ବିଜେଡିକୁ ଘାରିଲାଣି ମୟୂରଭଞ୍ଜ ଚିନ୍ତା

ଅରୁଣଙ୍କ କରୁଣ ସ୍ଥିତି, ସଂଗଠନ ଚାରିଫାଳ

ଭୁବନେଶ୍ୱର : ମୟୂରଭଞ୍ଜରେ ଗତ ପଞ୍ଚାୟତ ନିର୍ବାଚନରେ ଘୋର ବିପର୍ଯ୍ୟୟର ଶିକାର ହୋଇଥିଲା ବିଜେଡି। ଏମିତି ଯେ ଗତ ବିଧାନସଭାରେ ଜିଲ୍ଲାର ସମସ୍ତ ଆସନ ଦଖଲ କରିଥିବା ଦଳ ପଞ୍ଚାୟତରେ ପୂରା ଚିତ୍‌ପଟାଙ୍ଗ ମାରିଲା। ଗେରୁଆ ରଙ୍ଗ ଭିତରେ ହଜିଗଲା ସବୁଜ ଶଙ୍ଖ। ତଥାପି ଦଳ ସୁଧିରିନି। ଆଭ୍ୟନ୍ତରୀଣ କନ୍ଦଳ କମିବା ପରିବର୍ତେ ଏ ମଧ୍ୟରେ ବଢିଯାଇଛି। ଚାରି ଫାଳ ହୋଇଗଲାଣି ସଂଗଠନ। ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କର ଇଲମ ବି କାମ କରୁନି। ଏପରିକି ଦଳର ଶୀର୍ଷସ୍ତରର ହସ୍ତକ୍ଷେପ ଫେଲ୍‌ ମାରିଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ।

ସାଧାରଣ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ଏଭଳି ଚିତ୍ର ଦେଖି ହାଇକମାଣ୍ଡ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି। ଠିକ୍‌ ଏହି ସମୟରେ ଏକ ଲମ୍ବା ରିପୋର୍ଟ ତାଙ୍କୁ ଦଳୀୟ ନେତାମାନେ ଧରାଇଛନ୍ତି। ପାଞ୍ଚଟି ନିର୍ବାଚନମଣ୍ଡଳୀ ଓ ସେଠାକାର ନେତାମାନେ କିଭଳି ବିଜେଡି ସଂଗଠନକୁ ପୋଡି ଖାଇଦେଇଛନ୍ତି, ନିଜର ଜିତାପଟ ଲାଗି ଦଳକୁ ବାଜି ଲଗାଇଛନ୍ତି, ମାଫିଆଙ୍କ ଦବ୍‌ଦବା ବଢିଥିବା ଆଦି ସଂକ୍ରାନ୍ତରେ ଏହି ରିପୋର୍ଟରେ ବିଶଦ ଭାବେ ଲେଖାଯାଇଥିବା ସୂଚନା ମିଳିଛି। ଏପରିକି ମୋରଡ଼ା, ବାଙ୍ଗିରିପୋଷି, ସାରସକଣା, ବାରିପଦା ଓ କରଞ୍ଜିଆରେ ଦଳ ଧୋକା ଖାଇପାରେ ବୋଲି ସଙ୍କେତ ଦିଆଯାଇଛି। ହେଲେ ଏହି ରିପୋର୍ଟ ଉପରେ ଯେ କାର୍ଯ୍ୟାନୁଷ୍ଠାନ ହେବ, ଏ ବିଶ୍ୱାସ କର୍ମୀଙ୍କର ନାହିଁ, କିମ୍ବା ଛାମୁଆ ନେତାଙ୍କର। କାରଣ ଲଢେଇ ହେଭିେଓ୍ଵଟ୍‌ ନେତାଙ୍କ ଭିତରେ ଚାଲିଛି ଓ ବେଶ୍‌ ଜମିସାରିଲାଣି।

ଗତ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଜେଏମଏମ୍‌ ନେତା ସୁଦାମ ମାରାଣ୍ଡିଙ୍କୁ ଦଳକୁ ଆଣିଥିଲା ବିଜେଡି। ସେତେବେଳେ ଏ ଚାଲ୍‌ ବିଜେଡି ପାଇଁ ଦିନେ ମହଙ୍ଗା ପଡିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଭବିଷ୍ୟବାଣୀ କରିଥିଲେ ହେଁ, ଏହାକୁ ବେଖାତିର କରିଥିଲେ କାର୍ପଟଦାର ଗୋଷ୍ଠୀ। ଜେଏମ୍‌ଏମ୍‌କୁ ଦୁର୍ବଳ କଲେ ବିଜେଡି ବିରୋଧୀ ଭୋଟ ବିଜେପିକୁ ଚାଲିଯାଇପାରେ ବୋଲି ସେ ସମୟରେ କୁହାଯାଇଥିଲା। ଏହା ସତ୍ତ୍ୱେ ଗଦ୍‌ଗଦ୍‌ ହୋଇ ଏମାନଙ୍କ ଯୋଗଦାନକୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର ଅନ୍ୟ ନେତାମାନେ। ବର୍ଷ ଚାରିଟା ଯାଇନି, ବିଜେଡିର ସବୁଜ ଛାତି ଖିନ୍‌ଭିନ୍‌ ହୋଇଗଲାଣି।

ବିଜେଡି ଶିବିରର ଖବର ଅନୁସାରେ, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କ ମଧ୍ୟରେ ତିକ୍ତତା ବଢିଯାଇଛି। ନିଜ ନିଜର ପତିଆରା ଜାହିର କରିବା ଲାଗି ବ୍ୟସ୍ତ ହୋଇପ଼ଡିଛନ୍ତି। ଏହା ଭିତରେ ବିଜେଡି ସଂଗଠନ ପେଶି ହୋଇଯାଇଛି।

ଉଭୟ ନେତାଙ୍କ ମଧ୍ୟରେ ଭାରସାମ୍ୟ ରଖିବା ଲାଗି ନବୀନ ସୁଦାମଙ୍କୁ ରାଷ୍ଟ୍ରମନ୍ତ୍ରୀ କରିଥିଲେ ଓ ସମାନ ପାହ୍ୟାରେ ଉପବାଚସ୍ପତି ଭାବେ ନିଯୁକ୍ତି ଦିଆଯାଇଥିଲା ସାନନ୍ଦଙ୍କୁ। ହେଲେ ଅନ୍ୟ ଜାତିରେ ନିଜ ଝିଅ ବାହାଘର କରି ବିତର୍କ ବଳୟକୁ ଆସିଥିବା ସୁଦାମଙ୍କର ଲୋକଙ୍କ ସହ ସଂପର୍କ ବଢିନଥିଲା। ବରଂ କାହାର ଛାମୁଆ ନେତାଙ୍କ ଦବ୍‌ଦବା ଜିଲ୍ଲାସ୍ତରରେ ରହିବ, ସେ ନେଇ ବଳ କଷାକଷି ବଢିଯାଇଥିଲା ଉଭୟ ନେତାଙ୍କ ମଧ୍ୟରେ। ଏପଟେ ସରକାରରେ ବି ବେଶ୍‌ ଆଖିଦୃଶିଆ ପ୍ରଦର୍ଶନ ନଥିଲା ସୁଦାମଙ୍କର। ପରିଣାମ ହେଲା ଗତ ମେ ମାସରେ ମୁଖ୍ୟମନ୍ତ୍ରୀ ସୁଦାମଙ୍କୁ ମନ୍ତ୍ରୀ ପଦରୁ ବିଦା କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ପତିଆରା ବଢିଛି ସତ, କିନ୍ତୁ ନିର୍ବାଚନମଣ୍ଡଳୀସ୍ତରରେ ବିଜେଡି ଆଭ୍ୟନ୍ତରୀଣ କନ୍ଦଳ ବି ବହୁଗୁଣିତ ହୋଇଛି।
ଉପବାଚସ୍ପତି ସାନନ୍ଦ ଲଗାତର ଭାବେ ରହିଆସିଥିଲେ ହେଁ, ଜିଲ୍ଲାରେ ସମସ୍ତଙ୍କୁ ସାଙ୍ଗରେ ନେଇ ଯାଇପାରୁନାହାନ୍ତି। ଫଳରେ ଦଳ କାହାକୁ ଜିଲ୍ଲାର ନେତା ବୋଲି ଚିତ୍ରଣ କରି ସଂଗଠନକୁ ଆଗକୁ ବଢାଇବ, ସେ ନେଇ ଦ୍ୱନ୍ଦ୍ୱରେ ପଡିଛି।

ଏମଧ୍ୟରେ ସୁପ୍ରିମୋ ମୟୂରଭଞ୍ଜ ଜିଲ୍ଲାରେ ରାଜା ପ୍ରବୀଣ ଭଞ୍ଜଦେଓଙ୍କଙ୍କ ପତିଆରା ବଢାଇବା ପାଇଁ ବାଟ ଖୋଲିଥିିଲେ। ତାଙ୍କୁ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ଦେଇଥିଲେ ନବୀନ। ହେଲେ ଦଳ ପାଇଁ ଅର୍ଥାତ୍‌ ଜିଲ୍ଲା ସଂଗଠନରେ ସେ ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହୋଇପାରିନାହାନ୍ତି। ମୋର଼ଡା ନିର୍ବାଚନମଣ୍ଡଳୀରେ ବି ଆଗକୁ ସେ କଠିନ ପରୀକ୍ଷାର ସାମ୍ନା କରିବେ, ଏକଥା ଏଡାଇ ଦେଇ ହେଉନାହିଁ। ତାଙ୍କ ବୋଲ ମାନିବାକୁ କେହି ପ୍ରସ୍ତୁତ ନୁହନ୍ତି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା, ରାଜାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଜିଲ୍ଲା ମୁଖିଆ ପଦ ଦିଆଗଲେ କଣ ହେବ, କାର୍ପଟଦାର ଗୋଷ୍ଠୀଙ୍କ ସକ୍ରିୟତା କାରଣରୁ ରାଜାଙ୍କର ପ୍ରଭାବ ଜିଲ୍ଲାରେ ନିଷ୍ପ୍ରଭ ହୋଇଗଲାଣି। ଏମିତିରେ ବି ରାଜା-ଭୋଟରଙ୍କ ସଂପର୍କ ବଢୁନାହିଁ, ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଏକଥା ସୂଚାଉଛି। ସେହିଭଳି ମୟୂରଭଂଜ ଜିଲ୍ଲାରେ ନିଜ ପତିଆରା ବଢାଇବା ପାଇଁ ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ୍‌ଙ୍କୁ ରାଜ୍ୟସଭାକୁ ପଠାଇଥିଲା ବିଜେଡି। ହେଲେ ସରୋଜିନୀଙ୍କ ସଂଗଠନ ବିଜେଡି ଆଭ୍ୟନ୍ତରୀଣ କନ୍ଦଳ ପ୍ରକ୍ରିୟାରେ ଆଉ ଗୋଟିଏ ଗୋଷ୍ଠୀ ବଢାଇବା ଛଡା ଦଳକୁ ସେମିତି କିଛି ଲାଭ ଦେଇନାହିଁ।

ବିଜେଡି ପାଇଁ ସବୁଠାରୁ କଠିନ ବ୍ୟାପାର ହେଉଛି, ନା କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁଛି ନା କାହାକୁ ଜୋରରେ କହିବା ସ୍ଥିତିରେ ଅଛନ୍ତି ସୁପ୍ରିମୋ। କାରଣ ଯାହା ବିରୋଧରେ ଗଲେ, ସେ ବିଜେପି ଠାରୁ କମ୍‌ ଦୂରରେ ଥିବା ଦେଖାଯାଉଛି। ଅର୍ଥାତ୍‌ ବିଜେଡିକୁ ମୟୂରଭଂଜରେ ଯେ ଆସନ୍ତା ଅଗ୍ନିପରୀକ୍ଷା ଦେବାକୁ ହେବ ଏକଥାକୁ ଏଡାଇ ଦେଇ ହେବନାହିଁ। କେବଳ ସେତିକି ନୁହେଁ, ଅଧିକାଂଶ ନେତା ଆଦିବାସୀ ନେତା ଭାବେ ପରିଗଣିତ ହେଉଥିବା ପରିପ୍ରେକ୍ଷୀରେ ହାତ ମାରିବାକୁ କୁନ୍ଥ କୁନ୍ଥ ହେଉଛନ୍ତି ସୁପ୍ରିମୋ।

ଉଲ୍ଲେଖଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲା ଦଖଲ ଲାଗି ବିଜେଡି ଏହା ଭିତରେ କିଛି କମ୍‌ କସରତ କରିଛି ତା ନୁହେଁ। ପୂର୍ବତନ ସଞ୍ଜୟ ଦାସବର୍ମାଙ୍କୁ ଏଠାରେ ସଂଗଠନ ଦାୟିତ୍ୱ ଦେଇଥିଲା ବିଜେଡି। ହେଲେ ଭରସା ପାଇଲାନି, ଭାଗ ବସାଇ ଅରୁଣ ସାହୁଙ୍କୁ ଭାଗେ ଦାୟିତ୍ୱ ଦେଇଥିଲା। ପରେ ଅରୁଣଙ୍କ ସ୍ଥାନରେ ବିଜେଡିର ବଚ୍ଛା ବଚ୍ଛା ନେତା ଦେବାଶିଷ ସାମନ୍ତରାୟଙ୍କ ଠାରୁ ଆରମ୍ଭ କରି ପ୍ରୀତିରଞ୍ଜନ ଘଡାଇଙ୍କୁ ବି ଏ ଜିଲ୍ଲାରେ କାମରେ ଲଗାଇଥିଲା ଦଳ। ଏସବୁ ଫେଲ୍‌ ମାରିବା ପରେ ପୁଣି ଅରୁଣଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏବେ ଅରୁଣ ଯେ ବିଜେଡିକୁ ବାଟ ଦେଖାଇପାରିବେ ନାହିଁ, ଏ ନେଇ ଶୀର୍ଷ ନେତୃତ୍ୱ ବିଚାର ଆରମ୍ଭ କଲେଣି।

ସମ୍ବନ୍ଧିତ ଖବର