ପୁଲିସ ଉପରକୁ ଚପଲ ଉଠାଇଲା ମାତାଲ୍‌ ଯୁବକ

ଭଦ୍ରେଶ୍ୱର: ମାହାଙ୍ଗା ଥାନା ଅଧୀନ ଭଦ୍ରେଶ୍ୱର ଫାଣ୍ଡି ଅଞ୍ଚଳରେ ନିଶାଖୋରଙ୍କ ଆତଙ୍କ କେତେ ବଢ଼ିବାରେ ଲାଗିଛି ତାର ସଦ୍ୟ ଉଦାହରଣ ଆଜି ଦେଖିବାକୁ ମିଳିଛି ସ୍ଥାନୀୟ କୋଠିଛକ ଅଞ୍ଚଳରେ। ଜଣେ ନିଶାସକ୍ତ ଯୁବକ ପୁଲିସ କର୍ମଚାରୀଙ୍କୁ ଚପଲରେ ପିଟିବାକୁ ଉଦ୍ୟତ ହେବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ବେଳେ ଏହା ସମଗ୍ର ଅଞ୍ଚଳ ପାଇଁ ଚର୍ଚ୍ଚାର ବିଷୟ ହୋଇଛି।

ଖବର ମୁତାବକ, ଡେରାବିଶ ବ୍ଲକ୍‌ ଅଞ୍ଚଳର ଜଣେ ମାତାଲ ଯୁବକ ଆଜି ଭଦ୍ରେଶ୍ବର ଫାଣ୍ଡି ଅନ୍ତର୍ଗତ ହଳଦିଆ କୋଠିଛକ ନିକଟରେ ଛିଡ଼ା ହୋଇ ଗାଳିଗୁଲଜ କରୁଥିଲେ। ଏହି ସମୟରେ ନିଶ୍ଚିନ୍ତକୋଇଲି ଅଞ୍ଚଳରେ କାର୍ଯ୍ୟରତ ଥିବା ଜଣେ ପୁଲିସ କର୍ମଚାରୀ ସେଇ ବାଟ ଦେଇ ଯାଉଥିବା ଦେଖି ମାତାଲ ଯୁବକଜଣକ ତାଙ୍କୁ ଅଟକାଇ ଗାଳିଗୁଲଜ କରିଥିଲେ। ଏପରିକି ସେ ତାଙ୍କୁ ଚପଲ ଉଠାଇ ପିଟିବାକୁ ବି ଉଦ୍ୟତ ହୋଇଥିଲେ। ଚପଲ ଉଠାଇ ପିଟିବାକୁ ଉଦ୍ୟତ ହେଉଥିବା ସମୟର କେହି ଜଣେ ଏହାର ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଦେଇଥିଲେ।

ଭିଡିଓଟି ଆଜି ମାହାଙ୍ଗା ଅଞ୍ଚଳରେ ବିଭିନ୍ନ ଲୋକଙ୍କ ମୋବାଇଲରେ ଘୂରି ବୁଲୁଥିବା ଦେଖାଯାଇଛି। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ବି ଲାଗି ରହିଛି। ଏ ସମ୍ପର୍କରେ ମାହାଙ୍ଗା ଥାନା ଆଇଆଇସି ନିହାର ରଂଜନ ମହାନ୍ତିଙ୍କୁ ପଚାରିବାରେ, ଭିଡିଓ ସମ୍ପର୍କରେ ସେ ଶୁଣିଥିଲେ ବି ଏହା କେଉଁ କାରଣରୁ ଘଟିଛି ତାହା ଜାଣି ନଥିବା କହିଛନ୍ତି। ତା’ଛଡ଼ା, ଏ ସମ୍ପର୍କରେ କେହି ଅଭିଯୋଗ କରି ନ ଥିବାରୁ ପୁଲିସ କୌଣସି ପଦକ୍ଷେପ ନେଇ ନ ଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର