ପୂର୍ତ୍ତମନ୍ତ୍ରୀଙ୍କ ସମୀକ୍ଷା, କାମ ଶେଷ କର ନଚେତ ବ୍ଲାକ ଲିଷ୍ଟ କରାଯିବ: ମନ୍ତ୍ରୀ

ମାଲକାନଗିରି: ଆଜି ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ମାଲକାନଗିରି ଗସ୍ତରେ ଯାଇ ଡିଆରଡିଏ ସଭାଗୃହରେ ଜିଲ୍ଲାରେ ଚାଲିଥିବା କାମଗୁଡିକ ଉପରେ ସମୀକ୍ଷା କରିଥିଲେ। ଏହି ବୈଠକରେ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ସମେତ ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ପୌରାଧ୍ୟକ୍ଷ ମନୋଜ କୁମାର ବାରିକ, ଜିଲ୍ଲାପାଳ ବିଶାଲ ସିଂହ, ବିଭାଗୀୟ ଉଚ୍ଚପଦାଧିକାରୀ ମାନେ ଉପସ୍ଥିତ ଥିଲେ। ଜିଲ୍ଲାରେ ଚାଲିଥିବା ପୂର୍ତ୍ତ ବିଭାଗର କାମ ଗୁଡିକ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷକରି ଦୀର୍ଘଦିନ ଧରି ପଡି ରହିଥିବା କାମ ଗୁଡିକକୁ କିପରି ତୁରନ୍ତ ସମାପ୍ତ କରାଯିବ ସେନେଇ ମନ୍ତ୍ରୀ ତାଗିଦ କରିଥିଲେ। ଉପସ୍ଥିତ ଠିକାଦାର ଏବଂ ଏଜେନ୍ସି ମାନଙ୍କୁ ମନ୍ତ୍ରୀ ତୁରନ୍ତ କାମ ଶେଷ କରିବାକୁ ନିର୍ଦେଶ ଦେବା ସହ କାମ ଧାର୍ଯ୍ୟ ସମୟରେ ଶେଷ ନହେଲେ ବ୍ଲାକଲିଷ୍ଟ କରାଯିବା ନେଇ ମଧ୍ୟ ଧମକ ଦେଇଥିଲେ।

ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ ପୂର୍ତ୍ତ ବିଭାଗ ତରଫରୁ କୋଟି କୋଟି ଟଙ୍କାର କାମ ଚାଲିଥିବା ବେଳେ ଏହାକୁ ବିଭାଗୀୟ ଅଧିକାରୀ ମାନେ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ପ୍ରଚେଷ୍ଟା ଚଳାଇଥିବା ଦେଖିବାକୁ ମିଳିଥିଲା। ପ୍ରତ୍ୟେକ କାମର ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ମନ୍ତ୍ରୀଙ୍କ ଗସ୍ତ ଜିଲ୍ଲାର ବିକାଶ ଆହୁରି ତୀବ୍ରତର ହେବ ବୋଲି ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମାଲକାନଗିରି ଜିଲ୍ଲାକୁ ସ୍ବତନ୍ତ୍ର ଫୋକସ କରୁଥିବାରୁ ଏହାର ବିକାଶରେ କୌଣସି ସାଲିସ କରିବେ ନାହିଁ ବୋଲି କୁହାଯାଇଛି। ତେଣୁ ମାଲକାନଗିରି ଜିଲ୍ଲାକୁ ଘନ ଘନ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ଗସ୍ତ ରଖାଯାଇ ବିକାଶ କାର୍ଯ୍ୟକୁ ତରାନ୍ବିତ କରାଯାଉଛି।

ସମ୍ବନ୍ଧିତ ଖବର