ଅବଧି ଶେଷ ହେବା ପରେ ଶ୍ରୀଜଗନ୍ନାଥଙ୍କ ମୁଣ୍ଡିଆରୁ ଖନନ ଜାରି

ଖୋର୍ଦ୍ଧା : ଖୋର୍ଦ୍ଧାରୁ ବେଆଇନ ଭାବେ ଶ୍ରୀଜଗନ୍ନାଥଙ୍କ ଜମିରୁ କେବଳ ଖଣି ମାଫିଆ ମାଙ୍କଡ଼ା ପଥର, ମୋରମ ଆଦି ଖୋଳି ନେଉଛନ୍ତି ସେୟା ନୁହେଁ ବରଂ ପ୍ରଶାସନ ଆଖି ଆଗରେ ରାଜପଥ ନିର୍ମାଣ ନାମରେ ଦୈନିକ ଶତାଧିକ ଟ୍ରକ୍ ମୋରମ୍ ଓ ମାଙ୍କଡ଼ା ପଥର ଖୋଳାଯାଉଛି । ପ୍ରଶାସନ ନିକଟରେ ଏନେଇ ସୂଚନା ରହିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆନଯିବା ପ୍ରଶାସନର ସ୍ୱଚ୍ଛତା ଆଡ଼କୁ ଅଙ୍ଗୁଳି ନିର୍ଦେଶ କରୁଛି ।

ଖୋର୍ଦ୍ଧା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର କେଇ କିଲୋମିଟର ଦୂର ବଣିଆଟାଙ୍ଗୀ ମୌଜାରେ ଶ୍ରୀଜଗନ୍ନାଥଙ୍କ ରାଇରଙ୍ଗ-ଅରିସଲ ମୁଣ୍ଡିଆ ରହିଛି । ଗତ ବର୍ଷ ୧୬ ନମ୍ବର ଜାତୀୟ ରାଜପଥ ନିର୍ମାଣ ପାଇଁ ଏହି ମୁଣ୍ଡିଆରୁ ମୋରମ ଓ ମାଟି ନେବାକୁ ଶ୍ରୀମନ୍ଦିର ପ୍ରଶାସନ ଓ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁମତି ଦିଆଯାଇଥିଲା । ତେବେ ମିଳିଥିବା ସୂଚନାନୁସାରେ, ଉକ୍ତ ମୁଣ୍ଡିଆର ଅବଧି ୨୦୨୦ ଡିସେମ୍ବର ୩୧ ଯାଏଁ ରହିଥିଲା, ବର୍ତମାନ ଏହାର ନବୀକରଣ ହୋଇନାହିଁ । ଏପରିସ୍ଥଳେ କିଭଳି ବେଆଇନ ଭାବେ ଦିନକୁ ଶତାଧିକ ଟ୍ରକ୍ ମୋରମ୍, ମାଟି ଆଦି ଖୋଳି ନିଆଯାଉଛି ସେନେଇ ସ୍ଥାନୀୟ ଜନସାଧାରଣ ଆପତ୍ତି ଉଠାଇଛନ୍ତି ।

ଦୈନିକ ଖୋଳା ଯାଉଥିବା ଓ ଚାଲାଣ ହେଉଥିବା ମାଟି, ମୋରମ ଆଦିର ରାଜସ୍ୱ କଥା ଆକଳନ କରାଯାଏ ତେବେ ପ୍ରାୟ ୧ ଲକ୍ଷ ଟଙ୍କା ହେବ ବୋଲି ରାଜସ୍ୱ ବିଭାଗର ଜଣେ କର୍ମଚାରୀ କହିଛନ୍ତି । ଯଦି ଅବଧି ଶେଷ ହେବା ପରେ ଦୈନିକ ୧ଲକ୍ଷ ଟଙ୍କା ରାଜସ୍ୱ ହାନୀ ଆକଳନ କରାଯାଏ ତେବେ ବର୍ତମାନ ସୁଦ୍ଧା ୪୦ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ରାଜସ୍ୱ କ୍ଷତି ଶ୍ରୀମନ୍ଦିର ପ୍ରଶାସନ ସହିଛି ।

ଏନେଇ ତହସିଲଦାର ପଦ୍ମଚରଣ ସାହୁଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ଯେଉଁ ସ୍ଥାନରେ ଖୋଳାଯାଉଛି ତାହା ରାଜସ୍ୱ ବିଭାଗର ଅଧୀନ ଜମି ନୁହେଁ ଏହା ଶ୍ରୀଜଗନ୍ନାଥଙ୍କ ଜମି । ଏଣୁ ଏନେଇ ସଠିକ୍ ସୂଚନା ତାଙ୍କ ନିକଟରେ ନାହିଁ । ଯଦି ରାଜପଥ ନିର୍ମାଣ ପାଇଁ ଅନୁମତି ଦିଆଯାଇଥିବ ତେବେ ସେନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ହିଁ ମିଳିପାରିବ ।

ତେବେ ଉପଜିଲ୍ଳାପାଳ ଅଶୋକ କୁମାର ବେଉରିଆ କହିଛନ୍ତି ଯେ ଏହାର ଅବଧି ସମ୍ପର୍କରେ ତାଙ୍କର ସଠିକ ତାରିଖ ମନେ ପଡ଼ୁନାହିଁ, କିନ୍ତୁ ଡିସେମ୍ବର ମାସରେ ମାଟି ଖୋଳିବା ପାଇଁ ଅବଧି ବୃଦ୍ଧି ପାଇଁ ଆବେଦନ ହୋଇଥିଲା । ଏହି ଆବେଦନ ଉପରେ ପରବର୍ତୀ ୩ ମାସ ପାଇଁ ଅନୁମତି ଦିଆଯାଇଥିବା ତାଙ୍କର ମନେ ପଡ଼ୁଛି ।

ସମ୍ବନ୍ଧିତ ଖବର