ସ୍କୁଲ ହଷ୍ଟେଲରେ ମାନସିକ ନିର୍ଯାତନା ଅସହ୍ୟ ହେଲା ଜିଲ୍ଲାପାଳଙ୍କୁ ଭେଟିବାକୁ ଛାତ୍ରୀମାନେ ୨୦ କିମି ଚାଲିଲେ

ଚିତ୍ରଡା: ହ‌େଷ୍ଟଲରେ ବ୍ୟାପକ ଅବ୍ୟବସ୍ଥା। ମାନସିକ ନିର୍ଯାତନା ବି ମିଳୁଛି। କହିଲେ ବି କେହି ଶୁଣୁ ନାହାନ୍ତି। ଦୁଃଖ ଦୂର କରିବା ପାଇଁ ଗୁହାରି କରିବାକୁ ଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଭେଟିବାକୁ ଯାଇ ପ୍ରାୟ ୨୦ କିମି ଦୂର ଚାଲିଲେ। ଏମିତି ଅଭାବନୀୟ ଘଟଣା ଆଜି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍‌ ଅନ୍ତର୍ଗତ ମାକୁନ୍ଦ ହାଇସ୍କୁଲରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ମାକୁନ୍ଦ ହାଇସ୍କୁଲର ୧୧୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ରହିଛି। ଏଥିରୁ ୨୫ରୁ ଉର୍ଦ୍ଧ୍ବ ଆଦିବାସୀ ଛାତ୍ରୀ ସକାଳ ୭ଟାରୁ ବାହାରି ଆସିଥିଲେ। ହଷ୍ଟେଲ କର୍ତୃପକ୍ଷ ଜାଣିବା ପରେ ପିଲାମାନଙ୍କୁ ଖୋଜିବାରେ ଲାଗିଥିଲେ। ସୂଚନାପାଇ ବ୍ଲକ୍‌ ମଙ୍ଗଳ ଅଧିକାରୀ ଅଜୟ କୁମାର ଜେନା ଛାତ୍ରୀମାନଙ୍କ ନିକଟରେ ପହଞ୍ଚି ବୁଝାସୁଝା କରିଥିଲେ। କିନ୍ତୁ ଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଭେଟିବାକୁ ଜିଦ୍‌ କରି ପୁଣି ଚାଲିଥିଲେ। ଖବରପାଇ ମୋରଡା ଥାନା  ଆଇଆଇସି ଯୋଗେନ୍ଦ୍ର ମଲ୍ଲିକ ସଦଳବଳେ ପହଞ୍ଚିଥିଲେ ବି ଛାତ୍ରୀମାନଙ୍କୁ ସେ ବୁଝାଇବାରେ ଅସମର୍ଥ ହୋଇଥିଲେ। ସେତେବେଳକୁ ଛାତ୍ରୀମାନେ ଦୀର୍ଘ ୨୦ କିମି ପାଦରେ ଚାଲି ଚାଲି ବରକନ୍ଦଠାରେ ପହଞ୍ଚି ଯାଇଥିଲେ। ଏତିକିବେଳେ ଜିଲ୍ଲା ମଙ୍ଗଳ  ଅଧିକାରୀ ସ୍ମୃତିରଞ୍ଜନ ସାମନ୍ତରାୟ ପହଞ୍ଚି ସେମାନଙ୍କୁ ଅଟକାଇବାରେ ସଫଳ ହୋଇଥିଲେ। ତେବେ ସେଠାରେ ଯେଉଁ ଛାତ୍ରୀଙ୍କୁ ଅଟକାଇବାକୁ ଚେଷ୍ଟା କରାଯାଉଥିଲା, ସିଏ କାନ୍ଦି କାନ୍ଦି ଦୌଡ଼ିବାକୁ ଲାଗୁଥିଲା। ଛାତ୍ରୀମା‌େନ ଅଭିଯୋଗ କରିଥିଲେ, ହଷ୍ଟେଲ ମେଟ୍ରୋନ ସେମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ମାନସିକ ନିର୍ଯାତନା ଦେଉଛନ୍ତି। ପ୍ରଧାନଶିକ୍ଷକଙ୍କୁ ଅବଗତ କଲେ ମଧ୍ୟ ସେ ଚୁପ ରହୁଛନ୍ତି। ଠିକ୍‌ ସମୟରେ ଔଷଧ ନ ଦେବା, ଜଳ, ବିଦ୍ୟୁତ, ପଙ୍ଖା ସାଙ୍ଗକୁ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧାରୁ ବଞ୍ଚିତ କରାଯାଉଛି। ବହୁ କଷ୍ଟରେ ହଷ୍ଟେଲରେ ଜୀବନ ବିତାଉଥିବା ସେମାନେ କହିଥିଲେ। ଏପରିସ୍ଥଳରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀସାମନ୍ତରାୟ ସେମାନଙ୍କ ସମସ୍ୟା ତୁରନ୍ତ ବୁଝି ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ପରିସ୍ଥିତି ଶାନ୍ତ ପଡିଥିଲା। ସେଠାରେ ଛାତ୍ରୀମାନେ ଅଟକି ରହିଥିଲେ। ଛାତ୍ରୀମାନଙ୍କୁ ଗାଡ଼ି ବସାଇ ମଙ୍ଗଳ ଅଧିକାରୀ ହଷ୍ଟେଲକୁ ଫେରିଥିଲେ। ହଷ୍ଟେଲରେ ପହଞ୍ଚିବା ପରେ ମଧ୍ୟ ଛାତ୍ରୀମାନେ ତୁରନ୍ତ ସମସ୍ୟା ସମାଧାନ କରିବାକୁ ଅଡ଼ି ବସିଥିଲେ। ଅଭିଭାବକମାନେ ମଧ୍ୟ ସ୍କୁଲ ଗେଟ୍‌ ସମ୍ମୁଖରେ ଧାରଣାରେ ବସି ସମସ୍ୟାର ସମାଧାନ କରିବାକୁ ଦାବି କରିଥିଲେ। ତୁରନ୍ତ ସବୁ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିିତି ଶାନ୍ତ ପଡ଼ିଥିଲା।
ଜିଲ୍ଲା ମଙ୍ଗଳ ଅଧିକାରୀ ଓ ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କୁ ଏନେଇ ଯୋଗାଯୋଗ କରାଯାଇଥିଲା। ତେବେ ଉଭୟ ଅଧିକାରୀ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲି ନଥିଲେ। ପ୍ରଧାନଶିକ୍ଷକ ପର୍ଶୁରାମ ମହାନ୍ତଙ୍କୁ ପଚାରିବାରୁ ଛାତ୍ରୀମାନଙ୍କ ଅଭିଯୋଗକୁ ସେ ଅସ୍ବୀକାର କରିଥିଲେ।
ମୟୂରଭଞ୍ଜ ଜିଲ୍ଲାରେ ଏହ‌ା ନୁହେଁ, ଏପରି ଘଟଣା ବାରମ୍ବାର ଘଟୁଥିବାରୁ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଉଛି। ଏଦିଗରେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ଏପରି ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର