ମୟୁରଭଞ୍ଜ: ମିନି ମାରାଥନରେ ୩ ଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ବାରିପଦା/କୁଳିଅଣା: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ ପାଇଁ ଆୟୋଜିତ ମିନି ମାରାଥନରେ ରବିବାର ୩ ଜଣ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଚାନ୍ଦୁଆ ସରକାରୀ ହାଇସ୍କୁଲର ୩ ଜଣ ଛାତ୍ରୀ ମିନି ମାରଥନରେ ଭାଗ ନେଇ ଦୌଡୁଥିବା ବେଳେ ହଠାତ ଅସୁସ୍ଥ ହୋଇ ଯାଇଥିଲେ। ଆହତ ରଶ୍ମୀରେଖା ସିଂ, ସୋନାଲି ମୁର୍ମୁ ଓ ହୀରାମଣୀ ମୁର୍ମୁ ଆଦିବାସୀ ଛାତ୍ରୀ ନିବାସରେ ରହୁଥିଲେ। ୩ ଜଣ ଛାତ୍ରୀ ହଠାତ ଅସୁସ୍ଥ ହେବାରୁ ତାଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପ୍ରାୟ ୩୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ନେଇ ଆଜି ସକାଳୁ ଗଣଦୌଡର ଆୟୋଜନ ହୋଇଥିଲା। ଏଥିରେ ୩୦ ଜଣ ଛାତ୍ରୀ ସାମିଲ ଥିଲେ। ବିଭିନ୍ନ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ହାଇସ୍କୁଲ ଛକ ଠାରୁ ଚାନ୍ଦୁଆ ବଜାର ମଧ୍ୟରେ ଗଣଦୌଡର ଆୟୋଜନ ହୋଇଥିଲା।

ସବୁଠାରୁ ଦୁଃଖର ବିଷୟ ଯେ ପିଲାମାନଙ୍କୁ ବାରିପଦା ନେବା ପାଇଁ ୧୦୮ ଆମ୍ବୁଲାନ୍ସ ମିଳି ନଥିଲା। ଫଳରେ ସେମାନଙ୍କୁ ଏକ ଅଟୋ ଯୋଗେ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲ ନିଆଯାଇଥିଲା।

ସମ୍ବନ୍ଧିତ ଖବର