ପ୍ରଥମେ ଦୁଷ୍କର୍ମ, ପରେ ବିବାହ ପ୍ରତିଶ୍ରୁତି ଓ ପ୍ରତାରଣା, ଅଭିଯୁକ୍ତ ସମ୍ପର୍କୀୟ ଯୁବକ ଗିରଫ

ବାରିପଦା : ପ୍ରଥମେ ଦୁଷ୍କର୍ମ, ପରେ ବିବାହର ପ୍ରତିଶ୍ରୁତି ଏବଂ ପ୍ରତାରଣା। ଏ ନେଇ ବାରିପଦା ଟାଉନ ଥାନା ପୁଲିସ ଅଭିଯୁକ୍ତ ଯୁବକ ଶୁଳିଆପଦା ଥାନା ଅନ୍ତର୍ଗତ ଡୁମ୍ବୁରଡିହା ଗ୍ରାମର ଶିବ ବିନ୍ଧାଣୀ(୨୨)କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ ଗତ ଅଗଷ୍ଟ ୩୦ ସନ୍ଧ୍ୟା ୭ଟା ସମୟରେ ଅଭିଯୁକ୍ତ ଶିବ ଅନ୍ୟ ୨ ସହଯୋଗୀଙ୍କ ସହିତ ଏକ ଅଟୋରେ ବାରିପଦା ଟାଉନ୍ ଥାନା ଅଞ୍ଚଳରେ ଥିବା ତାଙ୍କର ଦୂର ସମ୍ପର୍କୀୟଙ୍କ ଘରେ ପହଞ୍ଚିଥିଲା। ଉକ୍ତ ପରିବାରର ଜଣେ ୨୦ ବର୍ଷିୟା ଅବିବାହିତ ଯୁବତୀଙ୍କୁ ଅଟୋରେ ବସାଇ ଶୁଳିଆପଦା ଫେରି ଯାଉଥିବା ସମୟରେ ଶିବର ସହଯୋଗୀ ପୀଡ଼ିତାଙ୍କ ମୁହଁରେ କିଛି ପଦାର୍ଥ ଲଗାଇ ଦେଇଥିଲେ ।

ଫଳରେ ଯୁବତୀ ଜଣଙ୍କ ଚେତା ହରାଇ ବସିଥିଲେ। ସଂଜ୍ଞା ଫରିବା ବେଳକୁ ସେ ଦିଲ୍ଲୀରେ ଏକ ବନ୍ଦ କୋଠରୀ ଭିତରେ ରହିଥିବାର ଜାଣିବାକୁ ପାଇଥିଲେ । ଉକ୍ତ ବନ୍ଦ କୋଠରୀରେ ଶିବ ଯୁବତୀଙ୍କ ଅନିଚ୍ଛା ସତ୍ତ୍ବେ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ଏଥି ସହିତ ଏହି ଘଟଣା ଅନ୍ୟ କାହା ସମ୍ମୁଖରେ ପ୍ରକାଶ କଲେ ଯୁବତୀର ଜୀବନକୁ ବରବାଦ କରିଦେବାର ଧମକ ଦେଇଥିଲା । ଏପରିକି ପୀଡ଼ିତାଙ୍କୁ ତାଙ୍କ ପରିବାର ସହିତ ଯୋଗାଯୋଗ କରାଇଦେଉ ନଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣଙ୍କ ଯୁବତୀଙ୍କୁ ସାଥୀରେ ଧରି ଦିଲ୍ଲୀରୁ ରାଞ୍ଚି ଯାଇଥିଲେ। ଅକ୍ଟୋବର ୧୧ରେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବାରିପଦାରେ ଛାଡ଼ି ଦେଇଯାଇଥିଲା ।

ଯୁବତୀ ଜଣଙ୍କ ଘରେ ସବୁ କଥା କହିବା ପରେ ଚଳିତ ମାସ ୧୩ରେ ଯୁବତୀଙ୍କ ପରିବାର ଲୋକ ଅଭିଯୁକ୍ତର ଘରେ ପହଞ୍ଚିଥିଲେ। ମାତ୍ର ଶିବଙ୍କ ପରିବାର ଲୋକ ଏହି ବିବାହକୁ ପ୍ରତ୍ୟାଖାନ କରିଥିଲେ। ଫଳରେ ପୀଡ଼ିତା ଜଣଙ୍କ ବାରିପଦା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିବାପରେ ଅଭିଯୁକ୍ତ ଶିବ ବିନ୍ଧାଣୀ, ତାଙ୍କ ମା ଏବଂ ଅନ୍ୟ ଦୁଇ ସହଯୋଗୀଙ୍କ ନାମରେ ମାମଲା ରୁଜୁ କରିଛି। ଅଭିଯୁକ୍ତ ଶିବକୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର