ମାଲକାନଗିରି ପୌର ନିର୍ବାଚନ ପାଇଁ ୩ ପ୍ରମୁଖ ଦଳର ଜୋରଦାର ପ୍ରଚାର

ମାଲକାନଗିରି: ମାଲକାନଗିରି ପୌର ନିର୍ବାଚନର ମତଦାନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ଦଳର ପ୍ରାର୍ଥୀଙ୍କ ଛାତି ସେତେ ଧଡକୁଛି।ଏହି ନିର୍ବାଚନରେ କିଏ ଜିତିବ ଲୋକେ କିଛି ଭବିଷ୍ୟତ ବାଣୀ କରି ପାରୁନଥିବା ବେଳେ ଯିଏ ବି ଜିତିବ ଅତି କମ୍ ବ୍ୟବଧାନରେ ଜିତିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଆଜି ତିନି ପ୍ରମୁଖ ଦଳ ପକ୍ଷରୁ ବିଭିନ୍ନ ୱାର୍ଡରେ ତିନି ପ୍ରମୁଖ ଦଳର ହେବିୱେଟମାନେ ପ୍ରଚାରରେ ବୁଲୁଥିବା ଦେଖିବାକୁ ମିଳିଥିଲା। ବିଜେଡି ତରଫରୁ ମନୋଜ ବାରିକଙ୍କୁ ଜିତାଇବା ପାଇଁ ସାଂସଦ ରମେଶ ଚନ୍ଦ୍ର ମାଝି,ବରିଷ୍ଠ ସାଧାରଣ ସଂପାଦକ ପ୍ରଦୀପ ମାଝି,ପୂର୍ବତନ ବିଧାୟକ ମାନସ ମାଡକାମୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ୱାର୍ଡ ବୁଲି କାଉନସିଲର ସହ ଅଧ୍ୟକ୍ଷ ପ୍ରାର୍ଥୀଙ୍କୁ ବିଜୟ କରିବା ପାଇଁ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା।

ସେହିପରି ବିଜେପି ତରଫରୁ ରାଜ୍ୟ ସଭାପତି ସମୀର ମହାନ୍ତି ଅଧ୍ୟକ୍ଷ ପ୍ରାର୍ଥୀ ଶ୍ୟାମଲ ସୁନାନୀଙ୍କୁ ଜିତାଇବା ପାଇଁ ରାଲିରେ ଯୋଗ ଦେଇଥିଲେ।ସେହିଭଳି କଂଗ୍ରେସର ଜି.ଶ୍ରୀନିବାସଙ୍କୁ ଜିତାଇବା ପାଇଁ କୌଣସି ହେବିୱେଟ ପ୍ରଚାରକ ଆସିନଥିଲେ ମଧ୍ୟ ସେ ନିଜେ ଘର ଘର ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି। ସ୍ବାଧୀନ ପ୍ରାର୍ଥୀମାନେ ମଧ୍ୟ ନିଜ ନିଜ ଉଦ୍ୟମରେ ଭୋଟ ହାତେଇବାକୁ ପ୍ରଚାର ଜୋରଦାର କରୁଛନ୍ତି। ତେବେ ପୌର ପରିଷଦ ଅଧୀନରେ ରହିଥିବା ଭୋଟରମାନେ ଶିକ୍ଷିତ ଥିବାରୁ କାହାକୁ ଭୋଟ ଦେବେ ତାହା ସ୍ପଷ୍ଟ କହିବା ମୁସକିଲ ହେଉଥିବା ଆଲୋଚନା ଚାଲିଛି।

ଗତ ନିର୍ବାଚନରେ ବିଜେଡି ପୌର ପରିଷଦ ଆସନକୁ ହାତେଇ ନେଇଥିବା ବେଳେ ଏଥର ମଧ୍ୟ ବିଜୟୀ ହେବାର ସ୍ପପ୍ନ ଦେଖୁଛି। ସେହିଭଳି ବିଜେପି ପଞ୍ଚାୟତ ନିର୍ବାଚନରେ ପରାଜୟ ହୋଇଥିଲେ ମଧ୍ୟ ପୌର ନିର୍ବାଚନରେ ଫେରିବ ବୋଲି କହିଛି। ସେହିପରି କଂଗ୍ରେସର ମଧ୍ୟ ଏଥର ଆଶା ଉଜ୍ବଳ ରହିଛି ବୋଲି କର୍ମୀ କହୁଛନ୍ତି । ତେବେ ଆଉ ମାତ୍ର ଦୁଇ ଦିନ ସମୟ ରହିଥିବାରୁ ବିଭିନ୍ନ ଦଳ ପକ୍ଷରୁ ଭିତିରିଆ ସଂପର୍କ ଆରମ୍ଭ ହୋଇଯିବ ବୋଲି ଆଲୋଚନା ମଧ୍ୟ ଚାଲିଛି।

ସମ୍ବନ୍ଧିତ ଖବର