କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ବବିଦ୍ୟାଳୟ କୁଳପତି

ଶିମିଳିପାଳ ଗବେଷଣା କେନ୍ଦ୍ରର ବିକାଶ ଉପରେ ଗୁରୁତ୍ବାରୋପ, ପୁରାତନ ଛାତ୍ରଙ୍କ ସହିତ ସ୍ମୃତି ରୋମନ୍ଥନ କଲେ

ବାରିପଦା: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ଭୁବନେଶ୍ବରରେ ସାକ୍ଷାତ କରିଛନ୍ତି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର କିଶୋର କୁମାର ବସା। ନୂତନ ଭାବେ କେନ୍ଦ୍ରରେ ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ପ୍ରଥମ ଥର ପାଇଁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ଶ୍ରୀ ପ୍ରଧାନ। ଏହି ଅବସରରେ ଆଜି କେନ୍ଦ୍ରମନ୍ତ୍ରୀଙ୍କ ସହିତ ହୋଇଥିବା ସାକ୍ଷାତ ଅବସରରେ ବିଶ୍ବବିଦ୍ୟାଳୟରେ ଶିମିଳିପାଳ ଗବେଷଣା କେନ୍ଦ୍ରର ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ କୁଳପତି ଶ୍ରୀ ବସାଙ୍କ। ଏଥିସହିତ ମୟୂରଭଞ୍ଜ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବାରୁ ବିଶ୍ବବିଦ୍ୟାଳୟରେ ବିଭିନ୍ନ କ୍ରୀଡ଼ାର ଭିତ୍ତିଭୂମି ବିକାଶ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା।

ସେହିପରି ନୂତନ ଶିକ୍ଷା ନୀତି(ଏନଇପି) ଉପରେ ଶ୍ରୀ ବସାଙ୍କର ମତାମତ ଲୋଡ଼ିଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ବିଶ୍ବବିଦ୍ୟାଳୟ ସାମଗ୍ରୀକ ବିକାଶ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ବ ଦେବା ସହିତ ଏନେଇ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ। ଉଲ୍ଲେଖଯୋଗ୍ୟଯେ କୁଳପତି ଶ୍ରୀ ବସା ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ରାଧ୍ୟାପକ ଥିବାବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କର ଛାତ୍ର ଥିଲେ। ତେଣୁ ଏହି ସାକ୍ଷାତ ଅବସରରେ ନିଜର ପୁରାତନ ଛାତ୍ରଙ୍କ ସହିତ କିଛି ପୁରୁଣା ସ୍ମୃତି ରୋମନ୍ଥନ କରିଥିବା ଶ୍ରୀ ବସା ପ୍ରକାଶ କରିଛନ୍ତି। ଏହା ଏକ ସଫଳ ଆଲୋଚନା ଥିବା ମତ ଦେଇଛନ୍ତି କୁଳପତି ଶ୍ରୀ ବସା।

 

ସମ୍ବନ୍ଧିତ ଖବର