ଆଜି କାର୍ତ୍ତିକ ପୂର୍ଣ୍ଣିମା ; ବୋଇତ ବନ୍ଦାଣ, ଡଙ୍ଗା ଭସାଣ ମନା, ମନ୍ଦିର ନିକଟରେ ଗହଳି ବାରଣ

ବାରିପଦା : ରାତି ପାହିଲେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ଡଙ୍ଗା ଭସାଇବା ପାଇଁ ପାହାନ୍ତା ପ୍ରହରରୁ ନଦୀ, ପୋଖରୀ ଏବଂ ଜଳାଶୟ ପଠାରେ ଲାଗିଥାଏ ଶ୍ରଦ୍ଧାଳୁଙ୍କ ଭିଡ଼। ସେହିପରି ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ମଧ୍ୟ ମହାସମାରୋହରେ ଅନୁଷ୍ଠିତ ହୋଇଥାଏ। ମାତ୍ର ଚଳିତ ବର୍ଷ ଜିଲ୍ଲାରେ କରୋନା ମହାମାରୀ କାରଣରୁ ଜିଲ୍ଲାର କୌଣସି ସ୍ଥାନରେ କିଛି କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ଏନେଇ ଜିଲ୍ଲାପ୍ରଶାସନ କଟକଣା ଲଗାଇଛି। ଗହଳି ହେବା ଭଳି କୌଣସି କାର୍ଯ୍ୟକ୍ରମ ସର୍ବସାଧାରଣ ସ୍ଥାନରେ ହୋଇପାରିବ ନାହିଁ ବୋଲି ଜିଲ୍ଲାପାଳ ବିନୀତ ଭରଦ୍ବାଜ ସୂଚନା ଦେଇଛନ୍ତି। ଜିଲ୍ଲା ସଦରମହକୁମା ବାରିପଦାର ଶ୍ରୀ ହରିବଳଦେବଜୀଉ ଏବଂ ଅମ୍ବିକା ମନ୍ଦିର ନିକଟରେ ୧୪୪ ଧାରା ବଳବତ୍ତର ରହିଛି। ଫଳରେ ବାରିପଦା ସହରରେ ଥିବା କୌଣସି ମନ୍ଦିର ନିକଟରେ ଗହଳି କରିବା ଉପରେ କଡ଼ା କଟକଣା ଲାଗିଛି। ମନ୍ଦିର ଆଖପାଖରେ ‌ଶ୍ରଦ୍ଧାଳୁଙ୍କ ଗହଳି ରୋକିବା ନିମନ୍ତେ ପୁଲିସ୍‌ ମୃତୟନ କରାଯିବ ବୋଲି ବାରିପଦା ଟାଉନ୍‌ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ନଦୀ, ପ‌ୋଖରୀ ଏବଂ ବିଭିନ୍ନ ଜଳାଶୟ ପଠାରେ ଡଙ୍ଗା ଭସାଣ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ନଦୀ ପଠାଗୁଡ଼ିକରେ ଯେପରି ଡଙ୍ଗା ଭସାଣ ବେଳେ ଅଯଥା ଭିଡ଼ ନହୁଏ ସେଥିପ୍ରତି ସତର୍କ ଦୃଷ୍ଟି ରଖାଯିବବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ଚଳିତ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯିବ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଧର୍ମ ଅର୍ଜନ କରିବାକୁ ବିଭିନ୍ନ ଦେବାଳୟରେ ଭକ୍ତଙ୍କ ଭିଡ଼ ଲାଗିଥାଏ। ସେହିପରି ଉତ୍କଳର ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରି ରଖିବାକୁ ବୋଇତ ବନ୍ଦାଣ ଉତ୍ସବ ମଧ୍ୟ ଆୟୋଜିତ ହୋଇଥାଏ। ମାତ୍ର କରୋନା ଚଳିତ ବର୍ଷ ଏହା ପାଳନ କରିବାରୁ ଜନସାଧାରଣଙ୍କୁ ଏକପ୍ରକାର ବାଧ୍ୟ କରିଛି। ଯାହାକି ସମସ୍ତଙ୍କ ମନରେ ଦୁଃଖ ଆଣିଦେଇଛି। ତଥାପି ବାରିପଦା ସହରର କିଛି କିଛି ସ୍ଥାନରେ ସୋଲରେ ତିଆରି ଡଙ୍ଗା ବିକ୍ରି ହେଉଥିବା ପରିଲକ୍ଷିତ ‌ହୋଇଛି। ପୂର୍ବ ବର୍ଷ ଗୁଡ଼ିକରେ ଯେପରି ବହୁ ସଂଖ୍ୟାରେ ଡଙ୍ଗା ବିକ୍ରି ହୋଇଥାଏ ତାହା କିନ୍ତୁ ଦେଖିବାକୁ ମିଳିନି।

ସମ୍ବନ୍ଧିତ ଖବର