ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ କୁନ୍ଦ୍ରା, ଜୟପୁର ଓ ବୋରିଗୁମ୍ମା ଅଞ୍ଚଳର ଚାଷୀ

ଜୟପୁର: ଖରିଫ ମଣ୍ଡି ଆମ ପାଇଁ ଅଭିଶାପ ପାଲଟିଛି ବୋଲି କହିଛନ୍ତି ଚାଷୀ। ଟୋକେନ୍ ପାଇ ସୁଦ୍ଧା ଏବେ ପର୍ଯ୍ୟନ୍ତ କିଛି ଚାଷୀ ଧାନ ବିକ୍ରି କରି ପାରିନାହାନ୍ତି। ଆଉ କିଛି ଚାଷୀ ଟୋକେନ୍ ଏବେ ସୁଦ୍ଧା ପାଇ ନାହାନ୍ତି। ମହିଳା ସ୍ବୟଂ ସହାୟକ ଦଳ ଏବଂ ଲ୍ୟାମ୍ପ ଜରିଆରେ ମିଲରଙ୍କୁ ଧାନ ଦେବା ପରେ ବି ନିଜ ଆକାଉଣ୍ଟରେ ଟଙ୍କା ଜମା ହୋଇନି ଆଉ କିଛି ଚାଷୀଙ୍କର। କିଛି ବଡ଼ ଚାଷୀଙ୍କର ୧୦ଏକରରୁ ଅଧିକା ଜମି ଥିବା ଚାଷୀଙ୍କର ଟୋକେନ୍ ବି ବାହାରିନି। ଏଭଳି ବିଭିନ୍ନ ସମସ୍ୟାକୁ ନେଇ କୁନ୍ଦ୍ରା, ଜୟପୁର ଓ ବୋରିଗୁମ୍ମା ବ୍ଲକର ଚାଷୀ ମାନେ ଆଜି ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଥିଲେ। ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଅନୁପସ୍ଥିତିରେ ସହକାରୀ ଯୋଗାଣ ଅଧିକାରୀ ରବି ନାରାୟଣ ନନ୍ଦଙ୍କୁ ଦାବିପତ୍ର ଦେଇଥିଲେ। ପୂର୍ବରୁ କୁନ୍ଦ୍ରା ବ୍ଲକରେ ୯ଟି ଲ୍ୟାମ୍ପସ୍ ଓ ଏସଏଚଜି ମାଧ୍ୟମରେ ଧାନ କିଣାଯାଉଥିଲା। ଏବେ ଏକ ଲକ୍ଷରୁ ଉର୍ଦ୍ଧ୍ବ କୁଇଣ୍ଟାଲ ଧାନ ପଡ଼ି ରହିଥିବା ବେଳେ ମାତ୍ର ଗୋଟିଏ ଲ୍ୟାମ୍ପ ଓ ଗୋଟିଏ ଏସଏଚଜିକୁ ଧାନ କିଣିବାକୁ ଦାୟିତ୍ବ ଦିଆଯାଇଥିବାରୁ ଏତେ ପରିମାଣର ଧାନ କେବେ ଉଠିବ ବୋ୍ଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। ତୁରନ୍ତ ଅଧିକା ଲ୍ୟାମ୍ପ ଓ ଏସଚଜିକୁ ଦାୟିତ୍ବ ଦିଆଯାଉ ବୋଲି ଏମାନେ ଦାବି କରିଛନ୍ତି। ସେଭଳି ବୋରିଗୁମ୍ମା ବ୍ଲକର ଗୁମୁଡା ଅଂଚଳର ବହୁ ଚାଷୀଙ୍କୁ ଗତ ଡିସେମ୍ବର ୧୮ତାରିଖରେ ଟୋକେନ୍ ମିଳିଥିଲା।

ଏହା ପରେ ଧାନ ଉଠିବାର ଥିଲା। କିନ୍ତୁ ଡିସେମ୍ବରରୁ ଆଉ ଧାନ ଉଠି ନଥିଲା। ପରବର୍ତ୍ତୀ ସମୟରେ ଜିଲ୍ଲାପ୍ରଶାସନ ୧୫ତାରିଖରେ ମଣ୍ଡିରେ ଜମା କରିବାକୁ କହିଥିଲେ।ଏହାରି ମଧ୍ୟରେ ଟୋକେନର ଧାର୍ଯ୍ୟ ସମୟ ସରିଯାଇଛି। ଏବେ ଏହା ପରେ ଟୋକେନ୍ ମିଳିଥିବା ଚାଷୀଙ୍କ ଧାନ ଉଠିଥିବା ବେଳେ ପୂର୍ବରୁ ଟୋକେନ ପାଇଥିବା ଚାଷୀଙ୍କ ଧାନ ଉଠୁନି ବୋଲି ଚାଷୀ ମାନେ ଅଭିଯୋଗ କରିଥିଲେ। ସେଭଳି ଜୟପୁର ବ୍ଲକର କିଛି ଚାଷୀ ଆସିଥିବା ବେଳେ ସେମାନେ ଟୋକେନ୍ ପାଇ ନଥିବା ଅଭିଯୋଗ କରିଥିଲେ। ସେଭଳି କୁନ୍ଦ୍ରାବ୍ଲକର ଶତାଧିକ ଚାଷୀ ୧୦ଏକରରୁ ଉର୍ଦ୍ଧ୍ବ ଜମି ଚାଷ କରିଥିବା ସର୍ଭେବେଳେ କଟିଥିଲା। ତେବେ ପରବର୍ତ୍ତୀ ସମୟରେ ସେମାନଙ୍କୁ ଆଉ ଟୋକେନ୍ ମିଳିନଥିବା ଅଭିଯୋଗ କରିଥିଲେ। ସେଭଳି ଦଶମନ୍ତପୁର ବ୍ଲକର ଚାଷୀ ମାନେ ମହିଳା ସ୍ବୟଂ ସହାୟକ ଦଳ ଜରିଆରେ ଧାନ ଦେଇଥିବା ବେଳେ ବହୁ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇନଥିବା ଅଭିଯୋଗ କରିଛନ୍ତି। ଚାଷୀଙ୍କର ଏସବୁ ଅସୁବିଧାକୁ ରାଜ୍ୟସରକାରଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ସହକାରୀ ଯୋଗାଣ ଅଧିକାରୀ।

ସମ୍ବନ୍ଧିତ ଖବର