ଧାମନଗର ସମବାୟ ସମିତିରେ ଅଚଳାବସ୍ଥା; ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟିଲେ ସମିତିର ସଦସ୍ୟ

ଭଦ୍ରକ: ଧାମନଗର ସେବା ସମବାୟ ସମିତିରେ ଦେଖା ଦେଇଥିବା ଅଚଳାବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି। ସମିତିରେ ଦେଖା ଦେଇଥିବା ବିବାଦୀୟ ପରିସ୍ଥିତି ଏବଂ ରାଜନୈତିକ ହସ୍ତକ୍ଷେପ ପ୍ରତିବାଦରେ ଆଜି ବହୁସଂଖ୍ୟକ ସଦସ୍ୟ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଫେରାଦ ହୋଇଛନ୍ତି। ଧାମନଗର ସମବାୟ ସମିତି ଅଧୀନରେ ଧାମନଗର ଏନଏସି ସମେତ ରାଧାବଲ୍ଲଭପୁର ପଞ୍ଚାୟତ ରହିଛି। ଏହି ସମିତିରେ ପାଞ୍ଚ ହଜାରରୁ ଅଧିକ ସଦସ୍ୟ ଏବଂ ଋଣୀ ସଭ୍ୟ ପଞ୍ଜିକୃତ ଅଛନ୍ତି। ଗତ କିଛିଦିନ ଧରି ନିର୍ଦ୍ଦିଷ୍ଟ ଗୋଟିଏ ରାଜନୈତିକ ଦଳର ଜଣେ ନେତା ଏବଂ ସମବାୟ ସମିତି କର୍ମଚାରୀ ସଂଘର ଜଣେ ନେତା ଉଦେଶ୍ୟମୂଳକ ଭାବେ ସମିତିରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ଧମକଚମକ ଦେଉଥିବା ଅଭିଯୋଗ କରିଛନ୍ତି ସଦସ୍ୟ ମାନେ।

ଅଭିଯୋଗ ଅନୁଯାୟୀ ଉକ୍ତ ଦୁଇବ୍ୟକ୍ତି ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ସମବାୟ ସମିତିରୁ ଲକ୍ଷ ଲକ୍ଷ ଟଙ୍କାର ଋଣ ନେଇଛନ୍ତି। ଏମାନେ ଋଣ ପରିଶୋଧ କରୁନଥିବା ବେଳେ ଏବେର ସମିତି ସମ୍ପାଦକ ଏବଂ ଅନ୍ୟ କର୍ମଚାରୀଙ୍କୁ ଧମକଚମକ ଦେଇ ଋଣ ପାଇଁ ଚାପ ପକାଇବା ସଂଗେ ସଂଗେ ଅନ୍ୟ ମାନଙ୍କୁ ଋଣ ଦେବା ପାଇଁ ଅନୈତିକ ଚାପ ପକାଉଥିବା କୁହାଯାଇଛି। ଏଥିରେ ଅମଙ୍ଗ ହେବାରୁ ବିଭିନ୍ନ ଆଳ ଦେଖାଇ ସମିତିରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ଅସାମାଜିକ ଲୋକ ଲଗାଇ ଭୟ ଉପୁଜାଉଥିବା ଅଭିଯୋଗ ହୋଇଛି।

ଏପରି ଘଟଣା ବାରମ୍ବାର ଘଟୁଥିବାରୁ ସାଧାରଣ ଲୋକ ସମିତିକୁ ଆସିବା ନେଇ ଭୟ କରୁଛନ୍ତି ଏବଂ ସମିତିର ଆର୍ଥିକ ନେଣଦେଣ ବାଧାପ୍ରାପ୍ତ ହୋଇଛି। ଏପରି ଅସ୍ୱାଭାବିକ ଅବସ୍ଥା ଯୋଗୁଁ ସମିତିର ସଭ୍ୟ ଥିବା ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଚାଷୀ ମାନଙ୍କର ଏକ ପ୍ରତିନିଧି ଦଳ ସୋମବାର ଦିନ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି। ଏଥି ସହିତ ସମବାୟ ବିଭାଗର ଡିଆରସିଏସ, ଏଆରସିଏସ ପ୍ରମୂଖଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର