ଜାତୀୟ ରାଜପଥ ଅବରୋଧ କଲେ ଜନତା, କହିଲେ- କମ୍ପାନି କର, ନଚେତ୍ ୧୭ ବର୍ଷର କ୍ଷତିପୂରଣ ସହ ଜମି ଫେରାଅ

କଂସାରିଗୁଡ଼ା ଶିଳ୍ପ ପ୍ରତିଷ୍ଠାରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ, ସାଂସଦଙ୍କ ନେତୃତ୍ବରେ ଆନ୍ଦୋଳନକୁ ଓହ୍ଲାଇଲେ ବିସ୍ଥାପିତ

ରାୟଗଡ଼ା: ଜନଶୁଣାଣି ସଫଳ ହେଲା। କମ୍ପାନି ପ୍ରତିଷ୍ଠା ପାଇଁ ବିସ୍ଥାପିତ ଓ ଜନସାଧାରଣ ଆଖି ବୁଜି ସମର୍ଥନ ଜଣାଇଲେ। ତଥାପି କମ୍ପାନି ପ୍ରତିଷ୍ଠାରେ ହିଣ୍ଡାଲକୋ ଓ ରାଜ୍ୟ ସରକାର ଭୂଆଁ ବୁଲାଇ ଚାଲିଛନ୍ତି। ତୁରନ୍ତ କଂସାରିଗୁଡ଼‌ାରେ ରିଫାଇନେରି ୟୁନିଟ୍ ପ୍ରତିଷ୍ଠା କର ନଚେତ୍ ୧୭ ବର୍ଷର କ୍ଷତିପୂରଣ ସହ ଜମି ଫେରାଅ।

ରୂପକୋଣାରେ ବିସ୍ଥାପିତଙ୍କ ସହ ଆନ୍ଦୋଳନକୁ ଓହ୍ଲାଇ ଏପରି ଚେତାବନୀ ଦେଇଛନ୍ତି କୋରାପୁଟ ସାଂସଦ ଇଂ. ସପ୍ତଗିରି ଉଲାକା। ୩୨୬ ନଂ ଜାତୀୟ ରାଜପଥର ରୂପକୋଣା ଛକରେ ରାଜପଥ ଅବରୋଧ କରି ଧାରଣାରେ ବସି ରହିବା ସହ ଦୃଢ଼ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଅଡ଼ି ବସିଥିଲେ କମ୍ପାନି ବିସ୍ଥାପିତ ଓ  ପ୍ରଭାବିତ ଅଞ୍ଚଳବାସୀ। ଦୀର୍ଘ ୬ ଘଣ୍ଟାରୁ ଉର୍ଧ୍ବ ସମୟ ଧରି ରାଜରାସ୍ତା ଅବରୋଧ ଯୋଗୁ ରାୟଗଡ଼ା-କୋରାପୁଟ ମଧ୍ୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ୧୦ରୁ ଉର୍ଧ୍ବ ଆନ୍ଦୋଳନକାରୀଙ୍କୁ ପୁଲିସ୍ ଗିରଫ କରିବା ସତ୍ତ୍ବେ ପୁଲିସ୍ କାର୍ଯ୍ୟାନୁଷ୍ଠାନକୁ ଭୃକ୍ଷେପ ନ କରି ଆନ୍ଦୋଳନରେ ବସି ରହିଥିଲେ ବିସ୍ଥାପିତ। ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଲଲିତ କୁମାର ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ୪ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ ହୋଇଥିଲେ।

ଘଟଣାସ୍ଥଳରେ ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଡେପୁଟି କଲେକ୍ଟର ନାରାୟଣ ମିଶ୍ର, ଅତିରିକ୍ତ ତହସିଲଦାର ସୁନୀଲ ଖରା, ଏସଡିପିଓ ଦିବ୍ୟଜ୍ୟୋତି ଦାସ, ରାୟଗଡ଼ା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ରହି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ।  ସକାଳ ୬ଟାରୁ ରାସ୍ତାରୋକ ଆରମ୍ଭ କରିଥିବା ଆନ୍ଦୋଳନକାରୀଙ୍କୁ ପୁଲିସ୍ ଉଠାଇ ନେଇ କୁମ୍ଭିକୋଟା ଫାଣ୍ଡିରେ ଅଟକ ରଖିଥିଲା। ଯାହାକୁ ନେଇ ଆନ୍ଦୋଳନକାରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସାଂସଦ ସପ୍ତଗିରି ଉଲାକା, ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗାପ୍ରସାଦ ପଣ୍ଡା, ବରିଷ୍ଠ କଂଗ୍ରେସ ନେତା ଆପଲସ୍ୱାମୀ କାଡ୍ରକା ରୂପକୋଣାରେ ପହଞ୍ଚିବା ପୁଣି ଥରେ ଆନ୍ଦୋଳନକାରୀ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

କଂସାରୀଗୁଡାରେ କମ୍ପାନି ପ୍ରତିଷ୍ଠା ହେଲେ ନିଯୁକ୍ତି ଓ ଥଇଥାନ ଆଶାରେ ବିସ୍ଥାପିତ ନିଜ ତିନି ଫସଲ ଜମିକୁ ୨୦୦୪ ମସିହାରେ ଶାଗମାଛ ଦରରେ ପ୍ରଶାସନକୁ ବିକ୍ରି କରି ଦେଇଥିଲେ। କିନ୍ତୁ ଜମି ଅଧିଗ୍ରହଣକୁ ଇତି ମଧ୍ୟରେ ୧୭ ବର୍ଷ ବିତିଥିଲେ ମଧ୍ୟ କମ୍ପାନିର ପ୍ରତିଷ୍ଠାର ନାଁ ଗନ୍ଧ ନଥିବାରୁ ବିସ୍ଥାପିତ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଦୁର୍ଦିନରେ ଦିନ କାଟୁଛନ୍ତି। ଜମି ଅଧିଗ୍ରହଣ ସମୟରେ କମ୍ପାନି ପକ୍ଷରୁ ମିଳିଥିବା ସ୍ୱଳ୍ପ କ୍ଷତିପୂରଣ ଟଙ୍କା କିଛି ବର୍ଷ ମଧ୍ୟରେ ଖର୍ଚ୍ଚ ହୋଇଯିବା ପରେ ଏବେ ଜମିହରା ପରିବାର ଦାଦନ ଖଟିବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ।  ବହୁ ଦାବି ଆନ୍ଦୋଳନ ପରେ ସରକାର ୨୦୨୧ ଅକ୍ଟୋବର ୫ ତାରିଖରେ କମ୍ପାନି ପ୍ରତିଷ୍ଠା ପାଇଁ ଜନଶୁଣାଣି କରିଥିଲେ। ଯାହାକୁ ଅଞ୍ଚଳବାସୀ, ବିସ୍ଥାପିତ ପୂର୍ଣ୍ଣ ସମର୍ଥନ କରିଥିଲେ।

ତେବେ ଜନଶୁଣାଣିକୁ ୩ ମାସ ବିତି ଯାଇଥିଲେ ମଧ୍ୟ କମ୍ପାନି ପ୍ରତିଷ୍ଠା କାମ ଆରମ୍ଭ ହୋଇପାରିନି। ତୁରନ୍ତ ନିର୍ମାଣ ଆରମ୍ଭ ପାଇଁ ୨୦୨୧ ଡିସେମ୍ବର ୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ସାଂସଦ ଓ ଅଞ୍ଚଳବାସୀ ସ୍ମାରକପତ୍ର ପ୍ରଦାନ କରିଥିଲେ। ୧୫ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ ରାସ୍ତାରୋକ ସହ ସିଙ୍ଗାରାମ ଷ୍ଟେସନରେ ରେଳରୋକ, ଉତ୍କଳ ଆଲୁମିନା କମ୍ପାନି ଗେଟ୍, ଲକ୍ଷ୍ମୀପୁର କୋଡିଙ୍ଗାମାଳି ଖଣି ଉତୋଳନ ଜିରୋ ପଏଣ୍ଟ ବନ୍ଦ କରି ଦେବାକୁ ଚେତାବନୀ ଦିଆଯାଇଥିଲା। କମ୍ପାନି ପ୍ରତିଷ୍ଠାରେ ବିଳମ୍ବ କଲେ ତୁରନ୍ତ ଜମି ଫେରାଇବାକୁ ଜମିହରାଙ୍କ ପକ୍ଷରୁ ଡଉଲ ଚୌଧୁରୀ, ଅଗଷ୍ଟି ହାଲୁଆ, ବିପିନ ଚନ୍ଦ୍ର ମାଣ୍ଡିଙ୍ଗା, ଦାମୋଦର ବିଡିକା, ପୂର୍ଣ୍ଣଚନ୍ଦ୍ର ମାଣ୍ଡିଙ୍ଗା, ରାଜେନ୍ଦ୍ର ଦୁରିଆ, ମହେଶ୍ୱର ଝୋଡିଆ, ଦୀନବନ୍ଧୁ ଝୋଡିଆ, ସହଦେବ ବିଡିକା, ନାଥ ମିଣିଆକା, ମଣ୍ଟୁ ସାହାଣୀଙ୍କ ସମେତ ଅନ୍ୟମାନେ ଦାବି କରିଛନ୍ତି। ଏହି ଅବସରରେ ଆଜି ବିସ୍ଥାପିତ ଓ ଜମିହରାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି।

 

ସମ୍ବନ୍ଧିତ ଖବର