ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମାଡ଼ମାରି ଜେଲ ଗଲେ ଯୁବକ

ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଳକାଟି ଫାଣ୍ଡି ପୁଲିସ ଗତକାଲି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମାଡ଼ମାରିବା ଓ ହସ୍ପିଟାଲରେ କାଚ ଭଙ୍ଗାରୁଜା କରିବା ମାମଲାରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ସେ ହେଲା ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧୀନ ଅଞ୍ଚପା ଗ୍ରାମର ବାପି ଓରଫ ସତ୍ୟ ନାରାୟଣ ବସ୍ତିଆ(୪୨)। ବାପି ବିରୋଧରେ ମାମଲା ନଂ ୧୭୬/୨୧ ରେ ବିଭିନ୍ନ ଦଫାରେ ସଙ୍ଗୀନ ମାମଲା ରୁଜୁ ହୋଇଛି। କୋର୍ଟରେ ବାପିର ଜାମିନ ନାମଂଜୁର ହେବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

ପୁଲିସ ସୂଚନା ମୁତାବକ ଗତକାଲି ଅପରାହ୍ନରେ ବାପି ତାଙ୍କର ଜଣେ ସାଙ୍ଗଙ୍କ ସହ ଧଉଳି ବୁଲିବାକୁ ଯାଇ ଦୁଘର୍ଟଣାଗ୍ରସ୍ତ ହୋଇଥିଲେ। ତାଙ୍କ ସାଙ୍ଗ ଗୁରୁତର ଆହତ ହୋଇଥିବା ବେଳେ ସେ ସାମାନ୍ୟ ଆହତ ହୋଇଥିଲେ । ଖବର ପାଇ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ୧୦୮ ଆମ୍ବୁଲାନ୍ସ ଗାଡ଼ି ପହଞ୍ଚି ଉଭୟଙ୍କୁ ଚିକିତ୍ସା ଲାଗି ଆଣିଥିଲା। ହେଲେ ନିଶାଗ୍ରସ୍ତ ଅବସ୍ଥାରେ ଥିବା ବାପି ଗାଡ଼ି ଭିତରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସମହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ବାପି ଉନ୍ମତ୍ତ କାଣ୍ଡ କରିଥିଲା। ଡାକ୍ତରଖାନାରେ ଜିନିଷପତ୍ର ଭଙ୍ଗାରୁଜା କରିବା ସହ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀଙ୍କୁ ଗାଳିଗୁଲଜ କରିଥିବା ଏତଲାରେ ଦର୍ଶାଯାଇଛି। ଖବର ପାଇ ବାଳକାଟି ଫାଣ୍ଡି ଅଧିକାରୀ ହସ୍ପିଟାଲରେ ପହଞ୍ଚି ବାପିକୁ କାବୁ କରି ଫାଣ୍ଡିରେ ଅଟକ ରଖି ପଚରାଉଚରା କରିଥିଲେ।

ସମ୍ବନ୍ଧିତ ଖବର