କରୋନା କାହାଣୀ; ମାଧୁରୀଙ୍କ କାନ୍ଧରେ ପରିବାର ବୋଝ

ମହାକାଳପଡ଼ା: କରୋନା କାଳରେ ପରିବାର ଚଳାଇବାକୁ ଏକପ୍ରକାର ମୁସ୍କିଲ ହୋଇପଡ଼ିଛି। ମହାମାରୀ ଭଳି ପରିସ୍ଥିତିରେ ନିଜ କାନ୍ଧରେ ପରିବାର ବୋଝ ଉଠାଇ ଆଗକୁ ବଢିବାରେ ସକ୍ଷମ ହୋଇଛନ୍ତି ମାଧୁରୀ ଦାସ। ଅଳାଇଲୋ ପଞ୍ଚାୟତ ଓରତ ଘାଟ ସେତୁ ନିକଟରେ ରହୁଛନ୍ତି। ଗାଁକୁ ଗାଁ ବୁଲି ଜୋତା, ଚପଲ, ଇମିଟେସନ ସାମଗ୍ରୀ ଓ ଷ୍ଟେସନାରି ଜିନିଷ ବିକ୍ରୟ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଗଲା ଦୁଇ ବର୍ଷ ହେଲା କରୋନା କଟକଣା ପାଇଁ ହାତବାନ୍ଧି ବସିଥିଲେ। ପରିବାର ଚଳାଇବା ତାଙ୍କ ପାଇଁ କାଠିକର ପାଠ ହୋଇପଡ଼ିଥିଲା। ଏକେ ଟିକିଏ ଅଣ୍ଟା ସଳଖିଛନ୍ତି। କଟକଣା କୋହଳ ପରେ ପରିବାର ପେଟକୁ ଦାନା ଯୋଗାଡ଼ରେ ମାତି ଯାଇଛନ୍ତି। ପରିବାର କହିଲେ ସ୍ୱାମୀ ଓ ୨ ପୁଅ। ୨୦ ବର୍ଷ ପୂର୍ବରୁ ସ୍ୱାମୀ ଓ ପୁଅଙ୍କ ସହିତ ମହିଳା ଜଣକ ଏଠାକୁ ଆସି ରାସ୍ତା କଡରେ ଥିବା ସରକାରୀ ଜମିରେ କୁଡ଼ିଆଟିଏ କରି ରହୁଛନ୍ତି। ନିଜ ଘର ପଶ୍ଚିମବଙ୍ଗ ମେଦିନୀପୁର ଅଞ୍ଚଳରେ ବୋଲି ମାଧୁରୀ କୁହନ୍ତି। ପ୍ରତିଦିନ ସକାଳୁ ମାଧୁରୀ ଏକ ସ୍କୁଟି ଚଳାଇ ଜୋତା, ଚପଲ, ଷ୍ଟେସନାରି ଜିନିଷ ଆଦି ଲଦି ବିକ୍ରୟ ନିମନ୍ତେ ଗାଁ କୁ ଗାଁ ବୁଲିଥାନ୍ତି।

ଦିନ ତମାମ ବୁଲି ଯାହା କିଛି ରୋଜଗାର କରିଥାନ୍ତି ସେଥିରେ ସେ ପରିବାର ଚଳାଇଥାନ୍ତି। ମାଧୁରୀଙ୍କ ସ୍ୱାମୀ ଅସୁସ୍ଥ ଥିବାରୁ ସେ କୌଣସି କାମଧନ୍ଦାରେ ବାହାରକୁ ଯାଇପାରନ୍ତି ନାହିଁ। ନିକଟରେ ବଡ଼ପୁଅ ବିବାହ କରିବା ପରେ ସେ ଆଉ ବାପାମା’ଙ୍କୁ ପଚାରୁନାହିଁ। ଅନ୍ୟପଟେ ସାନପୁଅର ଆଖିକୁ ଭଲ ଦେଖାଯାଉନି। ଇତିମଧ୍ୟରେ ସେ ଅଳାଇଲୋ ପଞ୍ଚାୟତର ନାଗରିକ ଭାବେ ପଞ୍ଜିକୃତ ହୋଇ ଭୋଟ ପରିଚୟ ପତ୍ର, ଆଧାରକାର୍ଡ ଓ ରାସନ କାର୍ଡ ପଇସାରିଛନ୍ତି। ନିଜର ଉପାର୍ଜିତ ଅର୍ଥରେ ସେ ପରିବାର ଚଳାଇବା, ସ୍ୱାମୀ ଓ ପୁଅର ଚିକିତ୍ସା ଖର୍ଚ୍ଚ ବହନ କରିବା ସହିତ ସଞ୍ଚିତ ସ୍ୱଳ୍ପ ଅର୍ଥରେ ୨ ଗୁଣ୍ଠ ଜମି ମଧ୍ୟ କିଣିଛନ୍ତି। ତେବେ ଆବାସ ଯୋଜନାରେ ତାଙ୍କୁ ଘର ଖଣ୍ଡେ ମିଳିଲେ ସେ ବିଶେଷ ଉପକୃତ ହୋଇପାରନ୍ତେ ବୋଲି ମାଧୁରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର