। ଦିବ୍ୟଶଙ୍କରଙ୍କ ସହିତ ତାଙ୍କର ଘନିଷ୍ଠ ସମ୍ପର୍କ। ତେଣୁ ତଦନ୍ତ ବାଟବଣା ହେଉଛି। ମନ୍ତ୍ରୀଙ୍କ ଇଙ୍ଗିତରେ ପୁଲିସ ଗୋବିନ୍ଦଙ୍କୁ ଫେରାର କରିଦେଇଛି। ଏହାର ସିବିଆଇ ତଦନ୍ତ ହେଉ ନଚେତ ଗୃହ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ।

ସେପଟେ ବିଜେପି ସାଂସଦ ବସନ୍ତ ପଣ୍ଡା ମଧ୍ୟ ଦିବ୍ୟଶଙ୍କରଙ୍କ ସଂପୃକ୍ତି ନେଇ ଅଭିଯୋଗ ଆଣିଛନ୍ତି । କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଆଜିକୁ ୧୧ ଦିନ ହେବ ମମିତା ନିଖୋଜ ଥିବାବେଳେ ସରକାର କିଛି କରିପାରୁନାହାନ୍ତି । ମମିତା ସନ୍ ସାଇନ୍ ସ୍କୁଲ୍ ରେ ଅଧ୍ୟକ୍ଷା ଥିଲେ । ଛୁଟିରେ ସେ କିଛି କାମରେ ସ୍କୁଲକୁ ଯାଇଥିଲେ କିନ୍ତୁ ସେଠୁ ଆଉ ଫେରିଥିଲେ । ଏହାକୁ ଆଜି ୧୦ ଦିନ ପୁରିଥିଲେ ମଧ୍ୟ ସରକାର କିଛି କରୁନାହାନ୍ତି । ବିଶିଷ୍ଟ ସୂତ୍ରରୁ ସୂଚନା ଅନୁସାରେ ସ୍କୁଲ୍ ର ମୁଖ୍ୟ ଗୋବିନ୍ଦ ସାହୁଙ୍କର ଏଥିରେ ସଂପୃକ୍ତି ଥିବା ଜଣା ପଡିଛି । ଏହାସହ ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଏଥିରେ ସଂପୃକ୍ତ ଅଛନ୍ତି । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାହସ ଦେଖାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ରାଜ୍ୟ ବିଜେପିର ଦାବି କରୁଛି।

ଏଭଳି  ଅଭିଯୋଗ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସେ କହିଛନ୍ତି, ଆଇନ ତା ବାଟରେ ଯିବ । ମାମଲାରେ ଯିଏ ଦୋଷୀ ହୋଇଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ସେହିପରି ଏହା ଏକ ସମ୍ବେଦନଶୀଳ ଘଟଣା । ଘଟଣାର ତଦନ୍ତ ଚାଲିଛି । ଏଭଳି ପ୍ରସଙ୍ଗରେ ଓଡିଶା ବିଜେପି ଓ କଂଗ୍ରେସ ଶସ୍ତା ରାଜନୀତି କରିବା ବନ୍ଦ କରନ୍ତୁ  ବୋଲି ବିଜେଡି ମୁଖପାତ୍ର  ଲେଲିନ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର