ବାରିପଦା ଜିଲ୍ଲାରେ ଏମିତି ଚାଲିଛି ଶିକ୍ଷା ବ୍ୟବସ୍ଥା: ୨୮ ମାସ ହେବ ବିଦ୍ୟାଳୟ ଆସୁନାହାନ୍ତି ଶିକ୍ଷୟିତ୍ରୀ

ବାରିପଦା: ଥରେ ଛୁଟିନେଇ ୨୮ ମାସ ହେବ ବିଦ୍ୟାଳୟ ଆସୁନାହାନ୍ତି ଶିକ୍ଷୟିତ୍ରୀ। ନା ଛୁଟି ରିନୁଆଲ୍‌ ହେଉଛି ନା ଅଛି ବିଦ୍ୟାଳୟ ସହିତ କୌଣସି ଯୋଗାଯୋଗ। ତଥାପି ବେଫିକର ଶିକ୍ଷାବିଭାଗ। ନା ଅଛି କିଛି ଖବର ନା ବିବରଣୀ। ଏପରିକି ଶିକ୍ଷାଦାନ କରିବାକୁ ଆସିପାରୁନଥିବା ଶିକ୍ଷୟିତ୍ରୀ କାଳେ କୌଣସି ବିପଦରେ ଅଛନ୍ତି କି, କୌଣସି ସମସ୍ୟାରେ ଫସିଯାଇନାହାନ୍ତି ତ’। ଏହିଭଳି ସର୍ବନିମ୍ନ ସୌଜନ୍ୟତା ମଧ୍ୟ ରଖିପାରିନି ଜିଲ୍ଲା ଶିକ୍ଷାବିଭାଗ।

ଏପରି ବିଚିତ୍ର ଘଟଣା ଘଟିଛି ଶୁଳିଆପଦା ବ୍ଲକ୍‌ ଅନ୍ତର୍ଗତ ବାଘଡ଼ା କ୍ଲଷ୍ଟର ବାଘଡ଼ା ନୋଡାଲ ସ୍କୁଲ୍‌ରେ। ଉକ୍ତ ବିଦ୍ୟାଳୟର ଶିକ୍ଷାସହାୟିକା ତନୁଶ୍ରୀ ପାଲ ଗତ ୨୦୧୯ ମସିହା ଜାନୁଆରୀ ୭ରେ ଶେଷ ଥର ପାଇଁ ବିଦ୍ୟାଳୟକୁ ଆସିଥିଲେ। ଏହା ପରଠାରୁ ଆଉ ଆଦୌ ବିଦ୍ୟାଳୟରେ ପାଦ ଥାପିନଥିବା ଅଭିଯୋଗ ହୋଇଛି । ଇତି ମଧ୍ୟରେ ୨୮ ମାସ ବିତି ହେଲାଣି । ବିଦ୍ୟାଳୟର ତତ୍କାଳିନ ପ୍ରଧାନ ଶିକ୍ଷୟିତ୍ରୀ ସୂର୍ଯ୍ୟମଣୀ ଧଳ ବିଇଓ ମାଳତୀ ଟୁଡୁଙ୍କୁ ଏନେଇ ଲିଖିତ ଭାବେ ଅବଗତ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୁଣାନିଧି ରଣା ମଧ୍ୟ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଏନେଇ ଅବଗତ କରିଛନ୍ତି। ଶିକ୍ଷୟିତ୍ରୀ ଜଣଙ୍କ ଅନୁପସ୍ଥିତ ରହୁଥିବାରୁ ୨ ବର୍ଷ ଧରି ବିଦ୍ୟାଳୟରେ ଶିକ୍ଷାଦାନ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଥିବାର ସେ ଅଭିଯୋଗ କରିଛନ୍ତି । ହେଲେ ତାଙ୍କ ବଦଳରେ ନା ବିକଳ୍ପ ଶିକ୍ଷକ ଦେଇଛନ୍ତି ଅଥବା ଶିକ୍ଷା ସହାୟିକାଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ନେଇଛନ୍ତି ବିଇଓ। ପୁଣି ଶିକ୍ଷାସହାୟିକାଙ୍କ ଅନୁପସ୍ଥିତି ବିଷୟରେ କେହି ପ୍ରଶ୍ନ କଲେ ଚିକିତ୍ସାଧିନ ଛୁଟିରେ ଥିବା ଦର୍ଶାଇ ଜନ ଅସନ୍ତୋଷକୁ ଚାପି ଦେବାକୁ ପ୍ରୟାସ ଚଳାଇ ଆସୁଥିବା ଅଭିଯୋଗ ହୋଇଛି ।

ମାତ୍ର ସୂଚନା ଅଧିକାର କର୍ମୀ ଜୟନ୍ତ କୁମାର ଧଡା ଏନେଇ ସୂଚନା ଆଇନ ବଳରେ ତଥ୍ୟ ଲୋଡ଼ିବା ପରେ ସତ ସାମ୍‌ନାକୁ ଆସିଛି । ଶିକ୍ଷୟିତ୍ରୀ ଜଣକଙ୍କର ଛୁଟି ମଞ୍ଜୁରୀ ହୋଇଛି କି ନାହିଁ ବୋଲି ସେ ଅଫିସରୁ ତଥ୍ୟ ଲୋଡ଼ିବାରୁ ଛୁଟି ମଞ୍ଜୁରୀ ନେଇ ଅଫିସ ପାଖରେ କୌଣସି ତଥ୍ୟ ନାହିଁ ବୋଲି କୁହାଯାଇଛି। ତେବେ ୨୮ ମାସ ଧରି ଜଣେ ଶିକ୍ଷାସହାୟିକା ବିନା ଛୁଟିରେ ଅନୁପସ୍ଥିତ ରହିବା ପରେ ମଧ୍ୟ ଶିକ୍ଷୟତ୍ରୀଙ୍କ ବିରୋଧରେ କୌଣସି ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯିବା ଘଟଣା ବିଭାଗୀୟ ଅଧିକାରୀମାନଙ୍କର ଭୂମିକାକ ସନ୍ଦେହ ଘେରକୁ ଟାଣି ଆଣିଛି । ତେବେ ଏନେଇ ମୁହଁ‌ ଖୋଲିଛନ୍ତି ଶୁଳିଆପଦା ବିଇଓ ମାଳତୀ ଟୁଡ଼ୁ। ଶିକ୍ଷୟିତ୍ରୀ ଜଣଙ୍କ ଛୁଟି ରିନିଉଆଲ୍‌ କରିନାହା‌ନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହିତ କୌଣସି ଯୋଗାଯୋଗରେ ମଧ୍ୟ ନାହାନ୍ତି। କାର୍ଯ୍ୟରେ ଯୋଗଦେଲେ ତାଙ୍କ ଅନୁପସ୍ଥିତି ସମ୍ପର୍କରେ ଡିପିସିଙ୍କୁ ଜଣାଇଦିଆଯିବ। ଅନୁମତି ମିଳିଲେ କାର୍ଯ୍ୟ କରିବେ ନଚେତ୍‌ ନାହିଁ ବୋଲି ଶ୍ରୀମତୀ ଟୁଡୁ କହିଛନ୍ତି। ତେବେ ଶିକ୍ଷୟିତ୍ରୀ ଜଣଙ୍କ କନିଷ୍ଠ ବର୍ଗର ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀ ହୋଇଥିବାରୁ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଇଓ।

ତେବେ ମଧ୍ୟାହ୍ନ ଭୋଜନ ରୋଷେଇ କାଠରୁ ଧୂଆଁ ବାହାରୁ ଥିବାରୁ ଶିକ୍ଷୟିତ୍ରୀଙ୍କର ଦରମା ବନ୍ଦ କରିବାର ପାରିବା ପଣିଆ ଯେଉଁ ବିଇଓଙ୍କ ନାମରେ ରହିଛି ଉକ୍ତ ବିଇଓ ପୁଣି ୨୮ ମାସ ଧରି ବିନା ଛୁଟିରେ ଅନୁପସ୍ଥିତ ରହିଥିବା ଜଣେ ଚୁକ୍ତିଭିତ୍ତିକ ଶିକ୍ଷାସହାୟିକାଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ ପୂର୍ବକ କାର୍ଯ୍ୟନୁଷ୍ଠାନ ନେବାରେ କୁଣ୍ଠାବୋଧ କରୁଛନ୍ତି କାହିଁକି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଣେ ଚୁକ୍ତିଭିତ୍ତିକ ଶିକ୍ଷାସହାୟିକା ଅସ୍ଥାୟୀ ଚାକିରୀ କରି ଦୀର୍ଘ ୨୮ ମାସ ଧରି କାର୍ଯ୍ୟରେ ଅନୁପସ୍ଥିତ ରହି ପଦବୀକୁ ମାଡ଼ି ବସିବା ପଛରେ ଶିକ୍ଷା ବିଭାଗର କେଉଁ ପ୍ରକାରର ନିୟମ ଅଥବା ଆଇନ ରହିଛି ବୋଲି ପ୍ରଶ୍ନ ଉଠୁଛି । ତେବେ ଉକ୍ତ ଶିକ୍ଷୟିତ୍ରୀ ଜଣଙ୍କ ପ୍ରଭାବଶାଳୀ ଶିକ୍ଷକ ନେତା ବୋଲାଉଥିବା ଜଣେ ବ୍ୟକ୍ତିଙ୍କର ଅତି ନିକଟ ସଂପର୍କୀୟା ହୋଇଥିବାରୁ ଅଫିସ ଉପରେ ପ୍ରଭାବ ବିସ୍ତାର କରି କାର୍ଯ୍ୟନୁଷ୍ଠାନକୁ ଅଟକାଇ ରଖିଥିବା ବିଷୟକୁ ନେଇ ଚର୍ଚ୍ଚା ହେଉଛି।

 

ସମ୍ବନ୍ଧିତ ଖବର