କଲମକୁ କାଗଜରେ ଛୁଆଁଇଲେ ଭାବନାର ଉଦ୍ରେକ ହୁଏ: ଏସ୍‌ପି

ସମ୍ବାଦ ସାହିତ୍ୟ ଘର ପକ୍ଷରୁ ସାରସ୍ବତ ଆସର, ଅଞ୍ଜଳି ପଟ୍ଟନାୟକଙ୍କ ପୁସ୍ତକ ‘ଅମୃତ ପରଶ’ ଉନ୍ମୋଚିତ

ଝାରସୁଗୁଡ଼ା: କରୋନାର ଭୟଙ୍କର ତାଣ୍ଡବ ପରେ ସାମାନ୍ୟ ପରିସ୍ଥିତିରେ ସୁଧାର ଆସିଛି। ଦୀର୍ଘ ଦିନ ଧରି ଘର ଭିତରେ ବନ୍ଦୀପ୍ରାୟ ଜୀବନ ବିତାଇବା ପରେ ଆଜି ଝାରସୁଗୁଡ଼ା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଏକ ସାହିତ୍ୟ ଆସର ସ୍ଥାନୀୟ ହୋଟେଲ ଯୋଗେନ୍ଦ୍ରା ରେସିଡେନ୍ସିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ସାରସ୍ବତ ସନ୍ଧ୍ୟାର ଝାରସୁଗୁଡ଼ା ଏସ୍ପି ବିକାଶ ଚନ୍ଦ୍ର ଦାଶ ମୁଖ୍ୟଅତିଥି ଭାବରେ ଯୋଗଦେଇ ସମ୍ବାଦ ସାହିତ୍ୟ ଘର ମାଧ୍ୟମରେ ଭାଷ ସାହିତ୍ୟର ଉନ୍ନତି ପାଇଁ ଯେଉଁ ଉଦ୍ୟମ କରାଯାଉଛି ତାକୁ ପ୍ରଶାଂସା କରିଥିଲେ। ଏଥିପାଇଁ ସେ ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇଥିଲେ। କଲମକୁ କାଗଜରେ ଛୁଆଁଇଲେ ହିଁ ଭାବନାର ଉଦ୍ରେକ ହୁଏ ଓ ସାହିତ୍ୟ ସୃଷ୍ଟି ହୋଇଥାଏ ବୋଲି ଶ୍ରୀ ଦାଶ କହିଥିଲେ।

ଏଥିରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଓଡ଼ିଶା ସାହିତ୍ୟ ଏକାଡେମୀର ଭଦ୍ରକ ଜିଲ୍ଲାର ପ୍ରାକ୍ତନ ସଦସ୍ୟ ଅଭୟ ସୁତାର, ଭଦ୍ରକ ଜିଲ୍ଲାର ସାହିତ୍ୟ ଏକାଡେମୀ ସଦସ୍ୟ ପ୍ରାଧ୍ୟାପକ ପବିତ୍ର ପାଣିଗ୍ରାହୀ ଓ ଡକ୍ଟର ହରେକୃଷ୍ଣ ମହାତାବ ସ୍ମାରକୀ ମହାବିଦ୍ୟାଳୟ, ଭଦ୍ରକର ଅଧ୍ୟାପକ ସେକ୍ ନାସିର ବକ୍ସ ଯୋଗଦେଇ ସାହିତ୍ୟ ସର୍ଜନା, ପୁସ୍ତକ ପ୍ରକାଶନ, ପାଠକ ମାନଙ୍କ ପାଖରେ ପୁସ୍ତକ ପହଞ୍ଚିବା, ପାଠକ ପୁସ୍ତକ ପଢ଼ିବା, ଶିଶୁ ସାହିତ୍ୟ ପ୍ରକାଶନ ଉପରେ ଅନେକ ମନ୍ତବ୍ୟ ପ୍ରଦାନ କରିଥିଲେ। ସମ୍ବାଦ ସାହିତ୍ୟ ଘର ରାଜ୍ୟରେ ଏକ ସର୍ବବୃହତ ସାହିତ୍ୟ କ୍ଷେତ୍ର ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଲେଖିକା ଅଞ୍ଜଳୀପ୍ରଭା ପଟ୍ଟନାୟକଙ୍କ ଦ୍ବାରା ଲିଖିତ ‘ଅମୃତ ପରଶ’କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ସାହିତ୍ୟ ଘର ସଭାନେତ୍ରୀ ଡ. ସ୍ବର୍ଣ୍ଣମୟୀ ପୁରୋହିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଉପସଭାନେତ୍ରୀ ଅଧ୍ୟାପିକା ମନ୍ଦାକିନୀ ଶତପଥୀ ଉନ୍ମୋଚିତ ପୁସ୍ତକକୁ ସମୀକ୍ଷା କରିଥିଲେ। ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ ସଭା ସଂଯୋଜନା କରିଥିଲେ। ସଂପାଦକ ଅକ୍ଷୟ ପତି ସ୍ବାଗତ ଜ୍ଞାପନ କରିଥିବା ବେଳେ ସମ୍ବାଦ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ମିଶ୍ର, କନକ ଟିଭି ପ୍ରତିନିଧି ବିକ୍ରମ ମହାପାତ୍ର, ସୁବ୍ରତ ତ୍ରିପାଠୀ, ପିଣ୍ଟୁ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଉପଦେଷ୍ଟା ତାପସ ରାୟ ଚୌଧୂରୀ, ସାହିତ୍ୟ ଏକାଡେମୀ ସଦସ୍ୟା ଡ.ଶିବପ୍ରିୟା ମିଶ୍ର, ରାଜଶ୍ରୀ ମେହେର, ମାଧବୀ ପଟେଲ, ରାଧାମୋହନ ପାଣ୍ଡେ, ପ୍ରେମସାଗର ଦେହେରିଆ, ମାନସୀ ପଣ୍ଡା, ପଦ୍ମାବତୀ ମହାପାତ୍ର, ଡ. ସରୋଜ କୁଅଁର, ନରେନ୍ଦ୍ର ପଣ୍ଡା, ଲଲିତ ମୋହନ ଦାଶ, ଅନନ୍ତରାମ ସାହୁ, ବିବେକାନନ୍ଦ ମିଶ୍ର, ନିମେଇଁ ଚରଣ ବେହେରା, ପଙ୍କଜିନି ରାଉତ, ନିବେଦିତା ମିଶ୍ର, ପ୍ରଣତୀ ପଟ୍ଟନାୟକ, ଜ୍ୟେତିର୍ମୟୀ ବେହେରା, ସୁଜାତା ପାଣିଗ୍ରାହୀ, ହେମନ୍ତ ପଟେଲ, କୈବଲ୍ୟ ମିଶ୍ର, ଅମିତା ମହାପାତ୍ର ପ୍ରମୁଖ ବହୁ ସାହିତ୍ୟିକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର