ସଶସ୍ତ୍ର ଡକାୟତି: ସୁନା ଗହଣା, ରୁପା ଅଳଙ୍କାର ସହ ମୋବାଇଲ ଓ ଟଙ୍କା ଲୁଟ୍‌ ଅଭିଯୋଗ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ହରଡ଼ାପୁଟ ଗ୍ରାମରେ ସଶସ୍ତ୍ର ଡକାୟତ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ଘରେ କେହି ନଥିବା ସମୟରେ ଦୁର୍ବୃତ୍ତ ମାନେ ଘରର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା, ରୁପା, ମୋବାଇଲ ଓ ଟଙ୍କା ଲୁଟ କରିଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ହରଡ଼ାପୁଟ ଗ୍ରାମର ବିବେକାନନ୍ଦ ବେହେରା ଓ ତାଙ୍କ ସ୍ତ୍ରୀ ନିଜ ଶଶୁର ଘରକୁ ଯାଇଥିଲେ। ଘରେ କେହି ନଥିବା ଖବର ପାଇ ଦୁର୍ବୃତ୍ତ ମାନେ ଘରେ ପଶି ଆଲମୀରା ଭାଙ୍ଗି, ସେଥିରେ ଥିବା ୨୦ ଗ୍ରାମ ସୁନା ଅଳଙ୍କାର, ରୁପାର ଦୁଇ ହଳ ପାଉଁଜି ସୁନା ମୁଦି, ସାଂମସଙ୍ଗ ମୋବାଇଲ ଓ ୮ ହଜାର ଟଙ୍କା ଲୁଟି ନେଇଛନ୍ତି। ମୋଟ ଏକ ଲକ୍ଷ ୧୮ ହଜାର ୫୦୦ ଟଙ୍କା ର ଜିନିଷ ଲୁଟ ହୋଇଥିବା ଅଭିଯୋଗକାରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ ଓ ତାଙ୍କ ଟିମ ହରଡ଼ାପୁଟ ଗ୍ରାମକୁ ଯାଇ ପ୍ରାଥମିକ ତଦନ୍ତ କରି ଫେରିଛନ୍ତି। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ପୁଲିସ ଅଧିକ ତଦନ୍ତ କରୁଛନ୍ତି। ଅତିଶୀଘ୍ର ଦୁର୍ବୃତ୍ତଙ୍କୁ ଧରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର